ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ ଭେଣ୍ଡିଂ ଜୋନ୍ ହୋଇଥିବାବେଳେ ବିଭିନ୍ନ ଗହଳି ସ୍ଥାନରୁ ଏହାକୁ ସ୍ଥାନାନ୍ତର ଲାଗି ହୋଇଥିବା ନିଷ୍ପତ୍ତି ଏବେ ଶୀତଳଭଣ୍ଡାରରେ । ରାସ୍ତାପାଶ୍ୱର୍ରେ ଥିବା ଭେଣ୍ଡିଂ ଜୋନ୍ଗୁଡିକୁ ସ୍ଥାନାନ୍ତର କରାଯାଇ ପାରୁନଥିବାରୁ ସହରର ବିଭିନ୍ନ ସ୍ଥାନରେ ସଂଧ୍ୟା ସମୟରୋ ଯା ଆସ ଏକ ପ୍ରକାର ଠପ୍ ହୋଇଯାଉଛି ।
ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଭେଣ୍ଡିଂ ଜୋନ୍ ଗଢି ଉଠିଥିବାବେଳେ ଏଠାରେ ଥିବା ଦୋକାନକୁ ଲୋକେ ରାସ୍ତାଉପରେ ଗାଡିମୋଟର ରଖି ଯାଉଛନ୍ତି । ଫଳରେ ଭେଣ୍ଡିଂ ଜୋନ୍ ଥିବା ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଦେଖି କେତେକ ଗହଳିପୂର୍ଣ୍ଣ ସ୍ଥାନରୁ ଏହାକୁ ଉଠାଇ ପାର୍କିଂ ସୁବିଧା ଥିବା ସ୍ଥାନରେ ବସାଇବାପାଇଁ ବିଏମ୍ସି ନିଷ୍ପତ୍ତି ହୋଇଥିଲା । ବିଏମ୍ସିର ନିଷ୍ପତ୍ତି ପରେ ସହରବାସୀ ଟ୍ରାଫିକ ସମସ୍ୟାକୁ ମୁକ୍ତି ପାଇବେ ବୋଲି ଆଶା କରିଥିଲେ ।
ହେଲେ ବିଏମ୍ସିର ଏହି ନିଷ୍ପତ୍ତି ଏବେ ଶୀତଳଭଣ୍ଡାରରେ । ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗୋଟିଏ ହେଲେ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତର କରାଯାଇ ପାରୁନାହିଁ । ଫଳରେ ଲୋକେ ଏବେ ବି ରାସ୍ତା ଉପରେ ଗାଡିମୋଟର ରଖି ଭେଣ୍ଡିଂ ଜୋନ୍ରେ ଥିବା ପୁସ୍ତକ ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟଫୁଡ୍ ଦୋକାନ ପର୍ଯ୍ୟନ୍ତ ସବୁଠାକୁ ଯାଉଛନ୍ତି ।
ତେବେ ଉଦ୍ବେଗର ବିଷୟ ହେଉଛି ବିଭିନ୍ନ ଶିକ୍ଷାନୁଷ୍ଠାନ ପାଚେରୀକୁ ଲାଗି ଭେଣ୍ଡିଂ ଜୋନ୍ ନିର୍ମାଣ ଏବେ ଗୁରୁତର ସମସ୍ୟା ଉପୁଯାଉଛି । ଏଠାକୁ ଖାଲି ବିଦ୍ୟାଳୟର ପିଲାମାନେ ଲୁଚି ଛପି ଯାଉ ନାହାନ୍ତି ଏଠାରେ ସାଧାରଣ ଲୋକେ ଓ ଗାଡିମୋଟରର ଗହଳି ମଧ୍ୟ ପରିଲକ୍ଷିତ ହେଉଛି । ଏଭଳି ଭେଣ୍ଡିଂ ଜୋନ୍ ସବୁ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ, ଷ୍ଟୁଆର୍ଟ ସ୍କୁଲ ଆଦି ପାଚେରୀ କଡରେ ଗଢି ଉଠିଛି । ଏଗୁଡିକୁ ସ୍ଥାନାନ୍ତର ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି ।
ଭେଣ୍ଡିଂ ଜୋନ୍ ନିର୍ମାଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କିମ୍ବା ପାରିପାଶ୍ୱର୍ିକ ସ୍ଥିତିକୁ ନଜର ଦିଆନଯିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି । କେତେକ ସ୍ଥାନରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ୱେ ଭେଣ୍ଡିଂ ଜୋନ୍ ନିର୍ମାଣ ହେଉଛି । ଏଭଳି ସ୍ଥିତି ନୀଳାଦ୍ରୀବିହାର ଅଞ୍ଚଳର ବୁଦ୍ଧପାର୍କ ଆଖପାଖରେ ଦେଖିବାକୁ ମିଳୁଛି । ଏଠାରେ ଭେଣ୍ଡିଂ ଜୋନ୍ ସ୍ଥାପନକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାବେଳେ ସେମାନଙ୍କ ମତକୁ ଅଣଦେଖା କରାଯାଉଛି ।
ଅଧିକାଂଶ ସ୍ଥାନରେ ଭେଣ୍ଡିଂ ଜୋନ୍ ନେଉଥିବା ଅସଲି ମାଲିକ ଦୋକାନ କରିବା ବଦଳରେ ତାହାକୁ ଭଡାରେ ଦେଇଦେବା ଓ ଭେଣ୍ଡିଂଜୋନ୍ରେ ପାନ ଗୁଟ୍ଖା ଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି ହେବା ଯୋଗୁଁ ଲୋକେ ଏହାକୁ ବିରୋଧ କରୁଛନ୍ତି । ତେଣୁ ଭେଣ୍ଡିଂ ଜୋନ୍ରେ କିଏ କେଉଁ ପ୍ରକାର ଦୋକାନ କରୁଛି ତାହାର ନିୟମିତ ତଦାରଖ ସହିତ ପାର୍କିଂ ସ୍ଥାନ ନଥିବା ଅଞ୍ଚଳରେ ଥିବା ଭେଣ୍ଡିଂ ଜୋନ୍ଗୁଡିକୁ ତୁରନ୍ତ ସ୍ଥାନାନ୍ତର ଲାଗି ଦାବି ହେଉଛି । (ତଥ୍ୟ)