ଭୁବନେଶ୍ୱର : କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଏମ୍ସ ପ୍ଲସ କରିବାପାଇଁ ରାଜ୍ୟ ସରକାର ୧୬୪୦.୮୭ କୋଟି ଟଙ୍କା ଦେଇ ସାରିଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇ ପର୍ଯ୍ୟାୟରେ ଏହି ମେଡିକାଲ କଲେଜର ବିକାଶ ସହିତ ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ କରିବାକୁ ଯୋଜନା ହୋଇଛି ।
ତଦନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୪୪୭୪ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ଯାହା ୨୦୨୪ ସୁଦ୍ଧା ସମାପ୍ତ ହେବ । ଓଡିଶା ସେତୁ ଏବଂ ନିର୍ମାଣ ନିଗମ ଏହାକୁ କାର୍ଯ୍ୟକାରୀ କରୁଥିବାବେଳେ ଏହାର ଚିକିତ୍ସା ବିଭାଗର ନିର୍ମାଣ ଦାୟିତ୍ୱ ଏଲଆଣ୍ଡଟିକୁ ଦିଆଯାଇଛି ଯାହାର ବ୍ୟୟବରାଦ ୨୬୩୬.୨୦ କୋଟି ଟଙ୍କା ରହିଛି । ସେହିଭଳି ଏନ୍ସିସି ଲିମିଟେଡ ୮୮୮.୫୦ କୋଟି ଟଙ୍କା ବ୍ୟୟରେ ଆବାସିକ ଗୃହ ନିର୍ମାଣ କରିବ ।
ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ୪୪୭୪.୪୯ କୋଟି ଟଙ୍କା ମଞ୍ଜୁରୀ ମିଳିଥିବାବେଳେ ଓବିସିସିକୁ ୧୬୪୦.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ଚଳିତବର୍ଷ ଫେବୃୟାରୀ ୨୧ ତାରିଖ ସୁଦ୍ଧା ୭୦୬.୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ୭୯ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୧-୨୨ ବରେ ୫୮୧.୮୭ କୋଟି ଏବଂ ୨୦୨୨-୨୩ ବର୍ଷରେ ୯୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ଓବିସିସିକୁ ମିଳିଥିବା ଅର୍ଥ ମଧ୍ୟରୁ ୨୦୨୦-୨୧ ବର୍ଷରେ ୧୨.୪୫ କୋଟି ଟଙ୍କା ବ୍ୟୟ କରିଥିବାବେଳେ ୨୦୨୧-୨୨ ବର୍ଷରେ ୪୭.୭୯ କୋଟି ଟଙ୍କା ଏବଂ ୨୦୨୨-୨୩ ବର୍ଷରେ ୬୪୬.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କୋଭିଡ ମହାମାରୀ ଯୋଗୁଁ ୨୦୨୧-୨୨ ବର୍ଷରେ ଅର୍ଥ ବ୍ୟୟ ଧିମେଇ ଯାଇଥିବା ଅଧିକାରୀମାନେ ସ୍ୱୀକାର କରିଛନ୍ତି । ଯୋଜନା ଅନୁଯାୟୀ ୪ଟି ଚିକିତ୍ସା ବ୍ଲକ ଓ ୨ଟି ଉପଯୋଗିତା ବ୍ଲକ ରହିବ ଯାହା କି ଏଲଆଣ୍ଡିଟି ଦ୍ୱାରା ନିର୍ମାଣ ହେବ । ଏହି ୪ଟି ଚିକିତ୍ସା ବ୍ଲକ ମଧ୍ୟରେ ଭେଷଜ, ବିଶେଷଜ୍ଞ ଔଷଧ, ବିଶେଷଜ୍ଞ ଶଲ୍ୟ ଏବଂ ସାଧାରଣ ଶଲ୍ୟ ଓ ଟ୍ରାଉମା ଆଦି ରହିବ ।
ପ୍ରକଳ୍ପ ସରିବାପରେ ଏସ୍ସିବି ମେଡିକାଲ କଲେଜରେ ଆଇପିଡି ଶଯ୍ୟା ସଂଖ୍ୟା ୨୧୮୨ ରୁ ୪୨୪୦କୁ ବୃଦ୍ଧି ପାଇବ । ଅନୁରୂପ ଭାବେ ସରକାର ଆବାସିକ ଗୃହ ପାଇଁ ୧୩ଟି କୋଠା ନିର୍ମାଣ କରୁଛନ୍ତି ଯେଉଁଥିରେ ୨୨୭୮ଟି କୋଠାରୀ ରହିବ । ଏହାର ନାମ କାଠଯୋଡି, ବିରୂପା ଓ ମହାନଦୀ ଆଦି ରଖାଯିବ ।
ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ଖେଳପଡିଆର ବିକାଶ, ପାର୍କିଂ, ଧର୍ମଶାଳା, ବୋଷ ଅତିଥିଭବନ, ବିହନ ନିଗମ କୋଠା, ଉଠା ଜଳସେଚନ କ୍ୱାର୍ଟର, ଏସ୍ଆରସି ଅଫିସ କୋଠା, ଚମଡା ନିଗମ କୋଠା, ଟେକ୍ସଟାଇଲ୍ ଅଫିସ, ୩ଟି ଫୁଟଓଭର ବ୍ରିଜ, ରେଡକ୍ରସ ବ୍ଲଡ ବ୍ୟାଙ୍କ୍, ଏସ୍ଟିପି, ଆହାର କେନ୍ଦ୍ର ଆଦିର ବିକାଶ ୧୩୦.୧୮ କୋଟି ଟଙ୍କା ବ୍ୟୟରେ କରାଯାଉଛି । ସେହିଭଳି ଜଳଯୋଗାଣ, ପାଇପ୍ଲାଇନ୍, ବିଦ୍ୟୁତ୍ ତାର ଓ ଖୁଣ୍ଟ, ସ୍ୱରେଜ, ଡ୍ରେନ ଆଦିର ସ୍ଥାନାନ୍ତର, ଗଛ କଟା, ବୃକ୍ଷରୋପଣ ଆଦି ପାଇଁ ୧୨.୫୯ କୋଟି ଟଙ୍କାର ବ୍ୟବସ୍ଥା ରହିଛି । (ତଥ୍ୟ)