Home General ପର ଘର ଭାଙ୍ଗେ ମଦ ବେପାର

ପର ଘର ଭାଙ୍ଗେ ମଦ ବେପାର

ଭୁବନେଶ୍ୱର : ଯେଉଁ ମଦ ବେପାର ପର ଘର ଭାଙ୍ଗେ ସେଥିରୁ ରାଜସ୍ୱ ପାଇବାପାଇଁ ସରକାର ଆଗ୍ରହ ପ୍ରକାଶ କରୁଛନ୍ତି କାହିଁକି ? ସମାଜରେ ଶୃଙ୍ଖଳା ଓ ସଂସ୍କାର ପ୍ରତିଷ୍ଠା ପରିବର୍ତ୍ତେ ଘରେ ଘରେ ମଦୁଆ ସୃଷ୍ଟି କରିବା ଏବଂ ପର ଘର ଭାଙ୍ଗିବା କାର୍ଯ୍ୟରୁ ସରକାର ନିବୃତ୍ତ ରହିବେ କି ? ଏଥି ସହିତ ରାଜ୍ୟରେ ଯେତେ ଖଇନି, ଗୁଟଖା କାରଖାନା ଅଛି ସେଗୁଡିକୁ ସରକାର କାହିଁକି ବନ୍ଦ କରିଦେଉ ନାହାନ୍ତି ? ସେହିଭଳି ମଦରୁ କେତେ ରାଜସ୍ୱ ଆସେ ? ମଦରୁ ଅଧିକ ରାଜସ୍ୱ ପାଇବାପାଇଁ ସରକାର ଆଉ କେତେ ନୂଆ ମଦଦୋକାନ ଖୋଲିବାପାଇଁ ଲାଇସେନ୍ସ ପ୍ରଦାନ କରିବାକୁ ଯାଉଛନ୍ତି ?

ରାଜ୍ୟ ବିଧାନସଭରେ ଅବକାରୀ ମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ ପଚାରିଛନ୍ତି ବିଜେଡି ବିଧାୟିକା ପଦ୍ମିନୀ ଦିଆନ । ବିଧାୟିକାଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ ରାଜ୍ୟରେ ଖଇନି, ଗୁଟ୍‍ଖା କାରଖାନା ଯେଉଁ ଯେଉଁ ସ୍ଥାନରେ ରହିଛି ସେଗୁଡିକୁ ବନ୍ଦ କରିବା ଅବକାରୀ ବିଭାଗର ପରିସରଭୁକ୍ତ ନୁହେଁ ।

ରାଜ୍ୟରେ ୨୦୨୧-୨୨ ବର୍ଷରେ ରାଜ୍ୟରେ ୫୫୨୮ କୋଟି ୪କ୍ଷ ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଫେବୃୟାରୀ ଶେଷ ସୁଦ୍ଧା ଏହି ପରିମାଣ ୫୫୪୫କୋଟି ୩୪ଲକ୍ଷ ଟଙ୍କାରେ ପହଞ୍ଚିଛି । ୨୦୧୨-୧୩ ମସିହା ଠାରୁ ରାଜ୍ୟରେ ନୂଆ ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ ।

କିନ୍ତୁ ଓଡିଶା ଅବକାରୀ ନିୟମ ୨୦୧୭ର ଅଧିନିୟମ ୨୪ ଓ ୨୯ ଅନୁଯାୟୀ ଜିଲ୍ଲାର କୌଣସି ଅଞ୍ଚଳରେ ଯଦି ଚୋରା ମଦର କାରବାରକୁ ପ୍ରତିହତ କରିବାପାଇଁ ଏବଂ ସେ ଅଞ୍ଚଳରେ ଯଥେଷ୍ଟ ପରିମାଣର ବିଦେଶୀ ମଦ୍ୟ ପାନରେ ଅଭ୍ୟସ୍ତ ଲୋକମାନଙ୍କର ଚାହିଦାକୁ ବିଚାରକୁ ନେଇ ତଦନ୍ତପୂର୍ବକ ନୂତନ ଠିପିଖୋଲା ମଦ ଦୋକାନ ଖୋଲିବାପାଇଁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥାନ୍ତି । ଯାହାକୁ ସରକାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବାପରେ ନୂତନ ଠିପି ଖୋଲା ମଦ ଦୋକାନ ଉକ୍ତ ସ୍ଥାନରେ ଖୋଲା ଯିବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେଇଥାନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ମଦ ଓ ମାଦକ ଦ୍ରବ୍ୟ ଏକ ଅବଗୁଣ ପଦାର୍ଥ ହୋଇଥିବାରୁ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଉଛି । ପ୍ରତ୍ୟେକ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ବିକ୍ରି ହେଇଥିବା ମଦ ବୋତଲରେ ବୈଧାନିକ ସର୍ତକତା ମଧ୍ୟ ଉଲ୍ଲେଖ କରାଯାଇଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଶା ସେବନ କରିବା ବା ନକରିବା ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଚିନ୍ତାଧାରା ଓ ଇଚ୍ଛା ଉପରେ ନିର୍ଭର କରିଥାଏ ।

ବୈଧାନିକ ସର୍ତକତା ସତ୍ୱେ ସମାଜର ପ୍ରତ୍ୟେକ ସ୍ତରରେ ସବୁ ବର୍ଗର ନାଗରିକଙ୍କର ଆନ୍ତରିକତା, ନିଷ୍ଠା ଓ ଉଦ୍ୟମର ଆବଶ୍ୟକତା ହିଁ ସମାଜରେ ଶୃଙ୍ଖଳା ଓ ସଂସ୍କାର ପ୍ରତିଷ୍ଠା ହୋଇପାରିବ । ତେଣୁ ସରକାର ମଦର ପ୍ରସାର ପାଇଁ ଆଗ୍ରହ ଦେଖାଉଥିବା ସମ୍ପର୍କରେ ଅଭିଯୋଗ ତଥ୍ୟ ଆଧାରିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । (ତଥ୍ୟ)