ଭୁବନେଶ୍ୱର : ଜଳସମ୍ପଦ ତଥ୍ୟର ପରିଚାଳନା ପାଇଁ ଓଡିଶା ସରକାର ରାଜ୍ୟ ଜଳ ସୂଚନା କେନ୍ଦ୍ର (ଏସ୍ଡବ୍ଳ୍ୟଆଇସି) ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ଜଳସମ୍ପଦ ବିଭାଗ ଜଳ ସୂଚନା କେନ୍ଦ୍ରର ପ୍ରତିଷ୍ଠା ଓ ପରିଚାଳନା ପାଇଁ ବିଭାଗ ଗୁଡିକରୁ ମତାମତ ଲୋଡିଛନ୍ତି ।
ଏସ୍ଡବ୍ଲ୍ୟୁଆଇସି ଜାତୀୟ ଜଳ ସୂଚନା କେନ୍ଦ୍ରର ସହାୟତା ଏବଂ ମାର୍ଗଦର୍ଶନରେ ରାଜ୍ୟ ଜଳ ସମ୍ପଦ ତଥ୍ୟର ସମନ୍ୱୟ, ସଂଗ୍ରହ ଏବଂ ପ୍ରସାର ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଭାଗ ଏବଂ ସଂସ୍ଥାରୁ ଜଣେ କରି ହିତାଧିକାରୀଙ୍କୁ ଏଥିରେ ଡୋମେନ ବିଶେଷଜ୍ଞ ଭାବରେ ସାମିଲ କରାଯିବ ।
ବାସ୍ତବରେ ଜଳ ଉତ୍ସଗୁଡିକର ପରିଚାଳନା ହେଉଛି ଏକ ଅତ୍ୟନ୍ତ ଜଟିଳ କାର୍ଯ୍ୟ ଯାହା ବହୁମୁଖୀ ଡୋମେନଗୁଡିକର ପାରଦର୍ଶିତାକୁ ଅର୍ନ୍ତଭୁକ୍ତ କରେ ଏବଂ ଐତିହାସିକ ଏବଂ ବାସ୍ତବ ସମୟଭିତ୍ତିକ ନିର୍ଭରଯୋଗ୍ୟ ତଥ୍ୟ ଏବଂ ସୂଚନା ଉପରେ ନିର୍ଭର କରେ । ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ଏବଂ ସମନ୍ୱୟ, କୃଷି ଏବଂ କୃଷକ ସଶକ୍ତିକରଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହିତ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ)କୁ ଏସ୍ଡବ୍ଲ୍ୟୁଆଇସି ଗଠନ ସଂକ୍ରାନ୍ତରେ ମତାମତ ଦେବାକୁ କୁହାଯାଇଛି ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡବ୍ଲ୍ୟୁଆଇସି ଗଠନ ହେଉଛି । କେନ୍ଦ୍ର ସରକାର ମଧ୍ୟ ଜଳଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ଜଳସମ୍ପଦ ତଥ୍ୟ ପରିଚାଳନା ପାଇଁ ଜାତୀୟ ଜଳ ସୂଚନା କେନ୍ଦ୍ର (ଏନଡବ୍ଲ୍ୟୁଆଇସି) ଗଠନ କରିଛନ୍ତି । ସୂଚନା ଅନୁଯାୟୀ ଏନ୍ଡବ୍ଲ୍ୟୁଆଇସି ଓ ଏସ୍ଡବ୍ଲ୍ୟୁଆଇସି ମଧ୍ୟରେ ଏ ନେଇ ରାଜିନାମା ସ୍ୱାକ୍ଷରିତ ହେବ ।
ପୂର୍ବରୁ ଜଳସମ୍ପଦ ବିଭାଗ, ନଦୀ ବିକାଶ ଓ ଗଙ୍ଗା ସଫେଇ, ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଅଞ୍ଚଳରେ ଏସ୍ଡବ୍ଲ୍ୟ୍ରୁଆଇସି ଗଠନପାଇଁ ଅଗ୍ରଣୀ ସଂସ୍ଥାଗୁଡିକୁ ମନୋନୀତ କରିବାକୁ କୁହାଯାଇଛି । କେନ୍ଦ୍ର ସରକାର ଆଶା କରୁଛନ୍ତି ଯେ ଏନଡବ୍ଲ୍ୟୁଆଇସି ସହଯୋଗରେ ଏସ୍ଡବ୍ଲ୍ୟୁଆଇସି ତଳ ସ୍ତରରୁ ତଥ୍ୟ ସଂଗ୍ରହ କରି ଜାତୀୟ ଜଳ ପରିଚାଳନାର ବିକାଶରେ ସହାୟତା କରିପାରିବ ।
ଏଭଳି ପଦକ୍ଷେପ ଦ୍ୱାରା ଏସଡବ୍ଲ୍ୟୁଆଇସି ୱେବସାଇଟ ଜରିଆରେ ପ୍ରତ୍ୟେକ ନାଗରିକଙ୍କୁ ଜଳ ସଂକ୍ରାନ୍ତରେ ସଠିକ ସୂଚନା ପ୍ରଦାନ କରାଯାଇପାରିବ । ଏଥି ସିତ ଜଳସମ୍ପଦ କ୍ଷେତ୍ରରେ ଗବେଷଣା, ଦକ୍ଷତା ବିକାଶ, ଯୋଗାଯୋଗ, ଉନ୍ନତ ପରିଚାଳନାର ସମସ୍ତ ଦିଗ ପାଇଁ ଏହା ମୂଲ୍ୟଯୁକ୍ତ ଉତ୍ପାଦ ଏବଂ ସେବାର ବିକାଶ କରିପାରିବ । (ତଥ୍ୟ)