Home Finance ବଜେଟ୍‍ ଆକାର ୩.୧୫ଲକ୍ଷ କୋଟି

ବଜେଟ୍‍ ଆକାର ୩.୧୫ଲକ୍ଷ କୋଟି

ଭୁବନେଶ୍ୱର : ଦୃଢ ଆର୍ଥିକ ପରିଚାଳନା ଓ ବର୍ତ୍ତମାନର ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‍ ଆକାର ୩.୧୫ କୋଟି ଟଙ୍କା ହେବାର ଆକଳନ କରାଯାଇଛି । ନିକଟରେ ଅର୍ଥ ବିଭାଗ ପକ୍ଷରୁ ଷ୍ଟେଟ ଫିସକାଲ ଷ୍ଟ୍ରାଟେଜି ପେପର ପ୍ରକାଶିତ ହୋଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‍ ପରିମାଣ ୨ଲକ୍ଷ କୋଟି ଟଙ୍କା ଥିବାବେଳେ ଏହା ପୂର୍ବବର୍ଷ ତୁଳନାରେ ୧୭.୬ ପ୍ରତିଶତ ଅଧିକ ରହିଥିଲା । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‍ ପରିମାଣ ୨.୩୦ ଲକ୍ଷ କୋଟି ଟଙ୍କା ହୋଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା ୧୨.୫ ପ୍ରତିଶତ ଅଧିକ ରହିଛି । ତେବେ ୨୦୨୪-୨୫ ବର୍ଷରେ ବଜେଟ୍‍ ଆକାର ୨.୫୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବାବେଳେ ୨୦୨୫-୨୬ ଏହା ୨.୮୫ ଲକ୍ଷ କୋଟି ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ଏହା ୩.୧୫ଲକ୍ଷ କୋଟିରେ ପହଞ୍ଚିବାର ପୂର୍ବାନୁମାନ କରାଯାଇଛି ।

ଗତ ଆଠବର୍ଷ ମଧ୍ୟରେ ଓଡିଶାର ଆର୍ଥିକ ଅଭିବୃଦ୍ଧି ହାରାହାରି ୮.୧ ପ୍ରତିଶତ ରହିଛି । ଏହା ଜାତୀୟ ଜିଡିପି ଅଭିବୃଦ୍ଧି ଠାରୁ ଆଗରେ ରହିଥିବାବେଳେ ଦେଶର ଆର୍ଥିକ ଅଭିବୃଦ୍ଧି ଠାରୁ ମଧ୍ୟ ଅଧିକ ରହିଛି । ଫଳ ସ୍ୱରୂପ ଦେଶର ଆର୍ଥିକ ବିକାଶରେ ରାଜ୍ୟର ଅଂଶ ଜିଡିପିର ୨.୫ ପ୍ରତିଶତ ରହିଛି ।

୨୦୨୧-୨୨ ବର୍ଷରେ ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ରହିଥିଲା । ଏହାର ପୂର୍ବବର୍ଷ ଅର୍ଥାତ୍‍ ୨୦୨୦-୨୧ ବର୍ଷରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଏଭଳି ସଫଳତା ମିଳିଥିଲା । କୋଭିଡ ମହାମାରୀ ଯୋଗୁଁ ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର -୫ ପ୍ରତଶତ ରହିଥିଲା । ତେବେ ସେହିବର୍ଷ ଓମିକ୍ରନ ପ୍ରଭାବ ସତ୍ୱେ ଅର୍ଥନୀତି ସୁଧୁରିବାରେ ଲାଗିଥିଲା ।

ତେବେ ସାମୂହିକ ଟିକାକରଣ ଏବଂ ରାଜ୍ୟ ସରକାରଙ୍କର ସଫଳ ସ୍ୱାସ୍ଥ୍ୟସେବା ପଦକ୍ଷେପ ଯୋଗୁଁ ଅର୍ଥନୀତି ଉପରେ ଓମିକ୍ରନ ପ୍ରତିକୂଳ ପ୍ରଭାବ ପକାଇ ପାରିନଥିଲା । ୨୦୨୧-୨୨ ବର୍ଷରେ ଆର୍ଥିକ ଅଭିବୃଦ୍ଧି ଦୁଇ ଅଙ୍କରେ ପହଞ୍ଚିଥିଲେ ମଧ୍ୟ ୨୦୨୨-୨୩ ରେ ଏହା ୭.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି । (ତଥ୍ୟ)