ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ ନିମନ୍ତେ ଓଡ଼ିଆ ଛାଛ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାର ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି ।
ୟୁ.ପି.ଏସ୍.ସି. ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କୁ ସାକ୍ଷାତକାର ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଇବା ଲକ୍ଷରେ ମକ୍ ଇଣ୍ଟରଭ୍ୟୁ ସେଲ୍ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀରେ ପ୍ରତିଷ୍ଠା କରାଯାଇଛି । ଏହାକୁ ଏକାଡେମୀ ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା ଉଦ୍ଘାଟନ କରିଥିଲେ ।
ପ୍ରାରମ୍ଭିକ ଭାବେ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୧ ଜଣ ଓଡ଼ିଆ ଛାତ୍ର ଛାତ୍ରୀଙ୍କ ମକ୍ ଇଣ୍ଟରଭ୍ୟୁ କରାଯାଇଛି । ପରୀକ୍ଷାର୍ଥୀ ମାନେ ବିଭିନ୍ନ ସ୍ଥାନରେ ରହୁଥିବାରୁ ଅନ୍ଲାଇନ୍ ମାଧ୍ୟମରେ ଗତମାସ ୯ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ମକ୍ ଇଣ୍ଟରଭ୍ୟୁ କରାଯାଇଥିଲା । ଏତଦ୍ ବ୍ୟତିତ ବିଷୟବସ୍ତୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ଓଡ଼ିଶା ଇତିହାସ, ସଂସ୍କୃତି, ସାଂପ୍ରତିକ ଘଟଣାବଳୀ ସଂପର୍କରେ ବିଭିନ୍ନ ବିଷୟ ଭିତ୍ତିକ ସ୍ୱତନ୍ତ୍ର ତଥ୍ୟ ପରୀକ୍ଷାର୍ଥୀ ମାନଙ୍କୁ ପ୍ରଦାନ କରାଯାଉଛି ।
ଏହି ମକ୍ ଇଣ୍ଟରଭ୍ୟୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, କଟକ ମହାନଗର ନିଗମ କମିଶନର ଶ୍ରୀ ନିଖିଲ୍ ପୱନ କଲ୍ୟାଣ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା, ଶ୍ରୀ ଅଖିଳ ବିହାରୀ ଓତା, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର କେ.ଭି.ଡି ପ୍ରକାଶ ପ୍ରମୁଖଙ୍କ ଦ୍ୱାରା ମକ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେଉଛି । ଏଥିସହ ୨୦୨୧ ମସିହା ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପ୍ରଥମେଶ ଏବଂ ସୁଶ୍ରୀ ରୀନା ପ୍ରଧାନ ପରୀକ୍ଷାର୍ଥୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି ।
ଏଭଳି ବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିବା ସହ ବରିଷ୍ଠ ଅଧିକାରୀ ମାନଙ୍କ ପରାମର୍ଶ ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଉକ୍ତ ପଦକ୍ଷେପ ନିମନ୍ତେ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଏଭଳି ବ୍ୟବସ୍ଥା ପ୍ରତିବର୍ଷ ଜାରି ରହିଲେ ଓଡ଼ିଆ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ କୃତକାର୍ଯ୍ୟ ହୋଇପାରିବେ ବୋଲି ସେମାନେ ଉଲ୍ଲେଖ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ବିଭାଗ ଯୁଗ୍ମ ସଚିବ ଶ୍ରୀ ମନିଷ ଅଗ୍ରୱାଲ୍, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଉପ ମହାନିର୍ଦ୍ଦେଶକ ଶ୍ରୀ ପ୍ରତାପ କୁମାର ମିଶ୍ର, ଅତିରିକ୍ତ କମିଶନର୍ ଡଃ ହିମାଂଶୁ ଭୁଷଣ ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବିଭୁତି ଭୂଷଣ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ କାନନବାଳା ନାୟକ, ଉପ ନିର୍ଦ୍ଦେଶକ ଡଃ ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।