ଭୁବନେଶ୍ୱର : ସହରାଞ୍ଚଳରେ ଜଳକର ଆଦାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ଟିସିଏସ୍ ହାତରୁ ଆଣି ପିଡବ୍ଲ୍ୟୁସିକୁ ଦେବାପରେ ଏଭଳି ବିଭ୍ରାଟ ଦେଖାଦେବା ସହିତ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।
ସହରାଞ୍ଚଳରେ ପାନୀୟଜଳ ବାବଦୀୟ ବିଲ୍ ପ୍ରସ୍ତୁତି ଦାୟିତ୍ୱ ଥିଲା ଟିସିଏସ୍ ହାତରେ । ଏହା ସରକାରଙ୍କ ଇ-ମ୍ୟୁନିସିପାଲଟି ପ୍ଲାଟଫର୍ମରେ କାର୍ଯ୍ୟକାରୀ ହେଉଥିଲା । ହେଲେ ଗତବର୍ଷ ଅଗଷ୍ଟ ମାସରୁ ସରକାର ଟିସିଏସ୍ ବଦଳରେ ଏହି କାର୍ଯ୍ୟ ପ୍ରାଇସ୍ ୱାଟର କୁପର (ପିଡବ୍ଲ୍ୟୁସି)କୁ ଦେଇଛନ୍ତି । ତେବେ ପିଡବ୍ଲ୍ୟୁସି ଇ-ମ୍ୟୁନିସିପାଲଟି ପ୍ଲାଟଫର୍ମ ବଦଳରେ ଏହାକୁ ସୁଯୋଗ ପ୍ଲାଟଫର୍ମ ଜରିଆରେ କାର୍ଯ୍ୟକାରୀ କରୁଛି । ସୁଯୋଗ ପ୍ଲାଟଫର୍ମ ହେଉଛି ନନ୍ଦନ ନିଲେକେନିଙ୍କ ଇ-ଗଭ୍ ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତ ଡିଜିଟି ପ୍ଲାଟଫର୍ମ । ଏହା ଓଡିଶାରେ ସୁଯୋଗ ନାମରେ କାର୍ଯ୍ୟ କରୁଛି ।
ତେବେ ଟିସିଏସ୍ ଠାରୁ ଏହି ବ୍ୟବସ୍ଥା ପିଡବ୍ଲ୍ୟୁସି ହାତକୁ ଆସିବାପରେ ଏବେ ବିଭ୍ରାଟ ଉପୁଜିଛି । ଅଧିକାଂଶ ହିତାଧିକାରୀଙ୍କର ଜଳକର ବିଲ୍ ମିଳୁନାହିଁ । ଫଳରେ ସେମାନେ ନିୟମିତ ଭାବେ ଜଳକର ଦେଇପାରୁ ନାହାନ୍ତି । ତେବେ ସବୁଠାରୁ ବଡ କଥା ହେଲା ପୂର୍ବରୁ ଯେଭଳି ଭାବେ ଆଗୁଆ ବିଲ୍ ପଇଠ କଲେ ରିହାତି ଓ ବିଳମ୍ବରେ ବିଲ୍ ପଇଠ କରେ ତଣ୍ଡ ଗଣିବାକୁ ପଡୁଥିଲା ସେହି ବ୍ୟବସ୍ଥାଟି କାର୍ଯ୍ୟକାରୀ କରୁନାହିଁ । ଏଥିଯୋଗୁଁ ଲକ୍ଷାଧିକ ଖାଉଟି ମନଇଚ୍ଛା ବିଳମ୍ବରେ ଜଳକର ଦେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ଟଙ୍କାଟିଏ ବିଳମ୍ବିତ ଦେୟ ବାବଦୀୟ ଅର୍ଥ ଆଦାୟ କରିପାରୁ ନାହାନ୍ତି । ଏ ବାବଦରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା କର୍ମଚାରୀମାନେ ସ୍ୱୀକାର କରୁଛନ୍ତି ।
ବର୍ତ୍ତମାନ ଜଣେ ବ୍ୟକ୍ତି ନଜର ଜଳକର ସଂକ୍ରାନ୍ତରେ ଜାଣିବାକୁ ଗଲେ ଦାୟିତ୍ୱରେ ଥିବା ଅଧିକାରୀମାନେ ଉଭୟ ପୂର୍ବର ଇ-ମ୍ୟୁନିସିପାଲଟି ଓ ବର୍ତ୍ତମାନର ସୁଯୋଗ ପ୍ଲାଟଫର୍ମ ଖୋଜୁଛନ୍ତି । ଯେହେତୁ ସୁଯୋଗ ପ୍ଲାଟଫର୍ମଟି ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ ତେଣୁ ଜଳକର ଆଦାୟ ପାଇଁ ପୂର୍ବର ଇ-ମ୍ୟୁନିସିପାଲଟି ଏବେ ଭରସା ପାଲଟିଛି ।
କେବଳ ଜଳ କର ନୁହେଁ ପୂର୍ବରୁ ଇ-ମ୍ୟୁନିସିପାଲଟି ପ୍ଲାଟଫର୍ମରେ ଥିବା ଅଧିକାଂଶ ସେବାରେ ବିଭ୍ରାଟ ଦେଖା ଦେଇଛି । ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନକୁ ଯିବାପରେ ଅବଶ୍ୟ ସେ ନେଇ କୌଣସି ସମସ୍ୟା ଉପୁଜୁନାହିଁ ।
ତେବେ ସବୁଠାରୁ ସମସ୍ୟାରେ ପଡିଛନ୍ତି ଓଡିଶା ୱାନ୍ ପ୍ଲାଟଫର୍ମ କର୍ତ୍ତୃପକ୍ଷ । ଏଠାରେ ଜଳ କର ଆଦାୟ ପାଇଁ ବ୍ୟବସ୍ଥା ଥିବାବେଳେ ଲୋକେ ସେଠାକୁ ଯାଇ ନିଜର ନୂଆ କିମ୍ବା ପୁରୁଣା ଜଳଯୋଗାଣ ଆକାଉଣ୍ଟ ନମ୍ବର ଦେଲେ ବି କୌଣସି ସୂଚନା ଉପଲବ୍ଧ ହେଉନାହିଁ । ଫଳରେ ଏ ନେଇ ଦୈନିକ ଶହ ଶହ ଫୋନ୍ ଓଡିଶା ୱାନ କର୍ତ୍ତୃପକ୍ଷ ପାଇ ବିବ୍ରତ ହୋଇ ପଡିଲେଣି ।
ତେବେ ଟିସିଏସ୍ ଦ୍ୱାରା ଇ-ମ୍ୟୁନିସିପାଲିଟି ପ୍ଲାଟଫର୍ମରେ ବିଭିନ୍ନ ସେବା ସୁରୁଖୁରୁରେ ମିଳୁଥିବାବେଳେ କେଉଁ କାରଣରୁ ଏହି କାର୍ଯ୍ୟ ପିଡବ୍ଲ୍ୟୁସିକୁ ଦିଆଗଲା ଏବଂ ଲୋକେ ହଇରାଣ ହରକତ ହେଉଥିଲେ ବି ଏଥିରେ ସୁଧାର ଆସିପାରୁ ନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । (ତଥ୍ୟ)