Home Education ବାଧାପ୍ରାପ୍ତ ହେଲାଣି ଗବେଷଣା ଅଧ୍ୟାପନା

ବାଧାପ୍ରାପ୍ତ ହେଲାଣି ଗବେଷଣା ଅଧ୍ୟାପନା

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟଗୁଡିକରେ ସହସ୍ରାଧିକ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲିପଡିଛି । ଗୋଟିଏ ପଟେ ପ୍ରତିବର୍ଷ ପ୍ରଫେସର, ସହଯୋଗୀ ଏବଂ ସହକାରୀ ପ୍ରଫେସରମାନେ ଅବସରଗ୍ରହଣ କରୁଥିବାବେଳେ ଅନ୍ୟ ପକ୍ଷରେ ଖାଲି ପଡିଥିବା ସମସ୍ତ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ପୂରଣ ହେଉନଥିବାରୁ ବିଶ୍ୱବିଦ୍ୟାଳୟଗୁଡିକରେ ଗବେଷଣା, ଅଧ୍ୟାପନା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଥିବା ଘେନି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମହଲରୁ ଅଭିଯୋଗ ଆସୁଛି ।

କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ଥିବା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ସମସ୍ୟା ଅତ୍ୟନ୍ତ ଗୁରୁତର । ଏଠାରେ ପାଖାପାଖି ତିନି ଚତୁର୍ଥାଂଶ ଶିକ୍ଷକ ପଦବୀ ଖାଲି ପଡିଛି । ବହୁ ବିଭାଗରେ ପ୍ରଫେସର ନାହାନ୍ତି । ଖାଲି ପଡିଥିବା ଶିକ୍ଷକ ପଦବୀଗୁଡିକ କେବେ ସୁଦ୍ଧା ପୂରଣ ହେବ ସେ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି ।

ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର ଭଳି ପୁରୁଣା ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପ୍ରଫେସର ମରୁଡି ସମସ୍ୟା ଅତ୍ୟନ୍ତ ଉଦବେଗଜନକ ଅବସ୍ଥାରେ ରହିଛି । ରେଭେନ୍ସା ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବା ଦିନ ଠାରୁ ଏଯାବତ୍‍ ଏଠାରେ ଶିକ୍ଷକ ମରୁଡି ସମସ୍ୟା କମିବା ପରିବର୍ତ୍ତେ ବଢୁଛି । ରାଜ୍ୟରେ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ଅବସ୍ଥା ମଧ୍ୟ ଅତି ସାଂଘାତିକ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏକ ପ୍ରକାର ବିନା ନିୟମିତ ଶିକ୍ଷକରେ ଚାଲିଛି । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସମସ୍ୟା ବି ଢେର ଗୁରୁତର । ଏହାଛଡା ଭବାନୀପାଟଣା, ରାଜେନ୍ଦ୍ର, ଗଙ୍ଗାଧରମେହେର, ଖଲିକୋଟ, ଉତ୍ତରଓଡିଶା ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଦିରେ ବର୍ଷ ବର୍ଷ ଧରି ଶିକ୍ଷକ ପଦବୀ ପୂରଣ ହେଉନଥିବାବେଳେ ଏବେ ପୁଣି ରାଜ୍ୟ ସରକାର ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି ।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡିଶା ୟୁନିଭରସିଟି ଅଫ୍‍ ଟେକ୍ନିକାଲ ରିସର୍ଚ୍ଚ ଆଦିରେ ଅବସ୍ଥା ଅତି ସାଂଘାତିକ । ବୁର୍ଲା ଓ ସରାଙ୍ଗରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନର କଥା ନହିଲେ ଭଲ ।

କୁହାଯାଉଛି ଯେ ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ନୂଆ ଆଇନ୍‍ ଆଧାରରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅଦାଲତି ରୋକ୍‍ ଯୋଗୁଁ ଏହା ବ୍ୟାଘାତ ହୋଇଛି । ଗୁଜୁରାଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିଶ୍ୱବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ହୁଏ ତ ଆଉ ରାଜ୍ୟ ଲୋକସେବା ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଅଧ୍ୟାପକ ନିଯୁକ୍ତି କରିନପାରେ । ପୂର୍ବଭଳି ବିଶ୍ୱବିଦ୍ୟାଳୟମାନେ ଏହି ନିଯୁକ୍ତି କରିବେ । ତେବେ ଏଥିଲାଗି ରାଜ୍ୟ ସରକାରଙ୍କ ଅନୁମୋଦନ ଓ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ।

କେବଳ ବିଶ୍ୱବିଦ୍ୟାଳୟ ନୁହେଁ, ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକରେ ବି ବ୍ୟାପକ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲିପଡିଛି । ଉଭୟ କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢା କାମ ସତେ ଯେମିତି ଏବେ ଠିକାରେ ନିୟୋଜିତ ହେଉଥିବା ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ଉପରେ ନିର୍ଭର କରୁଛି । ଖୁବ୍‍ କମ୍‍ ପାରିଶ୍ରମିକରେ ଏମାନେ ପାଠପଢାଉଥିବାବେଳେ ଅନ୍ୟତ୍ର ଭଲ କର୍ମନିଯୁକ୍ତି ପାଇଲେ ଛାଡି ପଳାଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । (ତଥ୍ୟ)