Home General ଖୋଲିବନି ଆବାସ+ ପୋର୍ଟାଲ

ଖୋଲିବନି ଆବାସ+ ପୋର୍ଟାଲ

ଭୁବନେଶ୍ୱର : ଆବାସ+ ପୋର୍ଟାଲ ଖୋଲିବାପାଇଁ ଓଡିଶା ସରକାରଙ୍କ ଅନୁରୋଧକୁ ପୁଣିଥରେ ପ୍ରତ୍ୟାଖାନ କରିଛନ୍ତି କେନ୍ଦ୍ର ସରକାର । ପୁନଃ ସର୍ଭେ ପାଇଁ ପୋର୍ଟାଲ ଖୋଲିବାଲାଗି କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ଜ୍ୟୋତି ସଂସଦରେ ସ୍ପଷ୍ଟ କରିଛନ୍ତି ।

ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଏହା କହିବା ସହିତ ସୂଚନା ଦେଇଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଜିୱାଇ-ଜି) ଅଧିନରେ ୨୦୧୮ ମସିହା ଜାନୁୟାରୀ ମାସରେ ଆବାସ+ ସର୍ଭେ ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭିକ ଭାବେ ଏହାର ସମୟସୀମା ମାର୍ଚ୍ଚ ୨୦୧୮ ଥିଲା । ଯେଉଁ ହିତାଧିକାରୀମାନେ ୨୦୧୧ ଏସ୍‍ଇସିସି ସର୍ଭେରୁ ବାଦ୍‍ ପଡିଥିଲେ ସେମାନଙ୍କୁ ସାମିଲ ପାଇଁ ଆବାସ+ ସର୍ଭେ ହୋଇଥିଲା ।

ତେବେ ପରବର୍ତ୍ତୀ ସମୟରେ ଏହି ସମୟସୀମାକୁ ୨୦୧୯ ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଫନି ବାତ୍ୟା ପାଇଁ ଓଡିଶାକୁ ସ୍ୱତନ୍ତ୍ର ଭାବେ ପଞ୍ଜିକରଣ ସୁବିଧା ଦିଆଯିବା ସହିତ ସମୟସୀମା ବୃଦ୍ଧି କରାଯାଇଥିଲା । ସେହି ସମୟରେ ଓଡିଶା ୧୩,୨୦,୯୪୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିଥିଲା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆବାସ+ ସର୍ଭେ ସମୟରେ କେନ୍ଦ୍ର ସରକାରଙ୍କ ଆବାସ+ ସର୍ଭେ ସହିତ ରାଜ୍ୟ ସରକାର ବିକଶିତ କରିଥିବା ଗ୍ରାମ୍ୟ ଗୃହ ନିର୍ମାଣ ତଥ୍ୟକୁ ଅର୍ନ୍ତଭୁକ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବହୁ ପରୀକ୍ଷା ନିରୀକ୍ଷା ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିବାରୁ ଓଡିଶା ସମେତ ସେମାନଙ୍କୁ ଆଉ ପୁନଃ ସର୍ଭେ ପାଇଁ ଆବାସ+ ପୋର୍ଟାଲ ଖୋଲାଯିବ ନାହିଁ ।

ଉଲ୍ଲେଖନୀୟ ଯେ ଓଡିଶା ସରକାର ଆବାସ+ ପୋର୍ଟାଲ ଖୋଲିବାପାଇଁ ବାରମ୍ବାର ଦାବି କରୁଛନ୍ତି ଯାହା ଫଳରେ ରାଜ୍ୟ ଗ୍ରାମ୍ୟ ଗୃହନିର୍ମାଣ ତଥ୍ୟ ଜାତୀୟ ପୋର୍ଟାଲକୁ ଯାଇପାରିବ । ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେଡି ବାରମ୍ବାର ରାଜ୍ୟବ୍ୟାପି ଆନ୍ଦୋଳନ ଚଳାଉଛି ।

କେନ୍ଦ୍ର ସରକାର ଓଡିଶାର ୧୫ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ତାହାର ପୂରଣ କରୁନାହାନ୍ତି । ଏହା କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିର ପ୍ରତିଫଳନ ବୋଲି ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି । (ତଥ୍ୟ)