Home Education ନକଲି ଶିକ୍ଷକଙ୍କ ଉପରେ ନଜର ରଖ

ନକଲି ଶିକ୍ଷକଙ୍କ ଉପରେ ନଜର ରଖ

ଭୁବନେଶ୍ୱର : ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍‌ ପରିଦର୍ଶନ କରିବା ସହ ନକଲି/ ଜାଲି ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ମାର୍ଗଦର୍ଶିକାକୁ କଡାକଡି ଭାବରେ ପାଳନ କରିବା ନିମନ୍ତେ କୁହାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବ୍ରହ୍ମପୁର ଜୋନର ୮ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି ।

ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଆଶ୍ୱଥୀ ଏସ୍‌, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଟି.ଇ. ଆଣ୍ଡ ଏସ୍‌.ସି.ଆର.ଟି ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।

ଶିବିରରେ ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ ଦେଇଛନ୍ତି । ଏହାସହ ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ‘୨୦୩୬ରେ ରାଜ୍ୟର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆମର ଲକ୍ଷ୍ୟ’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଆଶ୍‌ଥୀ ଏସ୍‌ କହିଛନ୍ତି ଶିକ୍ଷା ହିଁ ଆମ ବିଶ୍ୱାସକୁ ବୃଦ୍ଧି କରିଥାଏ । ପ୍ରଶିକ୍ଷଣ ଶିବିରର ସ୍ୱାଗତ ଭାଷଣ ଦେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ସ୍କିମ୍‌ ତଥା ଉଦ୍ୟମର ସଫଳ ରୂପାୟନ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ ।

ଏତଦ୍‌ ବ୍ୟତୀତ ନାରୀଶିକ୍ଷାକୁ ଅଗ୍ରାଧିକାର ଦେଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅଧିନରେ ଥିବା ସ୍କୁଲମାନଙ୍କରେ ନାମଲେଖା ବୃଦ୍ଧିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଜୋନର ୮ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।