ଭୁବନେଶ୍ୱର : କଟକ ସହରରୁ ବାହାରୁଥିବା ବର୍ଜ୍ୟଜଳ ପାଇଁ ମହାନଦୀ, କାଠଯୋଡି, ସେରୁଆ ଓ ବିରୂପା ଭଳି ନଦୀ ସହିତ ତାଳଦେଣ୍ଡା କେନାଲ ମଧ୍ୟ ପ୍ରଦୂଷିତ । ଏହି ନଦୀ ଓ କେନାଲର ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଥିବା ଜଳ ନମୂନା ପରୀକ୍ଷାରୁ ଏହା ପ୍ରଦୂଷିତ ହୋଇଥିବା ଜଣାଯାଇଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ହୋଇଥିବା ଜଳ ପରୀକ୍ଷଣ ରିପୋର୍ଟରୁ ଏହା ଜଣାଯାଇଛି । ଏହି ସୂଚନା ଅନୁଯାୟୀ ଗତବର୍ଷ ଜାନୁୟାରୀ ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ଯେ କଟକ ସହରର ତଳମୁଣ୍ଡ ଏବଂ ମତ୍ତଗଜପୁର ଠାରେ କାଠଯୋଡି ନଦୀର ଦୁଇଟି ସ୍ଥାନରେ ଏବଂ ଶଙ୍ଖତ୍ରାସ ଠାରେ ସେଗୁଅ ନଦୀର ଗୋଟିଏ ସ୍ଥାନରେ ବିଓଡି ଏବଂ ଟିସି ନିର୍ଦ୍ଧାରିତ ମାନଠାରୁ ଅଧିକ ରହିଥିବା ପରିଲକ୍ଷିତ ହୋଇଛି । ଏହା ମୁଖ୍ୟତଃ କଟକ ସହରର ବର୍ଜ୍ୟଜଳ ନିଷ୍କାସନ ଯୋଗୁଁ ଘଟିଥିବା ବୋର୍ଡ ଆକଳନ କରିଛି ।
ସେହିଭଳି କଟକରେ ପ୍ରବାହିତ ତାଳଦଣ୍ଡା କେନାଲରେ ୫ଟି ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ନେଇ ନିୟମିତ ପରୀକ୍ଷା କରାଯାଉଛି । ଗତବର୍ଷ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ବୋର୍ଡ ଦ୍ୱାରା କରାଯାଇଥିବା ପରୀକ୍ଷଣ ଅନୁଯାୟୀ ଏହି ସ୍ଥାନଗୁଡିକରେ ପାଣିର ଟିସି ଏବଂ ଏଫ୍ସି ମାତ୍ରା ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି । ଏହି କେନାଲ ଜଳରେ ନିର୍ଦ୍ଧାରିତ ମାନଠାରୁ ଅଧିକ ଟିସି ଏବଂ ଏଫ୍ ମୁଖ୍ୟତଃ କଟକ ସହରାଞ୍ଚଳର ବର୍ଜ୍ୟଜଳ ନିଷ୍କାସନ ଏବଂ ଘରେ ବ୍ୟବହୃତ ଜଳ ଯୋଗୁଁ ଏଭଳି ଘଟୁଥିବା ବୋର୍ଡ ଆକଳନ କରିଛି ।
ସେହିଭଳି କାଠଯୋଡି ନଦୀରେ କଟକ ସହରର ଆବର୍ଜନା ନିର୍ଗତ ହେବା ଯୋଗୁଁ ନଦୀଜଳ ପ୍ରଦୂଷିତ ହେଉଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ସହରର ବର୍ଜ୍ୟଜଳକୁ ବିନା ବିଶୋଧନରେ କାଠଯୋଡି ନଦୀକୁ ନଛାଡି ମତ୍ତଗଜପୁର ଠାରେ ଥିବା ବର୍ଜ୍ୟଜଳ ବିଶୋଧନାଗାର ଠାରେ ବିଶୋଧନ କରିବାପାଇଁ ପରାମର୍ଶ ଦିଆଯାଇଛି । ଏହାଛଡା କଟକ ମହାନଗର ନିଗମ, କଟକ ଜିଲ୍ଲା ପ୍ରଶାସନ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକୀୟ ପଦକ୍ଷେପ ଗଅହଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।
ତେବେ କାଠଯୋଡି ସମେତ ଏହାର ଶାଖାନଦୀ ଏବଂ ବିଶେଷକରି ତାଳଦଣ୍ଡା କେନାଲର ଜଳ ପ୍ରଦୂଷିତ ହୋଇଥିବା ଯୋଗୁଁ ନଦୀ ଓ କେନାଲର ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । କେବଳ ଲୋକଙ୍କ ସ୍ୱାସ୍ଥ୍ୟ ନୁହେଁ ଏହିସବୁ ଜଳ ରାଶିରୁ ମାଛ ବଂଶ ହ୍ରାସ ପାଇବା ସହିତ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇବ । (ତଥ୍ୟ)