ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡ୍ମା)କୁ ଜାତୀୟ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ମସିହା ପାଇଁ ଓସ୍ଡ୍ମାକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷ ପାଇଁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ଆମକୁ ଅଧିକ ଦାୟିତ୍ୱବାନ କରିଛି । ଆମକୁ ଆଗାମୀ ଦିନରେ ଏ କ୍ଷେତ୍ରରେ ଆଗକୁ ରହିବାକୁ ପଡ଼ିବ ।
୧୯୯୯ ମସିହାର ମହାବାତ୍ୟା ପରଠାରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତା’ଫଳରେ ବିଗତ ବାତ୍ୟାଗୁଡ଼ିକରେ କ୍ଷୟକ୍ଷତି ହ୍ରାସ ପାଇଛି । ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟବାନ ଉକ୍ତିଟି ହେଉଛି ‘ପ୍ରତ୍ୟକଟି ଜୀବନ ଆମ ପାଇଁ ମୂଲ୍ୟବାନ’ । ଏହା ହିଁ ହେଉଛି ଓସ୍ଡ୍ମାର ଦର୍ଶନ । ଏହାକୁ ପାଥେୟ କରି ଓସ୍ଡମା କାର୍ଯ୍ୟ କରିଚାଲିଛି ।
ସରକାରଙ୍କ ଦକ୍ଷ ନୀତି ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମଡେଲ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଓ ଜାତିସଂଘ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଛି । ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ଓ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ସହ ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀ ସହଭାଗିତା ବୃଦ୍ଧିକୁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ।
ଅନ୍ୟ ପକ୍ଷରେ ବଜ୍ରପାତ, ଅଗ୍ନିକାଣ୍ଡ, ସାପ କାମୁଡ଼ା ଯୋଗୁ ବହୁତ ଜୀବନହାନି ହେଉଛି । ସରକାର ଏବେ ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ବର୍ଷମାନଙ୍କରେ ଏହାର ସୁଫଳ ମିଳିବ । ପାଣିରେ ବୁଡ଼ି ମୃତୁ୍ୟ ମଧ୍ୟ ଏକ ଚିନ୍ତାଜନକ ବିଷୟ । ଏ କ୍ଷେତ୍ରରେ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି ।
ଏବେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ସାମିଲ କରାଯାଇଛି । ଫଳରେ ଏବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶିକ୍ଷା ଦିଆଯିବ । ଅଙ୍ଗନବାଡ଼ି, ପୋଲିସ କନ୍ଷ୍ଟେବଲ, ଫରେଷ୍ଟର, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତିର ସଦସ୍ୟମାନଙ୍କୁ ଏବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ ।
ଓଡ୍ରାଫ୍ ଓ ଓଡ଼ିଶା ଫାୟାର ସର୍ଭିସ୍କୁ ଅତ୍ୟାବଶ୍ୟକ ଜ୍ଞାନକୌଶଳରେ ସଜ୍ଜିତ କରାଯାଇ ଆବଶ୍ୟକ ଆଡ୍ଭାନ୍ସ ଟେକ୍ନୋଲୋଜି ଓ ସଂରଞ୍ଜାମ ଯୋଗାଇ ଦିଆଯିବା ଫଳରେ ଆପଦକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାରେ କୌଣସି ଅସୁବିଧା ହେବ ନାହିଁ । ଏହି ଅବସରରେ ଓସ୍ଡ୍ମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।