Home General ନିଶା ନିବାରଣ ସଚେତନତା ପାଇଁ ୪କୋଟି

ନିଶା ନିବାରଣ ସଚେତନତା ପାଇଁ ୪କୋଟି

ଭୁବନେଶ୍ୱର : ନିଶା ନିବାରଣ ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଗତ ୧୦ବର୍ଷ ମଧ୍ୟରେ ୪ କୋଟି ଟଙ୍କାରୁ ଅଧିକ ଅର୍ଥ ଦିଆଗଲାଣି । ଚଳିତ ଆର୍ଥିକ ବର୍ଷରେ ୭ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ କରାଯାଇଛି ।

ରାଜ୍ୟର ଯୁବକ ଯୁବତୀମାନଙ୍କୁ ସଚେତନତା ମାଧ୍ୟମରେ ନିଶା ଠାରୁ ଦୂରେଇ ରଖିବା ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି । ୨୦୦୬-୦୭ ଠାରୁ ରାଜ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଚଳାଯାଉଛି । ତେବେ ଏ ବାବଦରେ ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ରାଜ୍ୟ ସରକାର ୪କୋଟି ୨୩ଲକ୍ଷ ୪୦ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଏହି ଟଙ୍କାରେ ସଚେତନତା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବ୍ୟାନର, ଲିଫ୍‍ଲେଟ, ଫ୍ଲେକ୍ସ, ଭିଡିଓ ରେକର୍ଡିଂ, ଫଟୋଗ୍ରାଫି, ପଥପ୍ରାନ୍ତ ନାଟକ, ଗାଡି ସଜ୍ଜା ସହିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ସଚେତନତା ଅର୍ଥ ରାଜ୍ୟ ପାନୀୟ ନିଗମ ଯୋଗାଇ ଦେଉଥିବାବେଳେ ତାହା ରାଜ୍ୟର ସମସ୍ତ ଜିଲ୍ଲାପାଳ, ବିଏମସି କମିଶନର ଓ ଅବକାରୀ କମିଶନର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପ୍ରଦାନ କରାଯାଉଛି । ଏହିସବୁ ବିଭାଗ, ସଂସ୍ଥା ଓ ଜିଲ୍ଲାପାଳମାନେ ନିଜ ନିଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସଚେତନତା କାର୍ଯ୍ୟକ୍ରମ ପାଇଁ ୭ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ ମଧ୍ୟରୁ ଗଞ୍ଜାମ, ଖୋରଧା ଓ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ୪୦ହଜାର ଟଙ୍କା କରି ପ୍ରଦାନ କରାଯାଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ୨୦ହଜାର କରି ଏବଂ ରାଜ୍ୟ କମିଶନରଙ୍କୁ ସର୍ବାଧିକ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ତେବେ ସମସ୍ତ ପ୍ରକାର ସଚେତନତା ସତ୍ୱେ ରାଜ୍ୟରେ ମାରାତ୍ମକ ନିଶା ସାମଗ୍ରୀର ବ୍ୟବହାର ଏବେ ଗାଁ ଗହଳକୁ ବ୍ୟାପୁଛି । ଯୁବକ ଯୁବତୀମାନେ ପୂର୍ବ ତୁଳନାରେ ଅଧିକ ସଂଖ୍ୟାରେ ନିଶା ସେବନ କରୁଥିବା ଲକ୍ଷ୍ୟ କରାଯାଉଛି । ଯଦିଓ ରାଜ୍ୟ ଅବକାରୀ ବିଭାଗ ଧରପଗଡ ଅଭିଯାନକୁ ଜୋରଦାର କରି ଅଧିକରୁ ଅଧିକ ପରିମାଣର ବେଆଇନ୍‍ ନିଶା ସାମଗ୍ରୀକୁ ଜବତ କରୁଛନ୍ତି ତଥାପି ଗାଁ ଗହଳରୁ ଯେଉଁ ପରିମାଣରେ ବ୍ରାଉନସୁଗାର, ହେରୋଇନ୍‍ ଓ ଗଞ୍ଜେଇ ଆଦି ଜବତ ହେଉଛି ତାହା ରାଜ୍ୟରେ ନିଶା ସାମଗ୍ରୀର କାୟା ବିସ୍ତାରକୁ ଦର୍ଶାଉଛି ।

ଅନ୍ୟ ପକ୍ଷରେ ବ୍ୟାପକ ସଚେତନତା ସତ୍ୱେ ରାଜ୍ୟରେ ଏହି ସମୟ ମଧ୍ୟରେ ଅର୍ଥାତ୍‍ ୨୦୧୧-୧୨ ରେ ମଦ ପିଇ କଟକ ଜିଲ୍ଲାରେ ୪୧ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୧୯-୨୦ ମସିହାରେ ଭଦ୍ରକ ଜିଲ୍ଲାରେ ୯ଜଣଙ୍କ ପ୍ରାଣହାନି ଘଟିଛି । ଯଦିଓ ଅବକାରୀ ବିଭାଗ ତୀକ୍ଷ୍ଣ ନଜର ଯୋଗୁଁ ରାଜ୍ୟରେ ଆଉ ମଦମଦ୍ୟୁ ଭଳି ପରିସ୍ଥିତି ଉପୁଜୁନାହିଁ ତେବେ ଅନ୍ୟାନ୍ୟ ନିଶା କାରବାର ଏବେ ଗ୍ରାମାଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି । (ତଥ୍ୟ)