Home General ଅନିଶ୍ଚିତତାରେ ହରିଦ୍ୱାରକୁ ସିଧା ବିମାନ ଚଳାଚଳ

ଅନିଶ୍ଚିତତାରେ ହରିଦ୍ୱାରକୁ ସିଧା ବିମାନ ଚଳାଚଳ

ଭୁବନେଶ୍ୱର : ଓଡିଶାରୁ ହରିଦ୍ୱାରକୁ ସିଧାସଳଖ ବିମାନ ଚଳାଚଳ ଆଶା ମଉଳିବାରେ ଲାଗିଛି । ଭୁବନେଶ୍ୱର ଓ ଡେରାଡୁନ୍‍ ମଧ୍ୟରେ ଆରସିଏସ୍‍ ଉଡାନ୍‍ ଯୋଜନାରେ ବିମାନ ଚଳାଚଳ ସମ୍ଭବ ନଥିବାବେଳେ ଘରୋଇ ବିମାନ କମ୍ପାନୀମାନେ ଚାହିଁଲେ ଏହି ରୁଟ୍‍ରେ ବିମାନ ଉଡିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ଓଡିଶାରୁ ଦେଶର ଅନ୍ୟତମ ତୀର୍ଥସ୍ଥାନ ହରିଦ୍ୱାର, ଋଷିକେଶ, କେଦାନନାଥ ଓ ବଦ୍ରିନାଥ ଆଦି ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଭୁବନେଶ୍ୱରରୁ ଡେରାଡୁନ୍‍କୁ ସିଧାସଳଖ ବିମାନଚଳାଚଳ ପାଇଁ ଦୀର୍ଘ ଦିନରୁ ରାଜ୍ୟର ଲୋକପ୍ରତିନିଧିମାନେ ଦାବି କରି ଆସୁଛନ୍ତି । କିଛି ଦିନ ତଳେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏ ସଂକ୍ରାନ୍ତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବ ରାଓ ସିନ୍ଧିଆଙ୍କୁ ପତ୍ର ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଶ୍ରୀ ସିଂହଦେଓ ଦର୍ଶାଇଥିଲେ ଯେ ଐତିହ୍ୟ ସହର ପୁରୀ ଓ ଭୁବନେଶ୍ୱର ସହିତ ଡେରାଡୁନ୍‍କୁ ସିଧାସଳଖ ବିମାନ ଚଳାଚଳ ହେଲେ ଏହା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ବେଶ୍‍ ଲାଭଦାୟକ ହେବ ।

ନିକଟରେ ସାଂସଦ ମହେଶ ସାହୁ ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ତେବେ ଏ ସଂକ୍ରାନ୍ତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ଡେରାଡୁନ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି । ତେଣୁ ଏହି ରୁଟ୍‍ରେ ଆରସିଏସ ଉଡାନ ଯୋଜନାରେ ବିମାନ ଚଳାଚଳ ସମ୍ଭବ ନୁହେଁ । ସେହିଭଳି ଏୟାର କର୍ପୋରେସନ ଆଇନ୍‍ ୧୯୯୪ ରେ ସଂଶୋଧନ ଫଳରେ ଦେଶରେ ବିମାନ ଚଳାଚଳ ଏବେ ସରକାରଙ୍କ ନିୟନ୍ତ୍ରଣ ମଧ୍ୟରେ ନାହିଁ । ଏହା ଘରୋଇ ବିମାନ କମ୍ପାନୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ବିମାନ ଚଳାଉଥିବା କମ୍ପାନୀଗୁଡିକ ଚାହିଁଲେ ଏହି ରୁଟ୍‍ରେ ସେମାନଙ୍କ ବିମାନ ଚଳାଇପାରିବେ । ଏହି ଦୁଇ ରାଜ୍ୟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କଲେ ସେମାନଙ୍କର କେତେ ଲାଭ ହେବ ତାହାକୁ ଦୃଷ୍ଟିରେ ରଖି ଘରୋଇ ବିମାନ ସଂସ୍ଥାଗୁଡିକ ନିଷ୍ପତ୍ତି ଗ୍ରହଣ କରିବେ । ଏଥିରେ ସରକାରଙ୍କର ସେଭଳି କୌଣସି ଭୂମିକା ନାହିଁ ।

କେନ୍ଦ୍ର ସରକାର ଏଭଳି ସୂଚନା ଦେବାପରେ ବସ୍ତୁତଃ ଦେଶର ଏହି ଦୁଇ ଐତିହ୍ୟ ସମ୍ପନ୍ନ ରାଜ୍ୟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଆଶା ମଉଳିବାରେ ଲାଗିଛି । ବର୍ତ୍ତମାନ ଏହି ଦୁଇ ରାଜ୍ୟ ମଧ୍ୟରେ କେବଳ ରେଳ ଓ ସଡକ ସଂଯୋଗ ହିଁ ଏକମାତ୍ର ଭରସା । ବିଶେଷକରି ପର୍ଯ୍ୟଟକ ଓ ଭକ୍ତମାନେ ରେଳ ଯୋଗେ ହିଁ ଯାଇଥାନ୍ତି । କେନ୍ଦ୍ର ସରକାର ଦେଶର ବିଭିନ୍ନ ଐତିହ୍ୟ ସହରକୁ ଯୋଡିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଓଡିଶାର ଲୋକପ୍ରତିନିଧିମାନଙ୍କ ବାରମ୍ବାର ଦାବି ସତ୍ୱେ ଭୁବନେଶ୍ୱର-ଡେରାଡୁନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ ନକରିବା ଏବେ ରାଜ୍ୟବାସୀଙ୍କୁ ନିରାଶ କରିଛି । (ତଥ୍ୟ)