Home General ଶ୍ରୀମନ୍ଦିର ଜମି ବିକ୍ରି ପାଇଁ ଅନୁମତି

ଶ୍ରୀମନ୍ଦିର ଜମି ବିକ୍ରି ପାଇଁ ଅନୁମତି

ଭୁବନେଶ୍ୱର : ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ଜମି ବିକ୍ରି ସକାଶେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁମତି ପ୍ରଦାନ କରିଛନ୍ତି । ଏହି ବିକାଶ ପ୍ରକଳ୍ପଗୁଡିକ ମଧ୍ୟରେ ମୂଷା ନଈ ପନରୁଦ୍ଧାର ପ୍ରକଳ୍ପ ରହିଛି । ରାଜ୍ୟ ଆଇନ୍‍ ବିଭାଗ ପକ୍ଷରୁ ସରକାକରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏ ନେଇ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ଆଇନ୍‍ ବିଭାଗର ଉପ ସଚିବ ଅଂଶୁମାନ ମହାନ୍ତି କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ହେଉଥିବା ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଚୁଡଙ୍ଗ ସାହୀ ଏବଂ ମଣିକର୍ଣ୍ଣିକା ସାହିରେ ଥିବା ୦.୯୮୦ ଏକ ଜମିକୁ ପୁରୀ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ।

ଅନୁରୂପ ଭାବେ ୦.୦୧୯ ଏକରର ଶ୍ରୀମନ୍ଦିର ଜମି ଯାହାକି ପୁରୀ ସଦର ଅର୍ନ୍ତଗତ ବାସୁଳି ସାହି ମୌଜାରେ ରହିଛି ତାହାକୁ ବିକ୍ରମ କେଶରୀ ସିଂହଙ୍କୁ ବିକ୍ରି କରାଯିବ ଯାହାକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକ । ଢେଙ୍କାନାଳ ଜିଲ୍ଲାର ଭୁବନ ତହସିଲ ଅର୍ନ୍ତଗତ ଜମୁନାକୋଟେ ଠାରେ ଥିବା ୦.୭୧୦ ଏକର ଜମିକୁ ଅନୁଗୁଳ-ଡୁବୁରୀ-ସୁକିନ୍ଦା ନୂତନ ରେଳଲାଇନ୍‍ ପ୍ରକଳ୍ପ ପାଇଁ ଦିଆଯିବ ।

ପୁରୀ ସଦର ତହସିଲ ଅର୍ନ୍ତଗତ ମାଟିତୋଟା ମୌଜାରେ ଥିବା ୮.୨୫୦ ଏକର ଏବଂ ସମଙ୍ଗ ମୌଜାରେ ଥିବା ୧.୩୬୫ ଏକର ଜମିକୁ ମୂଷା ନଈର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଦିଆଯିବ । ସେହିଭଳି ବାଲେଶ୍ୱର ଜିଲ୍ଲାର ବସ୍ତା ତହସିଲ ଅର୍ନ୍ତଗତ ପଞ୍ଚବାଟିଆ ଏବଂ ସିନ୍ଦେରୀ ମୌଜାରେ ଥିବା ୧.୦୫୦ ଏକର ଜମିକୁ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ପାଇଁ ଦିଆଯିବ ।

ଏହାବାଦ୍‍ କଟକ ସଦର ତହସିଲ ଅର୍ନ୍ତଗତ ମଧୁପାଟଣା ମୌଜାରେ ଥିବା ୦.୦୯୧ ଏକର ଜମିକୁ ଝିଙ୍କରିଆ-ବେଣ୍ଟକାର-ଚାନ୍ଦୁଲି ରାସ୍ତା ସମ୍ପ୍ରସାରଣ ପାଇଁ ବିକ୍ରି କରାଯିବ । ଏଥି ସହିତ ପୁରୀ ସଦର ତହସିଲ ଅର୍ନ୍ତଗତ କୁଣ୍ଢେଇବେଣ୍ଟ ସାହିରେ ଥିବା ୦.୦୯୮ ଏକର ଶ୍ରୀମନ୍ଦିର ଜମିକୁ ରବି ନାରାୟଣ ଗୁରୁ ଏବଂ ଅନ୍ୟମାନଙ୍କୁ ବିକ୍ରି କରାଯିବ । ଏହି ତହସିଲ ଅର୍ନ୍ତଗତ ଦଇତପଡା ସାହିରେ ଥିବା ୦.୦୩୭ ଏକର ଶ୍ରୀମନ୍ଦିର ଜମିକୁ ଶୈଳବାଳା ନାୟକଙ୍କୁ ବିକ୍ରି କରାଯିବ । ରାଜ୍ୟ ସ୍ତରୀୟ ଜମିଜମା କମିଟି ଦ୍ୱାରା ନିଷ୍ପତ୍ତି ନିଆଯିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏହା ଅବଗତ କରାଯାଇଛି । (ତଥ୍ୟ)