ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିବା ସହିତ ୧୯୯୧ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ତଥା ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଅତିରିକ୍ତ ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ତୁଲାଉଛନ୍ତି ।
୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଧଳ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ସହିତ ଅତିରିକ୍ତ ଭାବେ ଅବକାରୀ ଓ ଏଏସ୍ଆରସି ଦାୟିତ୍ୱ ତୁଲାଉଥିଲେ ।
୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ପଦବୀ ସହିତ ଅତିରିକ୍ତ ଭାବେ ଅବକାରୀ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।
୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ସିଂହ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ସହିତ ଅତିରିକ୍ତ ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବାଣିଜ୍ୟକର ଏବଂ ଜିଏସ୍ଟି କମିଶନର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ସେହିଭଳି ବରିଷ୍ଠ ଆଇଏଏସ୍ ଅଫିସର ଜ୍ଞାନରଞ୍ଜନ ଦାଶଙ୍କୁ ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଦାସ ଓସ୍ଡମାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ।