ଭୁବନେଶ୍ୱର : ପଣ୍ୟାଗାରଗୁଡ଼ିକର ବିକାଶ ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍-୨୦୨୨ରେ ସମ୍ମାନିତ କରାଯାଇଛି ।
ପଣ୍ୟାଗାରଗୁଡ଼ିକର ସୁପରିଚାଳନା ପାଇଁ ଓୟାରହାଉସ୍ ମ୍ୟାନେଜ୍ମେଣ୍ଟ ସଲ୍ୟୁସନକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପ୍ୟୁଟରୀକରଣ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ଅଟେ ।
ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପ ଅନୁଯାୟୀ ନିଗମ ଏହାର କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟାରେ ଖାଦ୍ୟଶସ୍ୟ ତଥା କୃଷିଜାତ ସାମଗ୍ରୀର ସଂରକ୍ଷଣ ବ୍ୟବସ୍ଥାକୁ ସୁସଂଗଠିତ କରିବା ପାଇଁ କାର୍ଯ୍ୟକାରୀ କରିଥିବା ପ୍ରଯୁକ୍ତି ବିଦ୍ୟାର ଉପାଦେୟତାକୁ ସ୍କଚ୍ କମିଟି ଅନୁଧ୍ୟାନ କରି ଏହି ସମ୍ମାନ ପ୍ରଦାନ କରିଛି ।
ଏହି ପ୍ରକ୍ରିୟା ଦ୍ୱାରା ଗୋଦାମ ଘରଗୁଡ଼ିକରେ ଗଚ୍ଛିତ ଦ୍ରବ୍ୟର ଦେଣନେଣ, ସଂରକ୍ଷଣ, ଗୁଣବତ୍ତା ନିୟନ୍ତ୍ରଣ, ଷ୍ଟକ୍ର ଯାଞ୍ଚ ପ୍ରକ୍ରିୟା, ଆକାଉଣ୍ଟ ଏବଂ ବିଲିଂ ଓ ମାନବସମ୍ବଳ ପରିଚାଳନାକୁ ସୁଚାରୁ ରୂପେ ନିୟନ୍ତ୍ରଣ କରାଯାଇପାରିବ ।
ମୁଖ୍ୟ କାର୍ଯ୍ୟାଳୟରୁ ଡ୍ୟାସ୍ବୋର୍ଡ ମାଧ୍ୟମରେ ପଣ୍ୟାଗାରଗୁଡ଼ିକରେ ଗଚ୍ଛିତ ସାମଗ୍ରୀର ସ୍ଥିତାବସ୍ଥାକୁ ପ୍ରକୃତ ସମୟ ଆଧାରରେ ତଦାରଖ କରିବା ସଙ୍ଗେ ସଙ୍ଗେ ପଣ୍ୟାଗାର ପରିଚାଳନା ସଂପର୍କିତ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିହେବ ।
ଆଭାସି ମାଧ୍ୟମରେ ଆୟୋଜିତ ସମାରୋହରେ ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ଗଣେଶ୍ୱର ଜେନା ସ୍କଚ୍ ଅର୍ଡର ଅଫ୍ ମେରିଟ୍-୨୦୨୨ର ମାନପତ୍ର ଗ୍ରହଣ କରିଛନ୍ତି । ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ବଢ଼ାଇ ଓ ପରିଚାଳନା ନିର୍ଦ୍ଦେଶକ ଡ. ଜେନା ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।