ଭୁବନେଶ୍ୱର : ସ୍ୱଳ୍ପ ବେତନଭୋଗୀ ସରକାରୀ ଚାକିରିଆ ଥିବା ବାପାଙ୍କ ମୃତ୍ୟୁପରେ ରୋଗୀଣା ମା’ ଓ ଅନ୍ୟ ୩ ଭାଇ ଭଉଣୀଙ୍କ ପ୍ରତିପୋଷଣ ଲାଗି ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆଧାରରେ ସରକାରୀ ଚାକିରି ଖଣ୍ଡେ ପାଇଁ ଦୀର୍ଘ ୧୨ବର୍ଷ ଧରି ବାରଦୂଆର ଶୁଣ୍ଢିପିଣ୍ଡା ହେବାପରେ ଶେଷରେ ଓଡ଼ିଶା ହାଇକୋର୍ଟ ଆବେଦନକାରୀଙ୍କ ସପକ୍ଷରେ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ଏଥିଯୋଗୁ ଆବେଦନକାରୀଙ୍କ ନିଯୁକ୍ତି ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଏ ପ୍ରସଙ୍ଗରେ ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ୨୪ପୃଷ୍ଠା ସମ୍ବଳିତ ବିସ୍ତୃତ ରାୟ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରାୟ ୧୨ବର୍ଷ ତଳେ ଅବକାରୀ ବିଭାଗର ୨ଜଣ ଏଏସ୍ଆଇଙ୍କ ମୃତ୍ୟୁ ଘଟିଥିଲା । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ ମୃତ କର୍ମଚାରୀଙ୍କ ପୁଅ ମଳୟାନନ୍ଦ ସେଠୀଙ୍କୁ ସରକାର ନିଯୁକ୍ତି ଦେଇଥିବାବେଳେ ଆଇନରେ ବ୍ୟବସ୍ଥା ସତ୍ତ୍ୱେ ଅଦାଲତଙ୍କ ରାୟ ନଥିବାରୁ ଅନ୍ୟଜଣେ ମୃତ ଏଏସ୍ଆଇ ସୁରେନ୍ଦ୍ର କୁମାର ପାଢୀଙ୍କ ପୁଅ ଅନିଲ ପାଢୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ ।
ମୃତ କର୍ମଚାରୀଙ୍କ ପରିବାରର ସହମତି କ୍ରମେ ଅନିଲ ପିତାଙ୍କ ମୃତ୍ୟୁ ପରେ ପରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ । କର୍ତ୍ତୃପକ୍ଷ ତାଙ୍କ ଆବେଦନଟିକୁ ଗ୍ରହଣ କରିନେଇ ଜିଲ୍ଲାପାଳଙ୍କ ଠାରୁ ପରିବାରର ଦୟନୀୟ ଆର୍ଥିକ ସ୍ଥିତି ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ତାଙ୍କ ବିଧବା ମା’ଙ୍କ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ମେଡିକାଲ ବୋର୍ଡରୁ ରିପୋର୍ଟ ନେଇଥିଲେ । ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ ଅବକାରୀ କମିଶନର ଏକ ଲିଖିତ ପତ୍ରରେ ଅନିଲଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦିଆଯିବ ବୋଲି ୨୦୧୩ ମସିହାରେ ସୂଚାଇ ଥିଲେ ।
ଇତି ମଧ୍ୟରେ ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ ୨୦୧୬ ଓ ୨୦୨୦ରେ ବଦଳାଯାଇ ନୂଆ ଆଇନ ଅଣାଯାଇଥିବାରୁ ଅନିଲଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଭୁବନେଶ୍ୱର କଟକର ବିଭିନ୍ନ ଦପ୍ତରକୁ ଚାକିରି ଖଣ୍ଡେ ପାଇଁ ଦୌଡି ଦୌଡି ହାଲିଆ ହେବାପରେ ଅନିଲ ବାଧ୍ୟହୋଇ ଓଡିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଏବଂ ଅଭିଜ୍ଞ ଓକିଲ ପ୍ରହଲ୍ଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲା ଓଡିଶା ହାଇକୋର୍ଟରେ ଲଢୁଥିଲେ ।
