Home Finance ବଜେଟ୍‍ ୨.୪୦ ଲକ୍ଷ କୋଟି ଟପିବ

ବଜେଟ୍‍ ୨.୪୦ ଲକ୍ଷ କୋଟି ଟପିବ

ଭୁବନେଶ୍ୱର : ଓଡିଶାର ୨୦୨୩-୨୪ ବର୍ଷର ବଜେଟ୍‍ ୨.୪୦ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଼ପ୍ରତିବର୍ଷ ବଜେଟ୍‍ ଆକାର ୨୦ ରୁ ୨୫ ପ୍ରତିଶତ ଅଭିବୃଦ୍ଧି ହେଉଥିବା ଦୃଷ୍ଟିରୁ ଆଗାମୀ ବଜେଟ୍‍ ଏଭଳି ହେବ ବୋଲି ଅର୍ଥନୈତିକ ବିଶାରଦମାନେ ଆଶା କରୁଛନ୍ତି ।

୨୦୨୨-୨୩ ବର୍ଷରେ ବଜେଟ୍‍ ଆକାର ୨ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୨୦ ରୁ ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୦୦୦-୦୧ ରେ ବଜେଟ୍‍ର ଆକାର ୧୧,୦୪୭ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ରେ ଏହା ୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ରାଜସ୍ୱ ଆୟ ପରିମାଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଯୋଗୁଁ ଆଗାମୀ ଆର୍ଥିକ ବର୍ଷରେ ବଜେଟ୍‍ର ଆକାର ଆହୁରି ବଢିବ ବୋଲି ଅର୍ଥନୈତିକ ବିଶାରଦ ମାନେ ଆକାଳନ କରୁଛନ୍ତି । ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ସର୍ବଶେଷ ଆକଳନ ଅନୁଯାୟୀ ବିଶ୍ୱର ଅର୍ଥ ବ୍ୟବସ୍ଥା ଏହି ବର୍ଷ ୩.୨ ପ୍ରତିଶତ ଅଭିବୃଦ୍ଧି କରିବ । ୨୦୨୩ ରେ ଏହା ୨.୭ ପ୍ରତିଶତ ଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ର ଆକଳନ ଅନୁଯାୟୀ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ଏବଂ ୨୦୨୩-୨୪ ରେ ଅଭିବୃଦ୍ଧି ୬.୫ ପ୍ରତିଶତ ହୋଇପାରେ । ତେବେ ଓଡିଶା କ୍ଷେତ୍ରରେ ୨୦୨୨-୨୩ ବର୍ଷରେ ଅଭିବୃଦ୍ଧି ୮ ପ୍ରତିଶତ ଆକଳନ ହୋଇଥିବାବେଳେ ୨୦୨୩-୨୪ ରେ ମଧ୍ୟ ଏହି ଅଭିବୃଦ୍ଧି ଧାରା ଜାରି ରହିବ ।

ବିଶ୍ଲେଷକମାନେ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ବଜେଟ୍‍ ପ୍ରସ୍ତୁତି ମାଇକ୍ରୋ ଅର୍ଥନୀତି ଆଧାରରେ ପ୍ରସ୍ତୁତ ହେଉଛି । ଯାହାର ଉଦ୍ଦେଶ୍ୟ ହେଉଛି ନିଅଣ୍ଟିଆ ସ୍ଥିତିର ମୁକାବିଲା ଏବଂ ମଜବୁତ ଆର୍ଥିକ ସ୍ଥିତି ବଜାୟ ରଖିବା । ଏହା ସାର୍ବଜନିକ ନିଷ୍ପତ୍ତିକୁ ଗୁରୁତ୍ୱ ଦେବା ସହିତ ଆର୍ଥିକ କ୍ଷେତ୍ରରେ ଦେଖାଦେଉଥିବା ଆଶଙ୍କାଗୁଡିକୁ ମଧ୍ୟ ଦୃଷ୍ଟିରେ ରଖାଯାଇଥାଏ ।

ତେଣୁ ବଜେଟ୍‍ ପ୍ରସ୍ତୁତ ପ୍ରକ୍ରିୟାରେ ରାଜକୋଷର ସ୍ଥିରତା ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନର ରାଜସ୍ୱ ଆୟକୁ ଦୃଷ୍ଟିରେ ରଖି ଉନ୍ନୟନ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରାଯାଉଛି । ରାଜସ୍ୱ ବ୍ୟୟକୁ ହ୍ରାସ କରିବାପାଇଁ ପଦକ୍ଷେପ ନିଆଯାଉଛି ।

ବଜାର ଉପରେ ନିର୍ଭରଶୀଳତା ହ୍ରାସ ହୋଇଛି । କାରଣ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଉଠାଇବା ବସ୍ତୁତଃ ବନ୍ଦ କରିଦେଇଛନ୍ତି । ତେଣୁ ରାଜ୍ୟରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧିର ହାର ୮.୨ ପ୍ରତିଶତକୁ ବଜାୟ ରଖିବା ସକାଶେ ବଡ ଧରଣର ବଜେଟ୍‍ ପ୍ରସ୍ତୁତିରେ ବରିଷ୍ଠ ଅଧିକାରୀମାନେ ଲାଗି ପଡିଥିବା ଜଣାଯାଇଛି । (ତଥ୍ୟ)