ଭୁବନେଶ୍ୱର : ଓଡିଶା ସରକାରଙ୍କ ଅବକାରୀ ବିଭାଗର ଇ-ଅବକରୀ କମ୍ପ୍ୟୁଟରୀକରଣ ପ୍ରତିଷ୍ଠିତ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆର ୨୦ତମ ଇ-ଗଭର୍ନାନ୍ସ ପୁରସ୍କାର ପାଇଁ ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠୀ ଦ୍ୱାରା ମନୋନିତ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖ ଦିନ ନୂଆଦିଲ୍ଲୀର ନେତାଜୀ ସୁଭାଷ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଇ-ଗଭର୍ନାନ୍ସ ଟ୍ରାକ ଅଧିବେଶନର ଏହି ପୁରସ୍କାର ପ୍ରଦାନ କରାଯିବ । କମ୍ପ୍ୟୁଟରୀକରଣ ଏବଂ ଆଇଟି ପଦକ୍ଷେପରେ ସଫଳତା ପାଇଁ ଅବକାରୀ ବିଭାଗକୁ ଏହି ପୁରସ୍କାର ମିଳିବ ।
ଉଲ୍ଲେଖନୀୟ ଯେ ସରକାରଙ୍କ ୫ଟି ପଦକ୍ଷେପ ସହିତ ରାଜ୍ୟ ଅବକାରୀ ବିଭାଗ ୨୦୧୯-୨୦ ରୁ ଏନ୍ଆଇସି ସହାୟତାରେ ଇ-ଅବକାରୀ ଡିଜିଟାଲ କାର୍ଯ୍ୟକ୍ଷେତ୍ରରେ ରୂପାନ୍ତରିତ ହୋଇଛି ଏବଂ ଇ-ଲଟେରୀ ଭଳି ୩୦ ରୁ ଅଧିକ ଅନଲାଇନ୍ ମଡ୍ୟୁଲ ଯଥା ତତ୍କାଳ ଇସ୍ୟୁ ଏବଂ ନବୀକରଣ, ବ୍ରାଣ୍ଡ ଲେବଲ୍ ରେଜିଷ୍ଟ୍ରେସନ୍ ସହିତ ୧୦୦% ଅନଲାଇନ୍ ଦେୟ ପ୍ରଦାନ, ଡିପିଆର, ସିସିଆଇଏସ୍, ଏସ୍ଆଇଆର ଏବଂ ରେଡ୍ ସ୍ପଟ୍ ଏବଂ ଏକ୍ସାଇଜ୍ ଦୋକାନ ଇତ୍ୟାଦି ଟ୍ରାକିଂ ପାଇଁ ମୋବାଇଲ୍ ଆପ୍ ବିକାଶ କରାଯାଇଛି ।
ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଉପାୟରେ କାର୍ଯ୍ୟକାରୀ ହେବା ସହିତ, ଧାର୍ଯ୍ୟ ସମୟରେ ସେବା ଯୋଗାଣ, ଶାରୀରିକ କାର୍ଯ୍ୟ ହ୍ରାସ, ତତ୍କାଳନ ଫଏସଲା ଗ୍ରହଣ ଆଦି ସେବାପ୍ରଦାନ କରୁଛି । ଏହା ଦ୍ୱାରା ଏନ୍ଫୋର୍ସମେଣ୍ଟ କାର୍ଯ୍ୟକଳାପର ସଠିକ କାର୍ଯ୍ୟକାରିତା ଏବଂ ମନିଟରିଂ, ବିଷାକ୍ତ ଓ ଚୋରା ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ବିତରଣ, ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ସର୍ବୋପରି, ବ୍ୟବସାୟରେ ସହଜତା ଏବଂ ବିଭାଗ ପ୍ରତି ଜନସାଧାରଣଙ୍କ ଧାରଣାରେ ପରିବର୍ତ୍ତନ କରାଯାଇ ପାରିଛି । ଚଳିତ ବର୍ଷ ରାଜ୍ୟ ଅବାକାରୀ ବିଭାଗ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱଣ୍ଣଁ ପୁରସ୍କାର ପାଇଛି ଏବଂ ମାନ୍ୟବର ଭାରତର ରାଷ୍ଟ୍ରପତି ୭ ଜାନୁୟାରୀ ୨୦୨୩ ରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହାଛଡା ଅବକାରୀ ବିଭାଗକୁ ଚଳିତ ବର୍ଷ ସ୍କଚ୍ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।
ବ୍ୟାପକ ଧରପଗଡ ଯୋଗୁଁ ଚଳିତ ଆର୍ଥିକ ବର୍ଷ ଜାନୁୟାରୀ ଶେଷସୁଦ୍ଧା ରେକର୍ଡ ସଂଖ୍ୟକ ୫୦୦୨୮ଟି ଅବକାରୀ ମାମଲା ରୁଜୁ ହୋଇଛି ଯାହା ଗତ ବର୍ଷର ଏହି ସମୟ ତୁଳନାରେ ୫୧% ଅଧିକ । ଗତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ୩୩୦୬୪ ଟି ଅବକାରୀ ମାମଲା ରୁଜୁ ହୋଇଥିଲା । ସେହିଭଳି ଚଳିତ ଆର୍ଥିକ ବର୍ଷର ଜାନୁଆରୀ ଶେଷ ସୁଦ୍ଧା ୧୪୫୯ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଛି ଯାହା କି ଗତ ଆର୍ଥିକ ବର୍ଷ ତୁଳନାରେ ୧୨୬% ଅଧିକ । ଗତ ଆର୍ଥିକ ବର୍ଷର ଏହି ସମୟରେ ୬୪୬ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିଲା ।