Home Health ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଆଗୁଆ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଆଗୁଆ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌.ଡି୍‌.ଜି)ର ଦୃତ ହାସଲ ନିମନ୍ତେ ବହୁ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପମାନ ନିଆଯାଇଛି ।

୨୦୨୦-୨୧ ବର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ଇଣ୍ଡିଆ ଇଣ୍ଡେକ୍ସ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ସମ୍ବନ୍ଧିତ ଏସ୍‌.ଡି୍‌.ଜି.-୩ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ପାହ୍ୟାକୁ ଉନ୍ନିତ୍ତ ହୋଇଛି । ମ୍ୟାଲେରିଆ ନିରାକରଣରେ ଓଡ଼ିଶା ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିଶ୍ୱସ୍ତରୀୟ ମୋଡେଲ ଭାବେ ସ୍ୱୀକୃତି ଦେଇଛନ୍ତି । ୨୦୨୧ ମସିହା ଆକଳନ ଅନୁଯାୟୀ ଯକ୍ଷ୍ମା (ଟି.ବି.) ନିରାକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୨ୟ ସ୍ଥାନ ଅଧିକାର କରିଛି ।

ପୁର୍ଣ୍ଣ-ଟିକାକରଣ କ୍ଷେତ୍ରରେ ୯୦.୫ ପ୍ରତିଶତ ସାଫଲ୍ୟ ହାସଲ ସହ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସମଗ୍ର ଦେଶରେ ବାୟୁ ସ୍ୱାସ୍ଥ୍ୟ ସେବା ( ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା )ଯୋଗାଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ । ଏହି ବ୍ୟବସ୍ଥାରେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବରିଷ୍ଠ ବିଶେଷଜ୍ଞମାନେ ପହଞ୍ଚି ପୀଡିତ ଲୋକମାନଙ୍କୁ ସୁପର ସ୍ପେସାଲିଷ୍ଟ୍‌ ଚିକିତ୍ସା ଓ ଯନି ଯୋଗାଇ ଥାଆନ୍ତି ।

କୋଭିଡ୍‌ ମହାମାରୀ ସମୟରେ ପ୍ରତି ଜିଲ୍ଲାରେ ଆଇ.ସି.ୟୁ. ସୁବିଧା ସହ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ପ୍ରସ୍ତୁତ କରିବାରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ ଥିଲା । ଯେତେବେଳେ ଦେଶର ବିଭିନ୍ନ ରାଜ୍ୟ ମେଡିକାଲ୍‌ ଅକ୍ସିଜେନ୍‌ ଅଭାବ ସହ ଲଢ଼ìଥିଲା ସେହି ଗୁରୁତ୍ୱପୂର୍ଣ୍ଣ ସମୟରେ ଓଡ଼ିଶା ଦେଶର ବିଭିନ୍ନ ସ୍ଥାନକୁ ୩୦୦ ଟନ୍‌ ଜୀବନ ରକ୍ଷାକାରୀ ଅକ୍ସିଜେନ୍‌ ପଠାଇଥିଲା ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ଏବଂ ୫-‘ଟି’ ନୀତି ଆଦି ପ୍ରୟୋଗ ଫଳରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱତା ଏବଂ ରୋଗୀମାନଙ୍କ ସ;ୁଷ୍ଟିରେ ବିଶେଷ ଉନ୍ନତ୍ତି ସାଧନ ହୋଇଛି । ରୋଗ ଚିକିତ୍ସା ପାଇଁ ନିଜ-ପକେଟରୁ ଖର୍ଚ୍ଚକୁ ଶୂନ (୦) କରିବା ନିମନ୍ତେ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ । ଜାତି, ଆର୍ଥିକ ଶ୍ରେଣୀ ଏବଂ ଆବାସ ସ୍ଥାନ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଉଛନ୍ତି ।

ଏଥି ପାଇଁ ରାଜ୍ୟ ସରକାର ନିରାମୟ ( ସମସ୍ତଙ୍କ ପାଇଁ ମାଗଣା ଓଷଧ), ନିଦାନ (ସମସ୍ତଙ୍କ ପାଇଁ ମାଗଣା ରୋଗ-ନିରୁପଣ ପରୀକ୍ଷା), ସବୁ ଜିଲ୍ଲାରେ ସହାୟ (ମାଗଣା ଡାଏଲିସିସ୍‌ ସେବା) ଆଦି ସ୍କିମ୍‌କୁ ପୂର୍ଣ୍ଣରୂପେ କାର୍ଯ୍ୟାୟନ କରିଛନ୍ତି । ଏହାଛଡା ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନମାନଙ୍କରେ ରୋଗୀମାନଙ୍କୁ ମାଗଣା ରକ୍ତ ଏବଂ କ୍ୟାନସର ରୋଗୀମାନଙ୍କ ପାଇଁ କେମୋଥେରାପିର ସୁବିଧା ମଧ୍ୟ କରାଯାଇଛି ।

ଏତଦ୍‌ବ୍ୟତୀତ ଆର୍ଥିକ ଦୁର୍ବଳ ବର୍ଗର ଲୋକ ଏବଂ ମହିଳାମାନଙ୍କୁ ଉଚ୍ଚମାନର ସୁପର ସ୍ପେସାଲିଟି ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍‌.କେ.ୱାଇ) ଯୋଜନା ପ୍ରଚଳନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରାୟ ୯୬.୫ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି ।

ଏହି ପରିବାରର ସଦସ୍ୟମାନେ ତାଲିକାଭୁକ୍ତ ଉଚ୍ଚମାନର ଘରୋଇ ହସ୍ପିଟାଲମାନଙ୍କରେ ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରୁଛନ୍ତି । ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ରାଜ୍ୟ ଭିତରେ ଥିବା ସମସ୍ତ ଅଗ୍ରଣୀ ହସ୍ପିଟାଲ ସହ ୧୬ଟି ବାହାର ରାଜ୍ୟର ପ୍ରଧାନ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କୁ ବି.ଏସ୍‌.କେ.ୱାଇ ତାଲିକାଭୁକ୍ତ କରାଯାଇଛି ।

କ୍ୟାନସର ରୋଗ ପ୍ରତିହତ ନିମନ୍ତେ ରାଜ୍ୟ ରାଜଧାନୀରେ ୭୫୦ ଶଯ୍ୟା ବିଶିଷ୍ଟ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍‌ ନିର୍ମାଣ କରାଯାଉଛି । ଏଥିରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ଏହାଛଡା, ରାଜ୍ୟ ସରକାର, ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଏବଂ ଟାଟା ମେମୋରିଆଲ୍‌ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଭୁବନେଶ୍ୱର ସ୍ଥିତ ନାଇଜର କ୍ୟାମ୍ପସ୍‌ରେ ଆଉ ଏକ ୨୫୦ ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ କ୍ୟାନ୍ସର ହସ୍ପିଟାଲ୍‌ ପ୍ରତିଷ୍ଠା ଆରମ୍ଭ ହୋଇଛି ।

ରାଜ୍ୟ ସରକାର ମଧ୍ୟ ଝାରସୁଗୁଡାଠାରେ ସ୍ୱତନ୍ତ୍ର କ୍ୟାନସର ଏବଂ ହୃଦ୍‌ରୋଗ (କାର୍ଡିଆକ୍‌) ଚିକିତ୍ସା ହସ୍ପିଟାଲ୍‌ ପି.ପି.ପି. ମୋଡ୍‌ରେ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୁମି ଦୃଢ଼ୀକରଣ ନିମନ୍ତେ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି ।