ଭୁବନେଶ୍ୱର : ଆଜି ବିଧାନସଭାରେ ଦୁଇଟି ଗଣମାଧ୍ୟମ ବିରୁଦ୍ଧରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଇଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାହାକୁ ଗ୍ରହଣ କରିଛନ୍ତି । ଦୁଇଟି ଗଣମାଧ୍ୟମ ସଂସ୍ଥା ମଧ୍ୟରୁ ଗୋଟିଏ ଦୈନିକ ଇଂରାଜୀ ଖବରକାଗଜ ହୋଇଥିବାବେଳେ ଆଉ ଗୋଟିଏ ଟିଭି ଚ୍ୟାନେଲ ରହିଛି ।
ଶୂନ୍ୟକାଳରେ ବାଚସ୍ପତି ଏହି ନୋଟିସ୍କୁ ଗ୍ରହଣ କରିବା ସହିତ ଏହା ଉପରେ ମତ ରଖିବାକୁ କହିଥିଲେ । ଶ୍ରୀ ଶତପଥୀ କହିଥିଲେ ଯେ ଗତ କାଲି ମୋସନ ଆଲୋଚନା ସମୟରେ ବିରୋଧିଦଳ ନେତା ଦେଇଥିବା କେତେକ ଟିପ୍ପଣୀକୁ ଗୃହର ବିବରଣୀରୁ ବାଦ ଦେବାପାଇଁ ବାଚସ୍ପତି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହ ଦୁଇ ଗଣମାଧ୍ୟମ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି ସେମାନଙ୍କ ଗଣମାଧ୍ୟମରେ ଏହା ପ୍ରକାଶ କରିଛନ୍ତି ।
ବାଚସ୍ପତଙ୍କ ନିର୍ଦ୍ଦେଶକୁ ଏଭଳି ଅବମାନନା କରାଗଲେ ଗୃହର ମର୍ଯ୍ୟାଦା ରହିବନାହିଁ । ତେଣୁ ବାଚସ୍ପତି ଏହି ନୋଟିସ୍ ଉପରେ ତୁରନ୍ତ ବିଚାର କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରୀ ଶତପଥୀ ଦାବି କରିଥିଲେ ।
ସେହିଭଳି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ମଧ୍ୟ ବାଚସ୍ପତିଙ୍କ ନିୟମକୁ ଉଲ୍ଲଙ୍ଘନ କରିଥିବା ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟ ରଖୁଥିବାବେଳେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡାହୋଇ ସ୍ୱାଧୀକାରଭଙ୍ଗ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦାବି କରୁଥିବା ଦେଖିବାକୁ ମିଳିଥିଲା ।
ବାଚସ୍ପତି ଶ୍ରୀ ଆରୁଖ କହିଥିଲେ ଯେ ସଦସ୍ୟମାନେ ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍କୁ ସେ ଗ୍ରହଣ କରିଛନ୍ତି । ଏହା ଉପରେ ସେ ଅଧିକ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।