ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କ ଆନ୍ଦୋଳନ ସମୟରେ ପୁଲିସ୍ ଅତ୍ୟାଚାର ବିରୁଦ୍ଧରେ ବିଜେପି ବିଧାୟକମାନେ ଗୃହ କାର୍ଯ୍ୟ ଆରମ୍ଭରୁ ହଟଗୋଳ କରିବା ଯୋଗୁଁ ପ୍ରଶ୍ନକାଳ ଚାଲିପାରି ନଥିଲା ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ନିଜ ଆସନରେ ଛିଡାହୋଇ ଏହି ପ୍ରସଙ୍ଗ ଉଠାଇଥିଲେ । ହେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉତ୍ତର ରଖିବାପାଇଁ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଡାକିଥିଲେ । ଶ୍ରୀ ସ୍ୱାଇଁ ତାଙ୍କ ଉତ୍ତର ରଖୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ଫଟୋ ଦେଖାଇବା ସହିତ ପୁଲିସ୍ ଅତ୍ୟାଚାର ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ ।
ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ୱେ ବିଜେପି ସଦସ୍ୟମାନେ ହଟଗୋଳ ଜାରି ରଖିଥିଲେ । ମନ୍ତ୍ରୀ ମଧ୍ୟ ତାଙ୍କ ଉତ୍ତର ପଢି ଚାଲିଥିଲେ । ହେଲେ ପାଟିତୁଣ୍ଡ ଯୋଗୁଁ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନଥିଲା । ତେବେ ବିଜେପି ସଦସ୍ୟଙ୍କ ହଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀ ଆରୁଖ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିଜେପି ସଦସ୍ୟମାନେ ପୁର୍ନବାର ଗୃହ ମଧ୍ୟମକୁ ଆସି ହଟଗୋଳ କରିଥିଲେ । ଏହାପରେ ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।
ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱାଭାବିକ ହୋଇଥିବାବେଳେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାରଭଙ୍ଗ ନୋଟିସ ଦେଇଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରିବା ସହିତ ପରୀକ୍ଷା ନିରୀକ୍ଷା କରି ରୁଲିଂ ଦେବେ ବୋଲି କହିଥିଲେ । ହେଲେ ଏହା ଉପରେ ତୁରନ୍ତ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟମାନେ ଗୃହରେ ହଟଗୋଳ କରିଥିବାବେଳେ ବିଜେପି ସଦସ୍ୟମାନେ ପୁଲିସ୍ ଅତ୍ୟାଚାର ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ । ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।