ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) କୃଷି ମହାବିଦ୍ୟାଳୟ ଅନ୍ତର୍ଗତ କୀଟତତ୍ୱ ବିଭାଗର ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପ୍ରଚେଷ୍ଟାରେ ଉତ୍ପାଦିତ ମହୁକୁ ସର୍ବସାଧାରଣ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରାଯାଇଛି ।
ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୋଆରୁ ଉତ୍ପାଦିତ ମହୁ ତା’ର ଉତ୍କୃଷ୍ଟ ଗୁଣବତା ପାଇଁ ଆଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ ।
କୀଟତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ଉତ୍ସବରେ ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ଯେ କୀଟତତ୍ୱ ବିଜ୍ଞାନର ପ୍ରଫେସର ବ୍ରଜ କିଶୋର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଏହି ମହୁ ଉତ୍ପାଦନରେ ସଫଳ ହୋଇଥିବାରୁ ପ୍ରଫେସର ସାହୁ, ବିଭାଗୀୟ ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ରଙ୍କୁ ଅତିଥିମାନେ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଥିଲେ ।
ପ୍ରଫେସର ସରୋଜ କୁମାର ମହାନ୍ତି ଏ ଉତ୍ସବର ଆଭିମୁଖ୍ୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ । ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ଶୁଭଲକ୍ଷ୍ମୀ ରାୟ, ଡକ୍ଟର ସ୍ୱୟମ ସିଂହ ଓ ଡକ୍ଟର ଲିପ୍ସା ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଆଗାମୀ ଦିନରେ ସୋଆ ଉତ୍ପାଦିତ ମହୁର ଉତ୍ପାଦନ ବହୁଗୁଣିତ କରି ଏହାର ବ୍ୟବସାୟିକ ଭିତିଭୂମି ମଜଭୁତ କରିବାକୁ ଲକ୍ଷ୍ୟ ରଖାଯାଉଛି । ଆଇଏଏସ୍ର ଛାତ୍ରଛାତ୍ରୀ ବିଶ୍ୱଜିତ ମିଶ୍ର, ସିମ୍ରନ ମହାପାତ୍ର, ନିଶିସ୍ମିତା ପରିଡା, ସୌରଭ ମହନ୍ତ, କିରଣ ବେହେରା, ସମିତ ପାଲ ଓ ପ୍ରଦୀପ ଜେନା ପ୍ରମୁଖ ଏହି ଉତ୍ସବ ପରିଚାଳନା କରିଥିଲେ ।