ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ନିୟୋଜିତ ଗୋଷ୍ଠିଗୁଡିକୁ ଭିତ୍ତିଭୂମି ସହାୟତା ପାଇଁ ସାଇକେଲ ଯୋଗାଇ ଦିଆଯିବ । ଯୋଜନାରେ ଉପକୃତ ହେବାକୁ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରବାପାଇଁ ପୌରାଞ୍ଚଳ ସ୍ତରରେ ମୁକ୍ତା ଯୋଜନା ଅଧିନରେ ଏକ କମିଟି ଗଠନ କରାଯିବ ।
ରାଜ୍ୟର ପୌରାଞ୍ଚଳରେ ଏବେ ବିଭିନ୍ନ ଗୋଷ୍ଠି ଭିତ୍ତିକ ଯୋଜନା କାର୍ଯ୍ୟକାରୀ ହେଉଛି । ବିଶେଷକରି ସହରାଞ୍ଚଳର ବଞ୍ଚିତ ଲୋକଙ୍କ ହାତକୁ କର୍ମସଂସ୍ଥା ଯୋଗାଇ ଦେବାପାଇଁ ସେମାନଙ୍କ ପାଇଁ ମୁକ୍ତା, ଆହାର, ଜଳସାଥୀ, ସ୍ୱଚ୍ଛ ସୁପରଭାଇଜର, ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳ, ବର୍ଜଜଳ ବିଶୋଧନ ପ୍ଲାଣ୍ଟ ଆଦି କାର୍ଯ୍ୟକାରୀ ହେଉଛି । ଏଥିରେ ମହିଳାଗୋଷ୍ଠି, ମିଶନଶକ୍ତି, କିନ୍ନର ଆଦି ନିୟୋଜିତ ଅଛନ୍ତି ।
ଏହି ମହିଳା ଗୋଷ୍ଠିମାନେ ସାଧାରଣତଃ ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟ କରିଥାନ୍ତି । ବିଶେଷକରି ଜଳକର ଆଦାୟ କରିବା, ପାଣି ପରୀକ୍ଷା କରିବା, ସଫେଇ କାର୍ଯ୍ୟରେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ଏଭଳି ମହିଳାମାନଙ୍କ ଯାତାୟତରେ ସହଜତା ପାଇଁ ସେମାନଙ୍କୁ ବ୍ରଣ୍ଡେଡ୍ ସାଇକେଲ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି ।
ଏହି ସାଇକେଲଗୁଡିକ ସମସ୍ତ ପୌରସଂସ୍ଥା ସ୍ତରରେ ଖରିଦ କରାଯିବା ସହିତ ସେଠାରେ ଥିବା ବିଭିନ୍ନ ଯୋଜନା କେନ୍ଦ୍ରକୁ ପ୍ରଦାନ କରାଯିବ । କେଉଁ ପୌରାଞ୍ଚଳରେ କେତେ ଜଣ ହିତାଧିକାରୀ ରହିଛନ୍ତି ଓ କେଉଁ ଯୋଜନାରେ କାର୍ଯ୍ୟରତ ହିତାଧିକାରୀଙ୍କ ପାଇଁ କେତେ ସାଇକେଲ ଆବଶ୍ୟକ ତାହା ଚିହ୍ନଟ ସକାଶେ ମୁକ୍ତା ଯୋଜନାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ପୌରାଞ୍ଚଳ ସ୍ତରରେ ଗୋଟିଏ କମିଟି ଗଠନ କରାଯିବ । ଏହି କମିଟି ହିତାଧିକାରୀ ଚୟନ ସହିତ ପ୍ରତି ମାସରେ କାର୍ଯ୍ୟରତ ସଦସ୍ୟ ଏବଂ ଗୋଷ୍ଠିମାନଙ୍କର ବ୍ୟାଙ୍କ୍ ଖାତାର ଅନୁଧ୍ୟାନ କରିବ ।
କମିଟି ହିତାଧିକାରୀଙ୍କ ତାଲିକା ଚୂଡାନ୍ତ କରିବା ପରେ ତାହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ରାଜ୍ୟ ସରକାର ଏହାକୁ ଅନୁମୋଦନ କରିବାପରେ ପୌରସଂସ୍ଥା ସ୍ତରରେ ସାଇକେଲଗୁଡିକ ଖରିଦ କରାଯିବା ସହିତ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ । ଯଦି ଜଣେ ବ୍ୟକ୍ତି ଏକାଧିକ ଯୋଜନାରେ ସାମିଲ କାର୍ଯ୍ୟ କରୁଥିବେ ତେବେ ତାଙ୍କୁ ଗୋଟିଏ ଯୋଜନାର ବୋଲି ଧରି ନିଆଯିବ ।
ଏଭଳି ସାଇକେଲ ଯୋଗାଣ ଫଳରେ ପୌରାଞ୍ଚଳରେ ଗୋଷ୍ଠିଭିତ୍ତିକ ଉନ୍ନୟନ କାର୍ଯ୍ୟଗୁଡିକ ଅଧିକ ଭାବେ ତ୍ୱରାନ୍ୱିତ ହୋଇପାରିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ତେବେ ପୂର୍ବରୁ ରାଜଧାନୀରେ ସରକାରଙ୍କ ମୋ ସାଇକେଲ ଯୋଜନାରୁ ସେଭଳି ସୁଫଳ ମିଳିପାରିନଥିବାବଳେ ମହିଳା ଗୋଷ୍ଠିଗୁଡିକ କିଭଳି ସାଇକେଲ ବ୍ୟବହାର କରିବେ ତାହା ଆଗାମୀ ଦିନରେ ହିଁ ଜଣାପଡିବ । (ତଥ୍ୟ)