ଭୁବନେଶ୍ୱର : ସ୍ନାତକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ଅଧ୍ୟାପକଙ୍କ ଶ୍ରେଣୀପିଛା ପାଉଣା ହେଉଛି ୫୦୦ ଟଙ୍କା । ଗତ ପ୍ରାୟ ୪ବର୍ଷ ଧରି ଏହି ପାଉଣା ବଢୁନଥିବାରୁ କେବଳ ଠିକାରେ ପାଢ ପଠାଉଥିବା ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜୁନାହିଁ ପାଠପଢାର ମାନକୁ ନେଇ ବି ଅଭିଭାବକମାନେ ଆଶଙ୍କା କରୁଛନ୍ତି ।
ରାଜ୍ୟ ସରକାର ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏକାଧିକ ନୂତନ ବିଷୟରେ ପାଠ୍ୟକ୍ରମ ଖୋଲିବା ସହିତ ଆସନ ସଂଖ୍ୟା ବି ବୃଦ୍ଧି କରିଛନ୍ତି । ଏହିସବୁ ବିଷୟରେ ଛାତ୍ରଛାତ୍ରୀମାନେ ବି ନାମ ଲେଖାଇଛନ୍ତି । ତେବେ ସେମାନଙ୍କୁ ପାଠ ପଢାଇବାପାଇଁ ଆବଶ୍ୟକ ସଂଖ୍ୟକ ନିୟମିତ ଅଧ୍ୟାପକ ନଥିବାରୁ ବିଭିନ୍ନ ମହାବିଦ୍ୟାଳୟ ପକ୍ଷରୁ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଦିଆଯିବା ସହିତ ଠିକାରେ ସେମାନଙ୍କୁ ରଖାଯାଉଛି ।
ତେବେ ଏହି ଠିକା ଅଧ୍ୟାପକଙ୍କ ପାଉଣା ହେଉଛି ଶ୍ରେଣୀପିଛା ମାତ୍ର ୫୦୦ ଟଙ୍କା । ଯଦିଓ ସେମାନଙ୍କ ଲାଗି ଏକାଧିକ ଶ୍ରେଣୀ ନେବାର ସୁଯୋଗ ରହିଛି ହେଲେ ଶିକ୍ଷାନୁଷ୍ଠାନରୁ ସେମାନେ ମାସକରେ ୨୫ହଜାର ଟଙ୍କାରୁ ଅଧିକ ପାଉଣା ନେଇ ପାରିବେ ନାହିଁ । ତେଣୁ ଜଣେ ଜଣେ ଅତିଥି ଅଧ୍ୟାପକ ଏବେ ଏକାଧିକ ଶିକ୍ଷାନୁଷ୍ଠାନରେ ପାଠ ପଢାଉଥିବା ଲକ୍ଷ୍ୟ କରାଯାଉଛି ।
କେବଳ ସ୍ନାତକ ଶ୍ରେଣୀରେ ନୁହେଁ, କମ୍ପ୍ୟୁଟର ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ଅତିଥି ଅଧ୍ୟାପକମାନଙ୍କ ପାଉଣା ବି ସମାନ ରହିଛି । ବିଟେକ୍, ଏମ୍ଟେକ୍ ଡିଗ୍ରୀଧାରୀମାନେ ଶ୍ରେଣୀ ପିଛା ୫୦୦ ଟଙ୍କାରେ ପାଠ ପଢାଉଛନ୍ତି । ସେହିଭଳି ସ୍ନାତକ ଛାତ୍ରଛାତ୍ରୀଙ୍କୁ ଠିକାରେ ପଢାଉଥିବା ସଂଖ୍ୟାଧିକ ଅତିଥି ଅଧ୍ୟାପକଙ୍କ ଶିକ୍ଷାଗତ ଯୋଗୁଁ ପିଏଚ୍ଡି, ଏମ୍ଫିଲ୍ ଏପରିକି କେତେଜଣ ଜାତୀୟ ସ୍ତରୀୟ ନିଟ୍ ପରୀକ୍ଷାରେ ବି କୃତକାର୍ଯ୍ୟ ହୋଇଛନ୍ତି ।
ଏଭଳି ଉଚ୍ଚ ଡିଗ୍ରୀଧାରୀମାନଙ୍କୁ ସରକାର ଦୀର୍ଘଦିନ ଧରି ଶ୍ରେଣୀ ପିଛା ପାଠପଢା ବାବଦରେ ୫୦୦ ଟଙ୍କା ଦେଉଥିବାବେଳେ ତାହାକୁ ବୃଦ୍ଧି କରୁ ନାହାନ୍ତି । ଏପରିକି ଏହି ଅତିଥି ଅଧ୍ୟାପକମାନେ ମାସିକ ସୀମାରେଖା ୨୫ହଜାରରୁ ୪୦ହଜାର ଟଙ୍କାକୁ ବଢାଇବାପାଇଁ ଦାବି କରିଆସୁଥିଲେ ବି ସେମାନଙ୍କ ଏହି ଦାବି ପ୍ରତି ଦୃଷ୍ଟି ଦିଆଯାଉ ନାହିଁ ।
ଯେହେତୁ ଏହି ଅତିଥି ଅଧ୍ୟାପକମାନଙ୍କର ଭବିଷ୍ୟତରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ନିଯୁକ୍ତିର ସମ୍ଭାବନା କ୍ଷୀଣ ତେଣୁ ସେମାନେ ୫୦୦ ଟଙ୍କାରେ ସ୍ନାତକ ଡିଗ୍ରୀଧାରୀମାନଙ୍କୁ କେଉଁ ମାନର ଶିକ୍ଷା ଦେଉଥିବେ ତାହାକୁ ନେଇ ଅଭିଭାବକମାନେ ବି ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏପରିକି କେତେକ ମହାବିଦ୍ୟାଳୟରେ ଏହି ଅତିଥି ଅଧ୍ୟାପକମାନଙ୍କୁ ପାଠପଢା ସହିତ ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନା ଭଳି କାର୍ଯ୍ୟରେ ବି ନିୟୋଜିତ କରାଯାଉଛି । ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଏମାନଙ୍କ ଉପରେ ନିର୍ଭରଶୀଳ ଥିବାବେଳେ ସରକାର ଏମାନଙ୍କ ପାଉଣା କାହିଁକି ବୃଦ୍ଧି କରୁନାହାନ୍ତି ତାହା ଏବେ ଉଭୟ ଶିକ୍ଷାବିତ୍ ଓ ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । (ତଥ୍ୟ)