Home Health ନର୍ସିଂହୋମ୍‍ ସମ୍ପ୍ରସାରଣ ପାଇଁ ଲୋକେ ହନ୍ତସନ୍ତ

ନର୍ସିଂହୋମ୍‍ ସମ୍ପ୍ରସାରଣ ପାଇଁ ଲୋକେ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଥିବା ନର୍ସିଂହୋମ୍‍ଗୁଡିକ ମନଇଚ୍ଛା ଆଖପାଖରେ ଥିବା ଘରକୁ ଭଡା ନେଇ ବ୍ୟବସାୟ ବଢାଉଥିବାରୁ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । ଖୋଦ୍‍ ରାଜଧାନୀରେ ଏହି ସ୍ଥିତି ଜଟିଳ ହେବାରେ ଲାଗିଛି ।

ସହରାଞ୍ଚଳରେ ଥିବା ନର୍ସିଂହୋମ୍‍ଗୁଡିକର ବ୍ୟବସାୟ ବଢୁଥିବାରୁ ସେମାନେ ଆଖପାଖରେ ଥିବା ଘରଗୁଡିକୁ ଭଡାରେ ନେଇ ଯାଉଛନ୍ତି । ବିଶେଷକରି ଆବାସିକ ଅଞ୍ଚଳରେ ଥିବା ଘରକୁ ଭଡାନେଇ ସେଠାରେ ନର୍ସିଂହୋମ୍‍ର ଶାଖା ଖୋଲୁଛନ୍ତି । ଲୋକେ ବି ଅଧିକ ଭଡା ଆଶାରେ ନିଜ ନିଜ ଘରକୁ ଏମାନଙ୍କୁ ଭଡା ଦେଇ ଦେଉଛନ୍ତି । ରାଜିନାମା ପରେ ନର୍ସିଂହୋମ୍‍ଗୁଡିକ ସେଠାରେ ଶଯ୍ୟା ପକାଇ ରୋଗୀମାନଙ୍କୁ ରଖିବା ସହିତ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଏପରିକି ଅପରେସନ ମଧ୍ୟ କରୁଛନ୍ତି ।

ତେବେ ଏଥିପାଇଁ ଅଧିକାଂଶ କ୍ଷେତ୍ରରେ ସରକାରୀ ଅନୁମତି ନଥିବା ଲକ୍ଷ୍ୟ କରାଯାଉଛି । ଯେଉଁସବୁ ନର୍ସିଂହୋମ୍‍ଗୁଡିକ ଆବାସିକ ଅଞ୍ଚଳରେ ଘରଭଡା ନେଇ ନିଜ ନିଜର ବ୍ୟବସାୟ ପସରା ଖୋଲୁଛନ୍ତି ସେହିସବୁ ସ୍ଥାନରେ ରହୁଥିବା ଲୋକଙ୍କ ଜୀବନ ଏବେ ଦୁର୍ବିସହ ହେବାରେ ଲାଗିଛି । ଦିନ ରାତି ୨୪ଘଣ୍ଟା ସେହି ଅଞ୍ଚଳରେ ଆମ୍ବୁଲାନ୍ସ ସାଇରନ୍‍ ବାଜିବା ସହିତ ଗାଡିମୋଟର ଯା ଆସ କରୁଛନ୍ତି । ଏପରିକି ବିଳମ୍ବିତ ରାତ୍ରୀରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ଡାକ୍ତରମାନେ ଯା ଆସ କରିବା ଫଳରେ ସ୍ଥାନୀୟ ଲୋକେ ବିଶେଷକରି ବୟସ୍କ ଲୋକମାନେ ଭଲରେ ଟିକେ ଶୋଇ ପାରୁ ନାହାନ୍ତି । ପିଲାଙ୍କ ପାଠପଢା ବି ଗୁରୁତର ପ୍ରଭାବିତ ହେଉଛି ।

ଅବସ୍ଥା ଏଭଳି ହୋଇଛି ଯେ କିଛି ନର୍ସିଂହୋମ୍‍ ଆଖପାଖରେ ଗଢି ଉଠୁଥିବା ଆପାର୍ଟମେଣ୍ଟ ଘରକୁ ଭଡାନେଇ ନର୍ସିଂହୋମ୍‍ରେ ପରିଣତ କରୁଛନ୍ତି । ଫଳରେ ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ଆଖପାଖର ଲୋକେ ଏବେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାତି ପାହିଲା ବେଳକୁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର ଏବଂ ନର୍ସିହୋମ୍‍ କର୍ମଚାରୀଙ୍କ ଦୁଇ ଓ ଚାରି ଚକିଆ ଗାଡି ରାସ୍ତାଘାଟ ଜାମ୍‍ କରିଦେଉଛନ୍ତି । ପ୍ରକୃତ ଘର ମାଲିକ ନିଜ ଗାଡି କେଉଁଠି ରଖିବେ ସେଥିପାଇଁ ସ୍ଥାନ ଟିକେ ପାଉ ନାହାନ୍ତି । ଏପରିକି କେତେକ ସ୍ଥାନରେ ନିଜ ଘରୁ ଲୋକେ ସହଜରେ ଗାଡିମୋଟର କାଢି ପାରୁ ନାହାନ୍ତି ।

ସେହିଭଳି ନର୍ସିଂହୋମ୍‍ରୁ ବାହାରୁଥିବା ମାରାତ୍ମକ ଡାକ୍ତରୀ ବର୍ଜ୍ୟ ମଧ୍ୟ ଆବାସିକ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରିବାରେ ଲାଗିଛି । କେତେକ ସ୍ଥାନରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ନର୍ସିଂହୋମ୍‍ ଛାଡିଲା ବେଳକୁ ରାସ୍ତାଘାଟରେ ବର୍ଜ୍ୟବସ୍ତୁ ପକାଇ ପଳାଉଛନ୍ତି । ଯେହେତୁ ଏହିସବୁ ଘର ନର୍ସିଂହୋମ୍‍ ଭାବେ ଚିହ୍ନିତ ହୋଇନାହିଁ ତେଣୁ ସେଠାରୁ ଏହି ବିପଜ୍ଜନକ ଆବର୍ଜନା ଠିକଣା ଭାବେ ସଂଗ୍ରହ ହୋଇପାରୁ ନାହିଁ ।

ନର୍ସିଂହୋମ୍‍ ଖୋଲିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଠାରୁ ଆରମ୍ଭ କରି ବିଡିଏ, ବିଏମ୍‍ସି, ଅଗ୍ନିଶମ ଭଳି ସଂସ୍ଥାଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ ହେଉଥିବାବେଳେ ଆବାସିକ ଅଞ୍ଚଳରେ ନର୍ସିଂହୋମ୍‍ଗୁଡିକ କିଭଳି ରାତାରାତି ନିଜର କାୟା ବିସ୍ତାର କରୁଛନ୍ତି ଓ ଏମାନଙ୍କୁ କିଏ ଅନୁମତି ଦେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଅନୁମତିପ୍ରାପ୍ତ ନର୍ସିଂହୋମ୍‍ ବାହାରେ ଯେଉଁସବୁ ଘରେ ବେଆଇନ୍‍ ଭାବେ ଏଭଳି ଚିକିତ୍ସାଳୟ ଖୋଲିଛି ସେ ସଂକ୍ରାନ୍ତରେ ତୁରନ୍ତ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି ହେଉଛି । (ତଥ୍ୟ)