ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାଗୁଡିକରେ ମୋଟ୍ ୧୬,୩୪୫ଟି ଶଯ୍ୟା ରହିଛି । ଏଥି ମଧ୍ୟରୁ ସର୍ବାଧିକ ୭୨୮୮ଟି ଶଯ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବିଜେପି ବିଧାୟକ କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ୫୭୮୯ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୮୫ଟି ଶଯ୍ୟା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲରେ ସର୍ବାଧିକ ୫୫୭ଟି ଶଯ୍ୟା ଉପଲବ୍ଧ ଅଛି ।
ସେହିଭଳି ରାଜ୍ୟର ୧୦ଟି ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ୮୪୨୦ଟି ଶଯ୍ୟା ରହିଛି । ଏଥି ମଧ୍ୟରୁ ଏସ୍ସିବି କଟକରେ ସର୍ବାଧିକ ୨୭୭୨ଟି ଶଯ୍ୟା ଥିବାବେଳେ ଏମକେସିଜି ବ୍ରହ୍ମପୁରରେ ୧୫୨୭, ଭିମସାର ବୁର୍ଲାରେ ୧୧୮୮ଟି ଶଯ୍ୟା ରହିଛି ।
୨୦୧୪-୧୫ ମସିହାରେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ତଃ ବିଭାଗରେ ୪୫ଲକ୍ଷ ୮୧ହଜାର ୩୫୬ ରୋଗୀ ଓ ବର୍ହିବିଭାଗରେ ୩କୋଟି ୧୩ଲକ୍ଷ ୩୯ହଜାର ୧୪୧ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ୨୦୨୧-୨୨ରେ ଏହି ସଂଖ୍ୟା ଯଥାକ୍ରମେ ୭୫ଲକ୍ଷ ୪ହଜାର ୨୫ ଏବଂ ୩କୋଟି ୨୨ଲକ୍ଷ ୯୮ହଜାର ୩୭୩ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)