ଭୁବନେଶ୍ୱର : ଚାଷ ଜମିକୁ ଅଣଚାଷ କ୍ଷେତ୍ରରେ ବ୍ୟବହାର ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଓଡିଶା ସମେତ ସମଗ୍ର ଦେଶରେ ଚାଷଜମିର ପରିମାଣ ହ୍ରାସ ପାଇବାରେ ଲାଗିଛି । ଚାଷ ଜମି ହ୍ରାସ ସଂକ୍ରାନ୍ତରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ରିପୋର୍ଟରୁ ଏହା ଜଣାପଡିଛି ।
ଏହି ସୂଚନା ଅନୁଯାୟୀ ୨୦୧୬-୧୭ ମସିହାରେ ଓଡିଶାରେ ଚାଷ ଜମିର ପରିମାଣ ୬୬୯୦ ହଜାର ହେକ୍ଟର ଥିବାବେଳେ ୨୦୧୮-୧୯ ରେ ତାହା ୬୬୭୫ ହେକ୍ଟରକୁ ହ୍ରାସ ପାଇଛି । ତେବେ ଛତିଶଗଡକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପଡୋଶୀ ରାଜ୍ୟଗୁଡିକରେ ଏହି ସମୟରେ ଚାଷଜମିର ପରିମାଣ ହ୍ରାସ ପାଇଥିବା ଜଣାଯାଇଛି । ଛତିଶଗଡରେ ଏହି ସମୟରେ ଚାଷ ଜମିର ପରିମାଣ ୧୨ହଜାର ହେକ୍ଟର ବୃଦ୍ଧି ପାଇଛି ।
ସେହିଭଳି ସମଗ୍ର ଦେଶରେ ମଧ୍ୟ ଚାଷଜମିର ପରିମାଣ ହ୍ରାସ ପାଇ ଚାଲିଛି । ୨୦୧୩-୧୪ ବର୍ଷରେ ଭାରତରେ ୧,୮୧,୮୪୯ ହଜାର ହେକ୍ଟର ପରିମିତ ଅଞ୍ଚଳର ଚାଷଜମି ଥିବାବେଳେ ଏହା କ୍ରମାଗତ ଭାବେ ହ୍ରାସ ପାଇ ୨୦୧୮-୧୯ ରେ ୧,୮୦,୮୮୮ ହଜାର ହେକ୍ଟରରେ ପହଞ୍ଚିଛି ।
ଚାଷ ଜମି ଯେଭଳି ଅଣଚାଷ କାର୍ଯ୍ୟରେ ବ୍ୟବହୃତ ନହେବ ସେଥିପାଇଁ କେନ୍ଦ୍ର ସରକାର ଜାତୀୟ କୃଷକ ନୀତି ୨୦୦୭ ଜାରି କରିବା ସହିତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ସ୍ପଷ୍ଟଭାବେ କୁହାଯାଇଥିଲା ଯେ ଯେଉଁସବୁ ଚାଷଜମି ଲୁଣା, ଏସିଡ ଆଦି ଦ୍ୱାରା ପ୍ରଭାବିତ ତାହାକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ସହିତ ଚାଷ ଜମିକୁ ଶିଳ୍ପ ଓ ନିର୍ମାଣ ଭଳି ଅଣକୃଷି କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବନାହିଁ । ସେହିଭଳି ଜାତୀୟ ଥଇଥାନ ଓ ପୁର୍ନବାସ ନୀତି ୨୦୦୭ରେ ସୁପାରିଶ୍ କରାଯାଇଥିଲା ଯେ ଯେତେଦୂର ସମ୍ଭବ ପ୍ରକଳ୍ପଗୁଡିକ ଅଣଚାଷ ଓ ଅଣସେଚିତ ଜମିରେ କରାଯିବା ଆବଶ୍ୟକ । ଅଣକୃଷି କାର୍ଯ୍ୟ ପାଇଁ ଜଳସେଚିତ, ବହୁଫସଲି ଜମି ଅଧିଗ୍ରହଣ ନକରିବା ପାଇଁ ସ୍ପଷ୍ଟ ଭାବେ କୁହାଯାଇଥିଲା ।
ତେବେ କେନ୍ଦ୍ର ସରକାରଙ୍କ ଏଭଳି ସୁପାରିଶ୍ ଓ ପରାମର୍ଶକୁ ଓଡିଶା ସମେତ ଅଧିକାଂଶ ରାଜ୍ୟ ଅଣଦେଖା କରୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଆମ ରାଜ୍ୟରେ ଦ୍ରୁତ ସହରୀକରଣ ଯୋଗୁଁ ସହର ଆଖପାଖରେ ଥିବା ଚାଷଜମିର କଳେବର ହ୍ରାସ ପାଇବାରେ ଲାଗିଛି । ନିର୍ମାଣକାରୀ ସଂସ୍ଥାମାନେ ଚାଷୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସେମାନଙ୍କ ଜମି ଖରିଦ କରୁଛନ୍ତି । ଯେଉଁମାନେ ଜମି ଦେବାକୁ ରାଜି ହେଉନାହାନ୍ତି ସେମାନଙ୍କ ବିରୁଦ୍ଧରେ ବାହୁବଳ ପ୍ରୟୋଗ ପାଇଁ ପଛାଉ ନାହାନ୍ତି ।
ଶିଳ୍ପାୟନ ଓ ନିର୍ମାଣ ଯୋଗୁଁ ଆମ ରାଜ୍ୟରେ କେବଳ ଚାଷ ଜମି ପରିମାଣ ହ୍ରାସ ପାଉନାହିଁ, ଜଙ୍ଗଲ ବି କାଟିବାକୁ ପଡୁଛି । ଖଣି, ଶିଳ୍ପ ଆଦି ପାଇଁ କଟା ଯାଉଥିବା ଜଙ୍ଗଲକୁ କ୍ଷତିପୂରକ ବନୀକରଣ ଯୋଜନାରେ ଭରଣା ପାଇଁ ନିୟମ ଥିଲେ ମଧ୍ୟ ଅଧିକାଂଶ ସମୟରେ ତାହା ଭରଣା ହେବାପାଇଁ ବର୍ଷ ବର୍ଷ ସମୟ ଲାଗି ଯାଉଛି । ଏଥିଯୋଗୁଁ ଧିରେ ଧିରେ ଜଳବାୟୁ ପରିବର୍ତ୍ତନ ଭଳିସମସ୍ୟା ଦେଖା ଦେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)