ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ଦେବାପାଇଁ ଏବେ ଦାବି ଜୋର ଧରିଛି । ଏଥିଲାଗ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ର ସମେତ ଜଟଣୀ ଓ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବୈଠକମାନ ଅନୁଷ୍ଠିତ ହେଉଛି ।
ଏଥିରେ ବହୁ ଶିକ୍ଷାବିତ୍, ପ୍ରାକ୍ତନ ପ୍ରଶାସକ, ଆଇନ୍ଜୀବୀ ଓ ସମାଜସେବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଯୋଡି ହେଉଛନ୍ତି । ଭୁବନେଶ୍ୱରରେ ରାଜ୍ୟର ରାଜଧାନୀ ଥିବା ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହୁକୁମା ଭୁବନେଶ୍ୱରରେ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଅତୀତରେ ବିଧାନସଭା ଅଧିବେଶନ ସମେତ ଅନ୍ୟ ଛୋଟ ବଡ ଆନ୍ଦୋଳନ ସମୟରେ ଅବିଭକ୍ତ ପୁରୀର ଜିଲ୍ଲାପାଳ ଭୁବନେଶ୍ୱରରେ ଅଧିକାଂଶ ସମୟ ଡେରା ପକାଉଥିଲେ ।
ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଜିଲ୍ଲା ପୁର୍ନଗଠନବେଳେ ଉଭୟ ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଜିଲ୍ଲା ଦାବି ଉଠିବା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାକୁ ତିନିଭାଗରେ ବିଭକ୍ତ କରାଯିବାବେଳେ ଖୋରଧା ଜିଲ୍ଲା ଗଠନ କରାଯାଇ ଏହାର ମୁଖ୍ୟ ଦପ୍ତର ଭୁବନେଶ୍ୱରରେ ରଖାଯାଇଥିଲା ।
ପରବର୍ତ୍ତୀ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଜିଲ୍ଲାପାଳଙ୍କ ଦପ୍ତର ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସ୍ଥାନାନ୍ତର କରାଯିବା ସହିତ ଅନ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋର୍ଦ୍ଧାରେ ପ୍ରତିଷ୍ଠା କରାଯାଇଛି । ପୂର୍ବରୁ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଆଇନ୍ଜୀବୀମାନେ ବାରମ୍ବାର ଆନ୍ଦୋଳନ କରିଛନ୍ତି ଏବଂ ପରବର୍ତ୍ତୀ ଜିଲ୍ଲା ପୁର୍ନଗଠନ ସମୟରେ ଭୁବନେଶ୍ୱର ପ୍ରସଙ୍ଗ ବିଚାରକୁ ନିଆଯିବ ବୋଲି ଅତୀତରେ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ନୂତନ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିବା ପରିପ୍ରେକ୍ଷୀରେ ରାଜ୍ୟର ଅନେକ ସ୍ଥାନରେ ପୁଣି ଜିଲ୍ଲା ଦାବି ମୁଣ୍ଡ ଟେକୁଛି ।
ଇତି ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ ଆବାହକତ୍ୱରେ ଭୁବନେଶ୍ୱର ଜିଲ୍ଲା ଗଠନ ଦାବିରେ ଅନେକଗୁଡିଏ ବୈଠକ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଗଲାଣି । ଦଳ ମତ ନିର୍ବିଶେଷରେ ଏହି ଦାବି ପ୍ରତି ସମର୍ଥନ ମିଳୁଛି । ଏବେ ଖୋର୍ଦ୍ଧାର ଜିଲ୍ଲାପାଳଙ୍କୁ ମାସରେ ଅଧିକାଂଶ ଦିନ ବିଭିନ୍ନ କାରଣରୁ ଭୁବନେଶ୍ୱର ଦଉଡିବାକୁ ପଡୁଛି । ଭୁବନେଶ୍ୱରରେ ବି ଦୀର୍ଘବର୍ଷ ଧରି ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ରହିଛି ।
ଏମିତିକି ଏଠାରେ ମଧ୍ୟ ଜିଲ୍ଲାପାଳଙ୍କର ଏକ ଅସ୍ଥାୟୀ ଦପ୍ତର ବହୁବର୍ଷ ଧରି ଚାଲୁଥିଲା । ଖୋର୍ଦ୍ଧାରେ ଜିଲ୍ଲାର ସଦର ମହୁକୁମା ରହିବା ଫଳରେ ରାଜଧାନୀର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ବି ଏଠୁ ଲୋକଙ୍କୁ ଖୋରଧା ଦଉଡିବାକୁ ପଡୁଛି । ଦେଶର ପ୍ରାୟ ସବୁ ରାଜ୍ୟର ରାଜଧାନୀର ସହରକୁ ଜିଲ୍ଲା ମାନ୍ୟତା ମିଳିଥିବାବେଳେ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତର ହେବା ପରଠାରୁ ଏଯାବତ୍ ପ୍ରାୟ ୭୫ବର୍ଷ ଧରି ଏକ ବ୍ୟତିକ୍ରମ ହୋଇ ରହିଛି ।
ଦଳ ମତ ନିର୍ବିଶେଷରେ ଭୁବନେଶ୍ୱରକୁ ଜିଲ୍ଲାରେ ପରିଣତ କରିବାଲାଗି ଦାବି ଉଠୁଥିବା ପରିପ୍ରେକ୍ଷୀରେ ପଦ୍ମପୁର ସହିତ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ମିଳିବ କି ପରେ ଏକଥା ବିଚାର କରାଯିବ ତାହା ସରକାରୀ ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । (ତଥ୍ୟ)