Home Education ଓଡିଆ ଭାଷାରେ ପଢାଇବାକୁ ଅଧ୍ୟାପକ ଅମଙ୍ଗ

ଓଡିଆ ଭାଷାରେ ପଢାଇବାକୁ ଅଧ୍ୟାପକ ଅମଙ୍ଗ

ଭୁବନେଶ୍ୱର : ଓଡିଆ ଭାଷାରେ ପରୀକ୍ଷା କରାଇବାପାଇଁ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଥିବାବେଳେ କଲେଜ ସ୍ତରର ଛାତ୍ରଛାତ୍ରୀମାନେ କିନ୍ତୁ ଓଡିଆ ଭାଷାରେ ପରୀକ୍ଷା ଦେବାପାଇଁ ସମସ୍ୟାରେ ପଡୁଛନ୍ତି । ଓଡିଆ ଭାଷାରେ ପରୀକ୍ଷା ଦେବା ତ ଦୂରରକଥା ଓଡିଆ ଭାଷାରେ ପଢାଇବାକୁ ଅଧ୍ୟାପକ ଅଧ୍ୟାପିକାମାନେ ମଙ୍ଗୁ ନାହାନ୍ତି ।

ଓଡିଶା ଭାଷାରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ହେବା ନେଇ ଘୋଷଣା ପରେ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ଓଡିଆ ଭାଷା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷକରି ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରର ଛାତ୍ରଛାତ୍ରୀ ଯେଉଁମାନେ କି ଓଡିଆ ମାଧ୍ୟମ ବିଦ୍ୟ।।ଳୟରେ ପଢୁଥିଲେ ସେମାନେ ଓଡିଆ ଭାଷାରେ ବିଭିନ୍ନ ବିଷୟ ପଢିବା ଓ ପରୀକ୍ଷା ଦେବାକୁ ଆଗ୍ରହ ଦେଖାଉଛନ୍ତି ।

ହେଲେ କେତେକ କଲେଜର ଅଧ୍ୟାପକମାନେ ଓଡିଆ ଭାଷାରେ ବାଣିଜ୍ୟ, ଅର୍ଥନୀତି, ସମାଜ ବିଜ୍ଞାନ ଏପରିକି ଇତିହାସ ଭଳି ବିଷୟ ପଢାଇବାକୁ ବି ନାରାଜ । ସେମାନେ ଇଂରାଜୀ ଭାଷାରେ ପଢାଇବାକୁ ଜିଦ୍‍ ଧରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ନାଲିଆଖି ଦେଖାଉଛନ୍ତି । ଏପରିକି ଇଂରାଜୀ ଭାଷାରେ ପରୀକ୍ଷା ନଦେଲେ ଭଲ ନମ୍ବର ରହିବ ନାହିଁ ଓ ଭବିଷ୍ୟତ ଅନ୍ଧକାର ବୋଲି କହିବାକୁ ପଛାଉ ନାହାନ୍ତି ।

ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ବିଷୟର ପାଠ୍ୟପୁସ୍ତକ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଉପଲବ୍ଧ ହେଉଛି । ତେଣୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓଡିଆ ଭାଷାର ପାଠ୍ୟପୁସ୍ତକ କିଣି ପଢୁଛନ୍ତି । ହେଲେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନକରାତ୍ମକ ମନୋଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ଅକଳରେ ପଡୁଛନ୍ତି । ବର୍ତ୍ତମାନ ଯୁକ୍ତ ତିନି ସ୍ତରରେ ଇଣ୍ଟରନାଲ ପରୀକ୍ଷା ଚାଲୁଥିବାବେଳେ କେତେକ ମହାବିଦ୍ୟାଳୟରେ ଓଡିଆ ଭାଷାରେ ବିଭିନ୍ନ ବିଷୟର ପ୍ରଶ୍ନପତ୍ର ମିଳୁନାହିଁ । ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଓଡିଆ ଭାଷାରେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହୋଇଥିଲେ ସୋମାନେ ଅସୁବିଧାରେ ପଡୁଛନ୍ତି ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଇତି ମଧ୍ୟରେ ଡାକ୍ତରୀ ଓ ଇଞ୍ଜିନିୟରଂ ଭଳି ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ ପଢାଯିବା ନେଇ ନିଷ୍ପତ୍ତି ନେବାପରେ ମଧ୍ୟପ୍ରଦେଶ ଭଳି ରାଜ୍ୟ ହିନ୍ଦୀ ଭାଷାରେ ଡାକ୍ତରୀପାଠ ପଢାଇବା ଆରମ୍ଭ କରିଦେଇଛନ୍ତି । ଖୁବ୍‍ଶୀଘ୍ର ଓଡିଆ ଭାଷାରେ ଏଭଳି ପାଠପଢା ହେବା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ଏଭଳି ସ୍ଥିତିରେ ଓଡିଶାର କଲେଜ ଗୁଡିକରେ ଅଧ୍ୟାପକ ଅଧ୍ୟାପିକାମାନେ ଓଡିଆରେ ପାଠ ପଢାଇପାରିବେ ନାହିଁ ବୋଲି କହିବା ସହିତ ପିଲାଙ୍କୁ ଇଂରାଜୀ ପଢିବା ପାଇଁ ବାଧ୍ୟ କରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଆଗାମୀ ଦିନରେ ଓଡିଆମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ କାଳ ହେବ ବୋଲି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । (ତଥ୍ୟ)