ଭୁବନେଶ୍ୱର : ଭାରତ ସରକାରଙ୍କ କୋଚିନ୍ସ୍ଥିତ କାଜୁ ଓ କୋକୋ ଉନ୍ନୟନ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ୍ର ମିଳିତ ଆନୁକୂଲ୍ୟରେ କାଜୁ ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଯାଇଛି ।
ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା କାଜୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣରେ ଏକ ଅଗ୍ରଣୀ ରାଜ୍ୟ । କାଜୁ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବିଶେଷ କରି ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଥାଏ ।
ରାଜ୍ୟରେ କାଜୁ ଚାଷ ଓ ପ୍ରକ୍ରିୟାକରଣର ବ୍ୟାପକ ସୁଯୋଗ ରହଛି ବୋଲି କହିବା ସହିତ ମହିଳାମାନେ ରାଜ୍ୟରେ କାଜୁର ବିକାଶ ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ।
ଏଥି ସହିତ ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବୈଜ୍ଞାନିକ, ଶିକ୍ଷାବିତ୍, କାଜୁଚାଷୀ ଓ କାଜୁ ଶିଳ୍ପୋଦ୍ୟୋଗୀମାନେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କହିଛନ୍ତି ।
‘କାଜୁ ଉତ୍ପାଦନ ଓ ଉତ୍ପାଦିକତାରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ’ ଶୀର୍ଷକ ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ଓଡ଼ିଶାର ଜଳବାୟୁ ଓ ମୃତ୍ତିକା କାଜୁ ଚାଷ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ।
ଚଳିତ ବର୍ଷ ରାଜ୍ୟର ୨୦ ହଜାର ହେକଫର ଜମିରେ ନୂତନ ଭାବରେ କାଜୁ ଚାଷ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯିବ । ରାଜ୍ୟର ଜନଜାତି ଓ ପଛୁଆ ଜିଲ୍ଲାଗୁଡ଼ିକରେ କାଜୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉନ୍ନତ ମାନର ଚାରା ଓ ପରିଚାଳନା ଆବଶ୍ୟକ ରହିଛି ବୋଲି ଡ. ପାଢ଼ୀ କହିଥିଲେ ।
ଭାରତ ସରକାରଙ୍କ ଉଦ୍ୟାନ କୃଷି ବିଭାଗର କମିଶନର ଡ. ପ୍ରଭାତ କୁମାର କହିଲେ ଯେ କାଜୁରେ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ଅନେକ ସୁଯୋଗ ରହିଛି । କାଜୁଚାଷ ନିମନ୍ତେ କ୍ଲଷ୍ଟରପନ୍ଥା ଆପଣାଇବା ସହିତ ମୂଲ୍ୟବୃଦ୍ଧି ବଜାରୀକରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଥିଲେ । ଜାତୀୟ ସମ୍ମିଳନୀ ଅବସରରେ କାଜୁର ବିକାଶ ଦିଗରେ “ଭୁବନେଶ୍ୱର ଘୋଷଣାନାମା’’ ପ୍ରକାଶନ କରିବା ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ଟି ହାଇବି୍ରଡ୍ କାଜୁ କିସମ ତିଆରି କରାଯାଇଛି । ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘କଳିଙ୍ଗ କାଜୁ-୧’ ନାମରେ ଏକ ନୂତନ ହାଇବି୍ରଡ୍ କିସମ ମଧ୍ୟ ଖୁବ୍ଶୀଘ୍ର ବାହାର କରାଯିବାର କାର୍ଯ୍ୟକ୍ରମ ରହିଛି । କାଜୁ ବଗିଚାରେ ଅନ୍ତଃଚାଷ ଭାବରେ ସାରୁ, ଭେଣ୍ଡି, ବାଇଗଣ ଇତ୍ୟାଦି ଚାଷ କଲେ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ପ୍ରଫେସର ରାଉଳ କହିଥିଲେ ।
ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାରେ କାଜୁ ମୁଖ୍ୟତଃ ଜୈବିକ ପ୍ରଣାଳୀରେ ଚାଷ କରାଯାଇଥାଏ ଏବଂ କୋରାପୁଟ କାଜୁର ଚାହିଦା ବିଶ୍ୱବଜାରରେ ରହିଛି ।
ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କହିଲେ ଯେ ରାଜ୍ୟରେ ସଂପ୍ରତି ଏକ ଲକ୍ଷ ୨୦ ହଜାର ହେକଫର ଜମିରେ କାଜୁଚାଷ କରାଯାଉଛି । ରାଜ୍ୟରେ ବ୍ୟାପକ କାଜୁଚାଷ ଓ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ କାଜୁର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି କରାଯାଇପାରିବ ବୋଲି ସେ କହିଥିଲେ ।
ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ୨୦୨୯-୩୦ ସୁଦ୍ଧା କାଜୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ ଏବଂ ଘରୋଇ ଚାହିଦାକୁ ମେଣ୍ଟାଇବା ସହିତ ପୂର୍ବ ଓ ପଶ୍ଚିମ ଆଫି୍ରକୀୟ ଦେଶଗୁଡ଼ିକରୁ କାଜୁ ଆମଦାନୀକୁ ହ୍ରାସ କରିବାର ଲକ୍ଷ୍ୟ ରଖିଛି । ଆୟୋଜିତ ସମ୍ମେଳନରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଉନ୍ନତ ମାନର କାଜୁ ଚାରା ଉତ୍ପାଦନ, ସମନ୍ୱିତ ରୋଗପୋକ ନିୟନ୍ତ୍ରଣ, ଅମଳ ପରବର୍ତ୍ତୀ ପରିଚାଳନା, ମୂଲ୍ୟଯୁକ୍ତ, ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବଜାରୀକରଣ ଆଦି ଦିଗରେ ବିଶେଷଜ୍ଞମମାନଙ୍କ ଦ୍ୱାରା ଆଲୋଚନାର ନିଷ୍କର୍ସରୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ କାଜୁର ବିକାଶ ନିମନ୍ତେ ଏକ ରୋଡ଼୍ମ୍ୟାପ୍ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି ।
ସୂଚନାଯୋଗ୍ୟ ଯେ ସଂପ୍ରତି ଦେଶରେ ୧୯ଟି ରାଜ୍ୟରେ ପ୍ରାୟ ୧୧ ଲକ୍ଷ ୬୫ ହଜାର ହେକଫର ଜମିରେ କାଜୁଚାଷ କରାଯାଇ ବାର୍ଷିକ ମୋଟ ୭ ଲକ୍ଷ ୫୦ ହଜାର ଟନ କାଜୁ ଉତ୍ପାଦନ ହୋଇପାରୁଛି । ଦେଶରେ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ୪ ହଜାରରୁ ଊଦ୍ଧ୍ୱର୍ କାଜୁ ପ୍ରକ୍ରିୟାକରଣ ଶିଳ୍ପରେ ୧୭ ଲକ୍ଷ ଟନ କାଜୁ ପ୍ରକ୍ରିୟାକରଣ କରିବାର କ୍ଷମତା ରହିଛି । ଏଥି ନିମନ୍ତେ ବର୍ଷକୁ ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୯ ଲକ୍ଷ ଟନ କାଜୁ ଆମଦାନୀ କରିବାକୁ ପଡ଼ୁଛି ।
ଉତ୍ସବରେ କାଜୁ ଓ କୋକୋ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଭେଙ୍କଟେସ୍ ଏନ୍ ହୁବାଲ୍ଲୀ ସ୍ୱଗାତ ଭାଷଣ ଦେଇଥିବାବେଳେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ତଥା ଦେଶର ଅଗ୍ରଣୀ କାଜୁଚାଷୀ, କାଜୁ ଶିଳ୍ପୋଦ୍ୟୋଗୀ, ଗବେଷଣା କେନ୍ଦ୍ର, କାଜୁ ନର୍ସରୀମାନଙ୍କୁ ଉଲ୍ଲେଖନୀୟ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମ୍ମେଳନରେ ଦେଶର ୧୯ଟି ରାଜ୍ୟର ୨୫୦ରୁ ଊଦ୍ଧ୍ୱର୍ କାଜୁଚାଷୀ, ପ୍ରୋସେସର, ବିଶେଷଜ୍ଞ, ବୈଜ୍ଞାନିକ, କାଜୁ ରପ୍ତାନୀକାରୀ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ । ଉତ୍ସବ ପ୍ରାରମ୍ଭରେ ରାଜ୍ୟର ଦିବଂଗତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।