ଭୁବନେଶ୍ୱର : ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇବା କିମ୍ବା ପୁରୁଣା ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଡାକ୍ତରୀ ସାର୍ଟିଫିକେଟ ଆବଶ୍ୟକ ହେଉଥିବାବେଳେ ଏହା ପାଇବାପାଇଁ ଖୋଦ ରାଜଧାନୀରେ ଏବେ ଲୋକଙ୍କ ହୀନସ୍ତାର ସୀମା ନାହିଁ । ପରିବହନ ବିଭାଗ ନିକଟରେ ତାଲିକାଭୁକ୍ତ ହୋଇଥିବା ଡାକ୍ତର ଓ ସେମାନେ ବସୁଥିବା ସ୍ଥାନର ସଠିକ୍ ସୂଚନା ନଥିବାରୁ ଏଭଳି ଅବସ୍ଥା ଉପୁଜିଛି ।
ରାଜଧାନୀରେ ଏଭଳି ସାର୍ଟିଫିକେଟ ପ୍ରଦାନ ପାଇଁ ଏବେ ହାତଗଣତି କେତେଜଣ ଡାକ୍ତର ପରିବହନ ବିଭାଗ ନିକଟରେ ନିଜକୁ ପଞ୍ଜିକୃତ କରିଛନ୍ତି । ଏମାନଙ୍କ ମଧ୍ୟରେ ଶିଶୁରୋଗ ବିଶେଷଜ୍ଞ ଠାରୁ ଆରମ୍ଭ କରି ହୋମିଓପାଥି ଡାକ୍ତର ରହିଛନ୍ତି । ଲାଇସେନ୍ସ ପାଇଁ ଆବେଦନ କରିବାପରେ ଏମାନଙ୍କ ଠାରୁ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ । ଡାକ୍ତରଙ୍କ ପ୍ରମାଣପତ୍ର ପରେ ଅର୍ଥ ପଇଠ କରାଯାଉଛି ଓ ଏହାପରେ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେଉଛି ।
ତେବେ ପରିବହନ ବିଭାଗ ନିକଟରେ ନିଜକୁ ପଞ୍ଜିକୃତ କରିଥିବା କୌଣସି ଡାକ୍ତରଙ୍କ ସଂକ୍ରାନ୍ତରେ ସଠିକ ସୂଚନା ନାହିଁ । ବିଶେଷକରି ଡାକ୍ତରମାନଙ୍କ ଫୋନ୍ ନମ୍ବର, ବସୁଥିବା ଔଷଧ ଦୋକାନ କିମ୍ବା କ୍ଲିନିକର ଠିକଣା ଓ ଫୋନ୍ ନମ୍ବର ବି ନାହିଁ । ଫଳରେ ଲାଇସେନ୍ସ ପାଇଁ ଆବେଦନ କରିବାପରେ ଲୋକେ ରାଜଧାନୀ ସାରା ସମ୍ପୃକ୍ତ ଡାକ୍ତରଙ୍କୁ ଖୋଜିବାରେ ଲାଗୁଛନ୍ତି । ଏପରିକି ସଚିବାଳୟ ନିକଟସ୍ଥ ଚାରି ନମ୍ବର ଠିକଣା ଦେଇଥିବା ଡାକ୍ତରଙ୍କର ବି ଖୋଜ ଖବର ମିଳୁନାହିଁ ।
ଏହି ଚିକିତ୍ସକମାନେ ସାର୍ଟିଫିକେଟ ପ୍ରଦାନ ପାଇଁ ଆବେଦନକାରୀମାନଙ୍କ ଠାରୁ ପ୍ରାପ୍ୟ ଆଦାୟ କରୁଥିବାବେଳେ ଲୋକଙ୍କ ସୂଚନା ପାଇଁ କିନ୍ତୁ ନିଜର ଟେଲିଫୋନ୍ ୱେବସାଇଟ୍ରେ ନଦେବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପରିବହନ ବିଭାଗର ବଡ ବାବୁମାନେ ସବୁ ଜାଣୁଥିଲେ ବି ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି ।
ସବୁଠାରୁ ବଡ କଥା ହେଲା ଭୁବନେଶ୍ୱର ଭଳି ସହରରେ ଏଭଳି ଡାକ୍ତରଙ୍କ ସଂକ୍ରାନ୍ତରେ କୌଣସି ସୂଚନା ନଥିବାରୁ ଲୋକେ ଏବେ ନିଜର କାମଦାମ ଛାଡି ସାର୍ଟିଫିକେଟ ପାଇଁ ଡାକ୍ତରଙ୍କୁ ଖୋଜିବା ସହିତ ଧାଡିରେ ରହୁଛନ୍ତି । ରାଜଧାନୀରେ ହଜାର ହଜାର ସରକାରୀ ପଞ୍ଜିକୃତ ଡାକ୍ତର ଥିବାବେଳେ ସେମାନଙ୍କୁ କାହିଁକି ଲାଇସେନ୍ସ ପାଇଁ ସାର୍ଟିଫିକେଟ ପ୍ରଦାନ ଅନୁମତି ମିଳୁନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ପରିବହନ ବିଭାଗ ନିଜ ଆଡୁ ପଦକ୍ଷେପ ନେଇ କିଭଳି ଅଧିକରୁ ଅଧିକ ଡାକ୍ତର ପଞ୍ଜିକୃତ ହେବେ ଓ ଲୋକେ ସହଜରେ ସେବା ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏଭଳି ଅବସ୍ଥା ଉପୁଜୁଥିବା ଆବେଦନକାରୀମାନେ କହୁଛନ୍ତି । ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାକୁ ସରଳୀକରଣ ପାଇଁ ପରିବହନ ବିଭାଗ ଅନେକ ପଦକ୍ଷେପ ନେଉଥିବାବେଳେ ଏବେ ଡାକ୍ତରଙ୍କ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା ଏହାକୁ ଅଧିକ ଜଟିଳ କରିଦେଇଥିବା ଓ ଲୋକେ ହୀନସ୍ତା ହେଉଥିବା ନେଇ ଅଭିଯୋଗମାନ ଆସିବାରେ ଲାଗିଛି । (ତଥ୍ୟ)