Home Energy ବିଜୁଳି ଚାହିଦା ୬୬୮୨ ମେଗାୱାଟ ହେବ

ବିଜୁଳି ଚାହିଦା ୬୬୮୨ ମେଗାୱାଟ ହେବ

ଭୁବନେଶ୍ୱର : ଆଗାମୀ ଦଶ ବର୍ଷ ପରେ ଅର୍ଥାତ୍‍ ୨୦୩୨-୩୩ ବେଳକୁ ରାଜ୍ୟରେ ହାରାହାରି ୬୬୮୨ ମେଗାୱାଟ ବିଜୁଳିର ଆବଶ୍ୟକ ପଡିବ । ଗ୍ରିଡ୍‍କୋ ପକ୍ଷରୁ ଏହି ଆକଳନ କରାଯାଇଛି ଯାହା କି ବର୍ତ୍ତମାନର ବିଦ୍ୟୁତ୍‍ ଉପଲବ୍ଧ ବିଜୁଳି ଠାରୁ ୨୪୪୦ ମେଗାୱାଟ ଅଧିକ ରହିବ ।

ରାଜ୍ୟର ବିଜୁଳି ଚାହିଦା ସଂକ୍ରାନ୍ତରେ ଗ୍ରିଡ୍‍କୋ କରିଥିବା ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ବିଭିନ୍ନ ସୂତ୍ରରୁ ରାଜ୍ୟକୁ ହାରାହାରି ୪୨୪୨ ମେଗାୱାଟ ବିଜୁଳି ମିଳିଛି । ଆଗାମୀ ଦଶ ବର୍ଷ ପରେ ଏହି ଚାହିଦା ୬୬୮୨ ମେଗାୱାଟ ହେବ । ଗ୍ରିଡ୍‍କୋ ପକ୍ଷରୁ ବର୍ଦ୍ଧିତ ଚାହିଦା ମେଣ୍ଟାଇବାପାଇଁ ବିଭିନ୍ନ ବିଦ୍ୟୁତ୍‍ ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷରିତ କରିଛି ।

ଚୁକ୍ତିନାମା ଅନୁଯାୟୀ ଗ୍ରିଡ୍‍କୋ ତାପଜ ବିଦ୍ୟୁତ୍‍ କେନ୍ଦ୍ରଗୁଡିକରୁ ୨୮୬୫ ମେଗାୱାଟ ବିଜୁଳି ପାଇବ । ଏଥି ମଧ୍ୟରେ ତାଳଚେର ଏନ୍‍ଟିପିସି ଠାରୁ ୬୦୦ ମେଗାୱାଟ, ବିହାରର ହଜାରିବାଦରେ ଥିବା ଉତ୍ତର କାନପୁରା ଏସ୍‍ଟିପିଏସ୍‍ରୁ ୩୯୬ ମେଗାୱାଟ, ଦର୍ଲିପାଲି ଏନ୍‍ଟିପିସିରୁ ୪୦୦ ମେଗାୱାଟ, ଏନ୍‍ଟିପିସିର ଅନ୍ୟଏକ ପ୍ଲାଣ୍ଟରୁ ୨୭୯ ମେଗାୱାଟ, ଝାରସୁଗୁଡାରେ ଥିବା ଏନଏଲସିଆଇଏଲ ତଲାବିରା ତାପଜ ପ୍ରକଳ୍ପରୁ ୮୦୦ ମେଗାୱାଟ ଏବଂ ଓପିଜିସି ଦ୍ୱିତୀୟ ପର୍ଯ୍ୟାୟରୁ ୩୩୦ ମେଗାୱାଟ ବିଦ୍ୟୁତ୍‍ ପାଇବା ପାଇଁ ରାଜିନାମ ସ୍ୱାକ୍ଷରିତ ହୋଇଛି । ଏହି ସମସ୍ତ ତାପଜ କେନ୍ଦ୍ରର ଉତ୍ପାଦନ କ୍ଷମତା ୯୯୪୦ ମେଗାୱାଟ ରହିଛି ।

