ଭୁବନେଶ୍ୱର : ଓଡିଶାରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ବେଆଇନ୍ ଭାବେ ଉପଭୋକ୍ତାଙ୍କ ଠାରୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରୁଛି । ଟାଟା ପାୱାର ସହିତ ହୋଇଥିବା ଚୁକ୍ତିରେ ଏହା ଉଲ୍ଲେଖ ନଥିବାବେଳେ କମ୍ପାନୀ ଗରିବ ଲୋକଙ୍କ ଉପରେ ଜୁଲମ ଚଳାଇଥିବା କହିଛନ୍ତି ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ।
ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଟାଟା ପାୱାର ଏବେ ଗୁଣ୍ଡା ଲଗାଇ ଲୋକଙ୍କ ଠାରୁ ଏହି ବକେୟା ଅଦାୟ କରୁଛି । ଯିଏ ବକେୟା ଅର୍ଥ ଦେଉ ନାହାନ୍ତି ସେମାନଙ୍କ ଲାଇନ୍ କାଟି ଦେଉଛନ୍ତି । କେବଳ ଲାଇନ୍ କାଟୁ ନାହାନ୍ତି, ଉପଭୋକ୍ତାଙ୍କୁ ବିଚିତ୍ର ବିଲ୍ ବି ଧରାଉଛନ୍ତି । ଏପରିକି ଗୋଟିଏ ବଲ୍ ଜାଳୁଥିବା ଲୋକଙ୍କର ଲକ୍ଷେ ଟଙ୍କିଆ ବିଲ୍ ଆସୁଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି ।
ଗରିବ ଲୋକେ ଏବେ ସେମାନଙ୍କର ବକେୟା ଦେଇପାରୁ ନାହାନ୍ତି । ଗାଁ ଗହଳରେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଲାଣି । ପିଲାଙ୍କର ଏବେ ପରୀକ୍ଷା ସମୟ । ଖରାଦିନ ବି ଆସି ଗଲାଣି । ହେଲେ ଟାଟା ପାୱାରର ଏଭଳି ବକେୟା ଆଦାୟ ଓ ଲାଇନ୍ କାଟ୍ ଲୋକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କଲାଣି । ବାଚସ୍ପତି ଏହା ଉପରେ ରୁଲିଂ ଦେବାପାଇଁ ଶ୍ରୀ ମିଶ୍ର ଦାବି କରିଥିଲେ ।
ସେହିଭଳି ଶୂନ୍ୟକାଳରେ ବିଜେପି ସଦସ୍ୟ କୁସୁମ ଟେଟେ କହିଥିଲେ ଯେ ସୁନ୍ଦରଗଡ ଜିଲ୍ଲାରେ ବିପିଏଲ୍ ହିତାଧିକାରୀଙ୍କ ପାଇଁ ଲାଗିଥିବା ଟ୍ରାନ୍ସଫର୍ମରଗୁଡିକ ଚୋରି ହେଲେ ତାହା ବର୍ଷ ବର୍ଷ ଧରି ଲାଗୁନାହିଁ । ଚୋରି ମାମଲା ଦାଏର କଲେ ତାହା ବର୍ଷ ବର୍ଷ ଧରି ଗଡୁଛି ।
ଆଗକୁ ପିଲାଙ୍କର ପରୀକ୍ଷା ଋତୁ ଆସୁଥିବାବେଳେ ଯଦି ଟ୍ରାନ୍ସଫର୍ମର ନଲାଗିବ ତେବେ ପିଲାଏ ପାଠପଢି ପାରିବେ ନାହିଁ । ତେବେ ଯେଉଁଠାରେ ବିପିଏଲ୍ ଟ୍ରାନ୍ସଫର୍ମର ଚୋରି ହୋଇଛି ଓ ସେଠାରେ ଅନ୍ୟ ଟ୍ରାନ୍ସଫର୍ମରୁ ବିଦ୍ୟୁତ୍ ଦେବାପାଇଁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।