Home General ସହରୀ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ

ସହରୀ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ

ଭୁବନେଶ୍ୱର : ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରାଞ୍ଚଳଗୁଡିକରେ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ପାଇଁ ଦକ୍ଷ ମାନବସମ୍ବଳ ସୃଷ୍ଟି କରିବାକୁ ଓସଡମା ପକ୍ଷରୁ ରାଜ୍ୟ ସହରୀ ବିକାଶ ସଂସ୍ଥା (ସୁଡା) ସହଯୋଗରେ ତିନି ଦିନିଆ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ ହୋଇଯାଇଛି । ୪୩ଜଣ ମାଷ୍ଟର ପ୍ରଶିକ୍ଷକଙ୍କ ସମେତ ବିଭିନ୍ନ ପୌରାଞ୍ଚଳର ସିଟି ମିଶନ ମ୍ୟାନେଜର ଏବଂ କମ୍ପ୍ୟୁନିଟି ଅର୍ଗାନାଇଜେର ମାନଙ୍କୁ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଅତିରିକ୍ତ ସଚିବ ପ୍ରଭାତ ମହାପାତ୍ର, ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପଣ୍ଡା, ଓସଡମାର ମୁଖ୍ୟ ପରିଚାଳକ ସବ୍ୟସାଚୀ ହୋତାଙ୍କ ସମେତ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂକ୍ରାନ୍ତରେ ବୁଝାଇଥିଲେ । ତିନି ଦିନିଆ ପ୍ରଶିକ୍ଷଣ ସମୟରେ ବିପର୍ଯ୍ୟୟ ପରିଚାଳନା ଉଦ୍ଦେଶ୍ୟ, ସହରାଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି, ବିପର୍ଯ୍ୟୟ ପରିଚାଳନା ଯୋଜନା, ସହରୀ ବନ୍ୟା ଏବଂ ଅଗ୍ନିଶମ ପରିଚାଳନା, ବିପଦପୂର୍ଣ୍ଣ ସୂଚନା ପ୍ରଦାନ ଓ ଭୂକମ୍ପ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବିପଦ ହ୍ରାସ, ସହରୀ ସୁବିଧା ଏବଂ ବିପର୍ଯ୍ୟୟ ପରିଚାଳନା, ବିକାଶ ଯୋଜନା ଏବଂ ବିପର୍ଯ୍ୟୟ ସହନଶୀଳତା, ପ୍ରତିରୋଧ ଏବଂ ନିରାପତ୍ତା – ବିପର୍ଯ୍ୟୟ / ମହାମାରୀ ପରିଚାଳନା ସଂକ୍ରାନ୍ତରେ ଓସଡମା, ୟୁନିସେଫ୍‍ ଏବଂ ଅନ୍ୟ ସଂସ୍ଥାମାନେ ଆଲୋଚନା କରିବା ସହିତ ବିପର୍ଯ୍ୟୟ ସମୟରେ କିଭଳି ସହାୟତା କରାଯାଇ ପାରିବ ସେ ନେଇ ବୁଝାଇଥିଲେ । ଏଥିସହ, ଅଂଶଗ୍ରହଣକାରୀମାନେ ଓସଡମା କଣ୍ଟ୍ରୋଲ୍ ରୁମକୁ ଏକ ପରିଦର୍ଶନରେ ଯାଇଥିଲେ ଏବଂ ସେଠାରେ କିଭଳି ଭାବେ ଆଗୁଆ ସତର୍କ ସୂଚନା କାର୍ଯ୍ୟକାରୀ ସହିତ ତାହାକୁ ତଳ ସ୍ତରରେ ପହଞ୍ଚାଯାଉଛି ତାହା ଦେଖିଥିଲେ ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ବିଭିନ୍ନ ବିପର୍ଯ୍ୟୟ ସମୟରେ କିଭଳି ଗୋଷ୍ଠି ସ୍ତରରେ ସଚେତନତା ସୃଷ୍ଟି କରାଯାଇ ପାରିବ ସେଥିପାଇଁ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ସୁଡାର ନିର୍ଦ୍ଦେଶକ ସାରଦା ପଣ୍ଡା ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଷ୍ଟର ଟ୍ରେନରମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ସେମାନେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ପାଇଥିବା ତାଲିମକୁ ଗୋଷ୍ଠି ସ୍ତରରେ ପହଞ୍ଚାଇବା ସହିତ ପ୍ରଭାବି ଢଙ୍ଗରେ କାର୍ଯ୍ୟକାରୀ ପାଇଁ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଇଥିଲା ।