ଭୁବନେଶ୍ୱର : ପୁରୀ ଠାରେ ପ୍ରସ୍ତାବିତ ନୂତନ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ରାଜ୍ୟ ସରକାର ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅଞ୍ଚଳରେ ୨୨୧.୪୮୦ ଏକର ଜମି ଅଧିଗ୍ରହଣ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ବୃହତ୍ ବିମାନବନ୍ଦର ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ (ଏସ୍ଆଇଏ) ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।
ଜାତୀୟ ଗ୍ରାମ୍ୟ ଉନ୍ନୟନ ଏବଂ ପରିବେଶ ବିଜ୍ଞାନ ପ୍ରତିଷ୍ଠାନ (ଏନ୍ଆଇଆରଡିଇଏସ୍) ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ ପକ୍ଷରୁ ପୁରୀ ଜିଲ୍ଲାର ଦୁଇଟି ଗ୍ରାମରେ ଏସ୍ଆଇଏ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ସିପସରୁବାଲି ଗ୍ରାମରେ ୧୫୩.୩୭୦ ଏକର ଏବଂ ଷଣ୍ଢପୁର ଗ୍ରାମରେ ୬୮.୧୧୦ ଏକର ଜମି ଅଧିଗ୍ରହଣ କରିବେ । ଏହି ଦୁଇଟି ଗ୍ରାମ ପୁରୀ ଜିଲ୍ଲାର ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଅବସ୍ଥିତ ।
ଲୋକଙ୍କ ଜମି ଅଧିଗ୍ରହଣ କରିବା ପୂର୍ବରୁ ସେମାନଙ୍କ ଅନୁମତି ପାଇବା ଲାଗି ଏନଆଇଆରଡିଇଏସ୍ ପକ୍ଷରୁ ସମ୍ପୃକ୍ତ ଗ୍ରାମରେ ଗ୍ରାମସଭା ଆୟୋଜନ କରାଯିବ । ଅନୁଧ୍ୟାନ ସରିବାପରେ ପ୍ରାଧିକୃତ ସଂସ୍ଥା ୩୦ ଦିନ ମଧ୍ୟରେ ସର୍ଭେ ରିପୋର୍ଟ ଦାଖଲ କରିବ । ପ୍ରସ୍ତାବିତ ଆର୍ନ୍ତଜାତୀୟ ବିମାନବନ୍ଦର ଲାଗି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।
ପୂର୍ବରୁ ଏହି ବିମାନବନ୍ଦର ପାଇଁ ‘ସାଇଟ୍ କ୍ଲିୟରାନ୍ସ’ ଲାଗି ରାଜ୍ୟ ସରକାର କେନ୍ଦ୍ରର ମଞ୍ଜୁରୀ ଲୋଡିଥିଲେ । ନୂତନ ବିମାନ ବନ୍ଦର ନୀତି ୨୦୦୮ ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ ନିକଟରେ ପ୍ରସ୍ତାବ ଦାଖଲ କରିବା ସହିତ ‘ସାଇଟ୍ କ୍ଲିୟରାନ୍ସ’ ମଞ୍ଜୁରୀ ଲୋଡିଥିଲେ । ନୂତନ ବିମାନ ବନ୍ଦର ନୀତି ଅନୁଯାୟୀ ବିମାନବନ୍ଦର ପ୍ରକଳ୍ପ କାର୍ଯ୍ୟକାରୀ ସହିତ ଏହାର ପାଣ୍ଠି ଦାୟିତ୍ୱ ସମ୍ପୃକ୍ତ ବିକାଶକାରୀ ସଂସ୍ଥାର ହୋଇଥିବାବେଳେ ଏଠାରେ ଏହି ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି ।
ଉଲ୍ଲେଖନୀୟ ଯେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ପୁରୀ-ବ୍ରହ୍ମଗିରି ରାସ୍ତା ପାଶ୍ୱର୍ରେ ୧୫୦୦ ଏକର ଜମି ଚିହ୍ନଟ କରିଛନ୍ତି । ୨୦୦୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଠାରେ ଶ୍ରୀ ଜଗନ୍ନାଥ ଆର୍ନ୍ତଜାତିକ ବିମାନବନ୍ଦର ନାମରେ ଏକ ନୂତନ ବିମାନବନ୍ଦର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ । ଧାର୍ଯ୍ୟ ସମୟରେ ଏହି ବିମାନବନ୍ଦର ନିର୍ମାଣ ପାଇଁ ସମସ୍ତ ପ୍ରକାର ସହୟତା ଯୋଗାଇଦେବା ସକାଶେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । (ତଥ୍ୟ)