ସେମାନେ ଆଇନର ତର୍ଜମା ସହ ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କ ବହୁ ରାୟର ନଜିର ଏବଂ ଅନୁରୂପ ଘଟଣାରେ ଓଡିଶା ସରକାର ଦେଇଥିବା ନିଯୁକ୍ତି ସଂକ୍ରାନ୍ତୀୟ ପ୍ରମାଣପତ୍ର ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଆଇନଗତ ପ୍ରାବଧାନ ଓ ମାନବିକତା ଦୃଷ୍ଟିରୁ ସରକାର ନିଜ ଆଇନ ଓ ପ୍ରତିଶ୍ରୁତିର ନିଜେ ଅନୁପାଳନ କରି ଆବେଦନକାରୀଙ୍କୁ ତୁରନ୍ତ ତୃତୀୟ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦେବାକୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଶ୍ରୀ ଏସ୍ କେ ସାମଲ ଆବେଦନକାରୀଙ୍କ ଯୁକ୍ତିର ଦୃଢ ବିରୋଧ କରିଥିଲେ ।
ହାଇକୋର୍ଟ ଏହି ମାମଲାର ରାୟରେ ଦର୍ଶାଇଛନ୍ତି ଯେ, ଯେଉଁ ଆଧାରରେ ମଳୟାନନ୍ଦ ସେଠୀଙ୍କୁ କନିଷ୍ଠ କିରାଣି ଭାବେ ଅବକାରୀ ବିଭାଗ ନିଯୁକ୍ତି ଦେଇଛନ୍ତି ସେହି ଆଧାରରେ ସମାନ ପଦବୀରେ ଆବେଦନକାରୀ ଅନିଲ ପାଢୀଙ୍କୁ ନିଯୁକ୍ତି ଦେବା ଲାଗି କର୍ତ୍ତୃପକ୍ଷ ୪ ସପ୍ତାହ ମଧ୍ୟରେ ପଦକ୍ଷେପ ନେବା ଆବଶ୍ୟକ ।
ଆବେଦନକାରୀଙ୍କ ବାପାଙ୍କ ମୃତ୍ୟୁ ଓ ପରିବାରର ସହମତି ଭିତ୍ତିରେ ଚାକିରି ପାଇଁ ଆବେଦନ କରିବା ବେଳକୁ ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ ବଳବତ୍ତର ଥିଲା ଏବଂ ଏହି ଆଧାରରେ ଆବେଦନକାରୀଙ୍କ ପରିବାରର ଆର୍ଥିକ ଦୁସ୍ଥିତିର ଆକଳନ କରି ଅବକାରୀ କମିଶନର ଅନିଲଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦିଆଯିବ ବୋଲି ଜଣାଇଥିଲେ ।
ପରବର୍ତ୍ତୀ ସମୟରେ ନୂଆ ଆଇନ ଅଣାଯାଇଥିଲେ ମଧ୍ୟ ପୁରୁଣା ଆଇନ ବଳବତ୍ତର ଥିବା ସମୟରେ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ କଥା ସେହି ପୁରୁଣା ଆଇନ ଆଧାରରେ ହିଁ ବିଚାର ହେବ ବୋଲି ସୁପ୍ରିମ୍କୋର୍ଟ ମଳୟାନନ୍ଦ ସେଠୀ ଓ ଅନ୍ୟ କେତେକ ମାମଲାରେ ସ୍ପଷ୍ଟ କରିଥିବା ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ।
ଯେଉଁ ପୁରୁଣା ଆଇନ ଆଧାରରେ ଆବେଦନକାରୀ ଚାକିରି ପାଇଁ ନିବେଦନ କରିଥିଲେ ସେହି ଆଇନର ବ୍ୟବସ୍ଥା ଭିତରେ ତାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗର ବିଚାର କରାଯିବା ଉଚିତ୍ ବୋଲି ଉଲ୍ଲେଖ କରି ବିଚାରପତି ଶ୍ରୀ ମିଶ୍ର ୧୨ବର୍ଷ ଧରି ଲାଗି ରହିଥିବା ଏହି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇବାରେ ଅନୀଲଙ୍କ ଚାକିରି ପାଇବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।
(ତଥ୍ୟ)