ଭୁବନେଶ୍ୱର : ରାଜ୍ୟରେ ନୂତନ କିସମର ଧାନ ବିହନ ଉତ୍ପାଦନ ଓ ବ୍ୟବହାର ହ୍ରାସ ପାଇବ । ଏହାଦ୍ୱାରା ରାଜ୍ୟରେ ଧାନ ଉତ୍ପାଦନ ବି କମିବ । ନୂତନ କିସମର ବିହନ ପାଇଁ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ବନ୍ଦ କରିଦେବା ପରେ ଏଭଳି ଆଶଙ୍କା ଉପୁଜିଛି ।
ଦୀର୍ଘ ବର୍ଷ ଧରି ଚାଷ ହେଉଥିବା ପୁରୁଣା କିସମ ଧାନ ବିହନ ବଦଳରେ ଅଧିକ ଅମଳକ୍ଷମ ଓ ବିପର୍ଯ୍ୟୟ ସହନଶୀଳ ନୂତନ କିସମର ଧାନ ବିହନ ଉତ୍ପାଦନ ପାଇଁ ୨୦୧୨-୧୩ ମସିହାରୁ କେନ୍ଦ୍ର ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଆସୁଥିଲେ । ଏ ବାବଦରେ ରାଜ୍ୟକୁ ବାର୍ଷିକ ପ୍ରାୟ ୯ କୋଟି ଟଙ୍କା ମିଳୁଥିଲା । ଏହି ରାଶିର ୭୫ ଭାଗ ବିହନ ଉତ୍ପାଦନ କରୁଥିବା ଚାଷୀ ୨୫ ପ୍ରତିଶତ ଅର୍ଥ ରାଜ୍ୟରେ ବିହନ ଯୋଗାଣ ଦାୟିତ୍ୱରେ ଥିବା ଓଡିଶା ରାଜ୍ୟ ବିହନ ନିଗମ ପାଉଥିଲା ।
ତେବେ ଗତବର୍ଷ ଠାରୁ କେନ୍ଦ୍ର ସରକାର ଏହି ପ୍ରୋତ୍ସାହନ ରାଶି ବନ୍ଦ କରିଦେଇଛନ୍ତି । ଏଥିଯୋଗୁଁ ରାଜ୍ୟରେ ଥିବା ପ୍ରାୟ ୬ହଜାର ବିହନ ଉତ୍ପାଦନକାରୀ ଚାଷୀ ଆଉ ନୂତନ କିସମର ଧାନ ବିହନ ଚାଷ କରିବାପାଇଁ ଆଗ୍ରହୀ ହେଉ ନାହାନ୍ତି । ଉଲ୍ଲେଖନୀୟ ଯେ ନୂତନ କିସମର ଧାନ ବିହନର ପ୍ରଚାର ପ୍ରସାର ବାବଦରେ କେନ୍ଦ୍ର ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ରାଜ୍ୟରେ ମାତ୍ର ୪ ରୁ ୫ ପ୍ରତିଶତ ଏହି କିସମର ବିହନ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ହେଲେ ବିହନ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବାପରେ ସେମାନେ ଅଧିକରୁ ଅଧିକ ନୂତନ ଧାନ ଉତ୍ପାଦନ କରିବା ଫଳରେ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷୀଙ୍କ ନିକଟରେ ଏହା ପହଞ୍ଚିଥିଲା ।
ପୂର୍ବରୁ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଉତ୍ପାଦନ ହେଉଥିବା ଧାନ ବିହନର ପରିବହନ ଓ ପ୍ରକ୍ରିୟାକରଣ ବାବଦରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଅର୍ଥକୁ ବନ୍ଦକରି ଦେଇଥିଲେ । ଏହାପରେ ନୂତନ କିସମର ଅଧିକ ଅମଳକ୍ଷମ ଧାନ ବିହନ ଉତ୍ପାଦନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇଦେଲେ । ବିହନ ଉତ୍ପାଦନ କରୁଥିବା ଚାଷୀ ଯେଉଁମାନେ କି ଗୋଟିଏ ହେକ୍ଟର ଜମିରେ ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଏଭଳି ଧାନ ବିହନ ଉତ୍ପାଦନ କରୁଥିଲେ ସେମାନଙ୍କୁ ୩୯ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିଲା । ଏଥିଯୋଗୁଁ ରାଜ୍ୟର ବିହନ ଚାଷୀମାନେ ଅଧିକ ନୂତନ କିସମର ଧାନ ବିହନ ଉତ୍ପାଦନ କରୁଥିବାବେଳେ ଚାଷୀ ମଧ୍ୟ ନୂତନ ବିହନ ପାଇଁ ଆଗ୍ରହୀ ହୋଇଥିଲେ ।
ଏହାଦ୍ୱାରା କେବଳ ରାଜ୍ୟରେ ନୂତନ କିସମର ଧାନ ବିହନର ବ୍ୟବହାର ବଢିନଥିଲା ରାଜ୍ୟ ବିହନ ନିଗମର ଆର୍ଥିକ ସ୍ଥିତିରେ ବି କିଛିଟା ସୁଧାର ଆସିଥିଲା । ଗୋଟିଏ ପଟେ ପ୍ରୋତ୍ସାହନ ରାଶିରୁ ୨୫ ପ୍ରତିଶତ ପ୍ରାପ୍ୟ ପାଇଥିବାବେଳେ ଅଧିକରୁ ଅଧିକ ଧାନ ବିହନ କାରବାର ବି ହୋଇଥିଲା । ରାଜ୍ୟ କୃଷି ବ୍ୟବସ୍ଥାର ଏହି ଅଗ୍ରଗାମୀ ସଂସ୍ଥାଟି ବିହନ ବ୍ୟବସାୟ ଅର୍ଥ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ରାଶି ବନ୍ଦ ଯୋଗୁଁ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ବାରମ୍ବାର ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡିଶାରେ ଅଧିକ ଅମଳକ୍ଷମ ଓ ବିପର୍ଯ୍ୟୟ ସହନଶୀଳ ନୂତନ କିସମର ଧାନ ବିହନ ବ୍ୟବହାର ଉପରେ ବିଶେଷଜ୍ଞମାନେ ଗୁରୁତ୍ୱଆରୋପ କରୁଥିବାବେଳେ କେନ୍ଦ୍ର ସରକାର ଏ ବାବଦରେ ଦେଉଥିବା ସ୍ୱଳ୍ପ ପରିମାଣର ପ୍ରୋତ୍ସାହନରାଶିକୁ ବନ୍ଦ କରିଦେବା ଏବେ ଉଭୟ ଚାଷୀ ଓ କୃଷି ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାଦ୍ୱାରା କେବଳ ନୂତନ କିସମର ବିହନ ଉତ୍ପାଦନ ବ୍ୟାହତ ହେବନାହିଁ, ରାଜ୍ୟରେ ଧାନ ଅମଳ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । (ତଥ୍ୟ)