ସେହିଭଳି ବିଭିନ୍ନ ଜଳବିଦ୍ୟୁତ୍‍ କେନ୍ଦ୍ରରୁ ୮୩୦ ମେଗାୱାଟ ବିଜୁଳି ପାଇବାପାଇଁ ଗ୍ରିଡ୍‍କୋ ରାଜିନାମା କରିଛି । ଏଥି ମଧ୍ୟରେ ଅପର ଇନ୍ଦ୍ରାବତୀରୁ ସର୍ବାଧିକ ୬୦୦ ମେଗାୱାଟ ପାଇବାକୁ ଥିବାବେଳେ ତିସ୍ତା ପ୍ରକଳ୍ପରୁ ୧୦୩ ମେଗାୱାଟ, କନ୍ଧମାଳନର ଖରଗ ଏଚ୍‍ଇପିରୁ ୬୩ ମେଗାୱାଟ, ବୌଦର ସାଲକି ଏଚ୍‍ଇପିରୁ ୪୪ ମେଗାୱାଟ, ଖଡଗପୁର ଏସଏଚଇପିରୁ ୧୬.୫ ମେଗାୱାଟ ଓ ଇନ୍ଦ୍ରାବତୀ ଏସଏଚଇପିରୁ ୩.୫ ମେଗାୱାଟ ଜଳବିଦ୍ୟୁତ୍‍ ପାଇବାପାଇଁ ଚୁକ୍ତିନାମା ହୋଇଛି ।

ସେହିଭଳି ପବନ ଶକ୍ତି କ୍ଷେତ୍ରରୁ ୪୧୬ ମେଗାୱାଟ ପାଇବାର ଲକ୍ଷ୍ୟ ରହିଛି । ଏହି ସମସ୍ତ ଏସ୍‍ଇସିଆଇ ଟ୍ରାଞ୍ଚେରୁ ମିଳିବ । ତେବେ ଏସ୍‍ଇସିଆଇ ଟ୍ରାଞ୍ଚେ-୧୨ ରୁ ସର୍ବାଧିକ ୩୯୦ ମେଗାୱାଟ ପାଇବାର ଲକ୍ଷ୍ୟ ଥିବାବେଳେ ଟ୍ରାଞ୍ଚେ-୪ରୁ ୧୬ ଏବଂ ଟ୍ରାଞ୍ଚେ-୧୧ରୁ ୧୦ ମେଗାୱାଟ ମିଳିବ ।

ସୌରଶକ୍ତି କ୍ଷେତ୍ରରୁ ମଧ୍ୟ ୯୩୯ ମେଗାୱାଟ ବିଜୁଳି ପାଇବାପାଇଁ ଗ୍ରିଡ୍‍କୋ ଚୁକ୍ତିବଦ୍ଧ ହୋଇଛି । ଏଥି ମଧ୍ୟରେ ଏସ୍‍ଇସିଆଇ ଆଇଏସଟିଏସ୍‍ ଉତ୍ପାଦନ ଯୋଜନାରୁ ସର୍ବାଧିକ ୫୦୦ ମେଗାୱାଟ, ଏନଟିପିସି ସୌର ପ୍ରକଳ୍ପରୁ ୪୦୦ ମେଗାୱାଟ, ଓରେଡା ଏସ୍‍ପିଭିରୁ ୨୯ ଏବଂ କୋଣାର୍କ ସୂର୍ଯ୍ୟନଗରୀ ସୌରପ୍ରକଳ୍ପରୁ ୧୦ ମେଗାୱାଟ ମିଳିବ । ମୋଟାମୋଟି ଭାବେ ଜଳବିଦ୍ୟୁତ୍‍, ପବନ ଓ ସୌର ଶକ୍ତି ଭଳି ଅକ୍ଷୟଶକ୍ତି କ୍ଷେତ୍ରରୁ ୨୧୮୫ ମେଗାୱାଟ ବିଜୁଳି ପାଇବାପାଇଁ ଗ୍ରିଡ୍‍କୋ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି । (ତଥ୍ୟ)