Home General ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର : ଆଜି ରାଜଧାନୀରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ସୌମେନ୍‌ ବାନାର୍ଜୀ ମାନ୍ୟବର ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଳାହାଣ୍ଡି ଏ.ଏସ୍‌.ପି. ଶ୍ରୀ ୟଶ୍‌ପ୍ରତାପ ଶ୍ରୀମାଲ୍‌ ପ୍ୟାରେଡ୍‌ ପରିଚାଳନା କରିଥିଲେ । ଓ.ଏ.ପି.ଏସ୍‌., ତୃତୀୟ ବାଟାଲିୟନ୍‌, କୋରାପୁଟର ଶ୍ରୀ ଦୀପକ କୁମାର ଗଡ଼ନାୟକ ଦ୍ୱିତୀୟ ପରିଚାଳକ ଭାବେ ଏବଂ ଭୁବନେଶ୍ୱର ଓ.ଏସ୍‌.ଏ.ପି. ସପ୍ତମ ବାଟାଲିୟନ୍‌ର ଆସିଷ୍ଟାଣ୍ଟ କମିଶନର ଶ୍ରୀ ଭବାନୀ ପ୍ରସାଦ ଜେନା ଆଡ୍‌ଜୁଟାଣ୍ଟ ଭାବେ ପ୍ୟାରେଡ୍‌ ପରିଚାଳନାରେ ସହାୟତା କରିଥିଲେ ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୮ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୮ଟି ବେସାମରିକ ଦଳ ସମୁଦାୟ ୪୬ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଶ୍ରୀ ଶ୍ରୀ ବାଲଙ୍କେଶ୍ୱର ପଶୁମୁଖା ସଂସଦ ପକ୍ଷରୁ ପଶୁମୁଖା ନୃତ୍ୟ ଓ ଘଣ୍ଟ ମୃଦଙ୍ଗ, ବୌଦ୍ଧ ଜିଲ୍ଲା ଶ୍ରୀଜଗନ୍ନାଥ ଯୁବକ ସଂଘ ପକ୍ଷରୁ ଶବର-ଶବରୁଣୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ପକ୍ଷରୁ ବଜାଶାଲ, ସିଂଘାରୀ ଓ ଘୁମୁରା ନୃତ୍ୟ ଏବଂ ରାୟଗଡ଼ା ଜିଲ୍ଲା ଗାୟତ୍ରୀ କଳା ସଂଗଠନ ପକ୍ଷରୁ ଢେମ୍‌ସା ଜନଜାତି ନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁUକର କରିଥିଲା ।

ଏହା ପରେ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଆଦି ଅନ୍ନ-ମିଲେଟ୍‌ ମିଶନ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ଓଡ଼ିଶା ଆଦର୍ଶ ବିଦ୍ୟାଳୟ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଗ୍ରାମ୍ୟ ଜଳଯୋଗାଣ), ପୂର୍ତ୍ତ ବିଭାଗ (ଭିତ୍ତିଭୂମି ବିକାଶ ପ୍ରକଳ୍ପ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା), ପର୍ଯ୍ୟଟନ ବିଭାଗ (ବୌଦ୍ଧ ସର୍କିଟ), ଓଡ଼ିଶା ରାଜ୍ୟ ଏଡସ୍‌ ନିରାକରଣ ସମିତି (ଏଡସ୍‌ ସଚେତନତା), ଓଡ଼ିଶା ଖଣି ନିଗମ (ପାରିପାଶ୍ୱର୍କ ବିକାଶ କାର୍ଯ୍ୟକ୍ରମ), ଓଡ଼ିଶା ଅଗ୍ନିଶମ ସେବା ଯାନ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଏବଂ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ ।