Home General ବ୍ରଡବ୍ୟାଣ୍ଡ ପାଇଁ କେନ୍ଦ୍ର ଦେଲାଣି ୧୧୬୨ କୋଟି

ବ୍ରଡବ୍ୟାଣ୍ଡ ପାଇଁ କେନ୍ଦ୍ର ଦେଲାଣି ୧୧୬୨ କୋଟି

ଭୁବନେଶ୍ୱର : ଭାରତ ନେଟ୍‍ ପ୍ରକଳ୍ପ ଅଧିନରେ ଓଡିଶାର ସମସ୍ତ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ଲାଗି କେନ୍ଦ୍ର ସରକାର ୧୧୬୨.୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତ ନେଟ୍‍ର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ୫୪୧.୫୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୨୯.୩୦ କୋଟି ଟଙ୍କା ପୁଞ୍ଜି ବ୍ୟୟ ଆକାରରେ ଯୋଗାଇ ଦେଇଛନ୍ତି । ଅନୁରୂପ ଭାବେ କାର୍ଯ୍ୟ ବ୍ୟୟ ବାବଦରେ ଓଡିଶାର ୯୧.୮୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ଭାରତ ନେଟ୍‍ ପ୍ରକଳ୍ପରେ କେନ୍ଦ୍ର ସରକାର ୩୪,୪୩୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ଓଡିଶାର ୬୭୮୩ ଗ୍ରାମ ପଞ୍ଚାୟତକୁ ଭାରତ ନେଟ୍‍ ଯୋଜନାରେ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ଯୋଗାଇ ଦିଆଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ଭାରତ ନେଟ୍‍ର ପ୍ରଥମ ପର୍ଯ୍ୟାୟରେ ୩୮୦୯ଟି ପଞ୍ଚାୟତରେ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ଚଳିତବର୍ଷ ମାର୍ଚ୍ଚ ୬ତାରିଖ ସୁଦ୍ଧା ଏଠାରେ ସେବା ଉପଲବ୍ଧ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୯୩୨ଟି ପଞ୍ଚାୟତରେ ସେବା ଯୋଗାଇ ଦିଆଯାଇଛି ।

ଓଡିଶାରେ ୪୭ଟି ପଞ୍ଚାୟତକୁ ସାଟେଲାଇଟ୍‍ ମେଡିଆରେ ସଂଯୋଗ ଦେବାର ଯୋଜନା ଥିବାବେଳେ ୪୨ଟି ସେବା ଯୋଗାଣ ପ୍ରସ୍ତୁତ ହୋଇଛି । ଓଡିଶାର ମାତ୍ର ୧୫ଟି ପଞ୍ଚାୟତ ବ୍ରଡବ୍ୟାଣ୍ଡ୍‍ ସେବାରୁ ଦୂରରେ ଅଛି । ଏହି ପଞ୍ଚାୟତଗୁଡିକ ହେଲା ଅନୁଗୁଳ ଜିଲ୍ଲାର ନାଗତରା ଏବଂ ବରଡିଡା, ବାଲେଶ୍ୱର ଜିଲ୍ଲାର ରାଜପୁର, ବୌଦର ତାଳଗାଓଁ, ଯାଜପୁରର ବୌଡା, କଳାହାଣ୍ଡିର ଗଡେବନ୍ଧ ଏବଂ ପାଡେପଦର, କେନ୍ଦ୍ରାପଡାର ପଦନୀପାଳ, ବତୀଘର ଏବଂ ସାତଭାୟା, ନୟାଗଡର କୁଜମେଣ୍ଢି, ପୁରୀର ବରହମପୁର, ମାଲକାନଗିରିର ଯନ୍ତ୍ରି, କନ୍ଧମାଳର ସାରତୁଲୁ ଏବଂ ମୟୁରଭଞ୍ଜର ଚକଡି ।

ସୂଚନା ଅନୁଯାୟୀ ଭାରତ ନେଟ୍‍ର ପ୍ରଥମ ପର୍ଯ୍ୟାୟ ପାୱାରଗ୍ରିଡ୍‍ କର୍ପୋରେସନ ଅଫ୍‍ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ୍‍) ଦ୍ୱାରା କାର୍ଯ୍ୟକାରୀ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଭାରତ ନେଟ୍‍ ଦ୍ୱାରା ଗଠିତ ଭିତ୍ତିଭୂମି ଦେଶର ସମ୍ପତ୍ତି ହୋଇଥିବାବେଳେ କୌଣସି ବାଛ ବିଚାର ବିନା ସେବା ପ୍ରଦାନକାରୀମାନେ ୱାଇ ଫାଇ ହଟସ୍ପଟ ଜରିଆରେ ବ୍ରଡବ୍ୟାଣ୍ଡ, ଇଣ୍ଟରନେଟ୍‍ ସେବା, ଫାଇବର ଟୁ ହୋମ୍‍ ସଂଯୋଗ, ଲିଜ ଲାଇନ୍‍, ଡାର୍କ ଫାଇବର, ମୋବାଇଲ ଟାୱାରରେ ବ୍ଲାକହଉଲ ଆଦି ସେବା ଯୋଗାଇ ଦେବେ । (ତଥ୍ୟ)