Home Judiciary ଅଦାଲତି ମାମଲା ଯୋଗୁଁ ଅଟକିଛି ପୌର ନିର୍ବାଚନ

ଅଦାଲତି ମାମଲା ଯୋଗୁଁ ଅଟକିଛି ପୌର ନିର୍ବାଚନ

ଭୁବନେଶ୍ୱର : ଆଇନ୍‍ ଅଦାଲତରେ ମାମଲା ବିଚାରାଧିନ ଥିବାରୁ ଦୁଇଟି ମହାନଗର ନିଗମ ସମେତ ପୁରୀ ପୌରସଂସ୍ଥା ଲାଗି ନିର୍ବାଚନ ହୋଇପାରୁ ନାହିଁ । ଫଳରେ ଏହି ତିନିଟି ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସରକାରୀ କର୍ମଚାରୀମାନେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ପୁରୀ ପୌରସଂସ୍ଥା ପାଇଁ ନିର୍ବାଚନ ଅନ୍ୟ ପୌରସଂସ୍ଥାଗୁଡିକ ସହିତ ଗତବର୍ଷ ହେବାର ଥିଲା । ତେବେ ଏହି ପୌର ନିର୍ବାଚନମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରସଙ୍ଗରେ ଆଇନ୍‍ ଅଦାଲତରେ ମାମଲା ଚାଲିବାରୁ ରାଜ୍ୟ ନିର୍ବାଚନ କମିଶନ ପୁରୀ ପୌର ପରିଷଦ ପାଇଁ ହେବାକୁ ଥିବା ନିର୍ବାଚନକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ ।

ସେହିଭଳି ନବଗଠିତ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ପାଇଁ ଆଇନ୍‍ଗତ ଝାମେଲା ଯୋଗୁଁ ପ୍ରତିନିଧି ନିର୍ବାଚନ ହୋଇପାରୁ ନାହିଁ । ସମ୍ବଲପୁର ଓ ରାଉରକେଲା ପୌର ପରିଷଦକୁ ରାଜ୍ୟ ସରକାର ମହାନଗର ନିଗମକୁ ଉନ୍ନୀତ କରିଥିଲେ । ଏ ଦୁଇଟି ମହାନଗର ନିଗମ ପାଇଁ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରସଙ୍ଗ ଘେନି ବିଭିନ୍ନ ମହଲରୁ ଆପତ୍ତି ଅଭିଯୋଗ ଉଠି ପରେ ତାହା ଅଦାଲତ ପର୍ଯ୍ୟନ୍ତ ଯାଇଛି । ପ୍ରାୟ ୭ବର୍ଷ ତଳୁ ଏହି ଦୁଇଟି ମହାନଗର ନିଗମ ଗଠିତ ହୋଇଥିଲେ ମଧ୍ୟ ଆଇନ୍‍ଗତ ବିବାଦ ଯୋଗୁଁ ଏଠାରେ କର୍ପୋରେଟର ଓ ମେୟର ନିର୍ବାଚନ ହୋଇପାରୁ ନାହିଁ ।

ରାଜ୍ୟ ନିର୍ବାଚନ କମିଶନ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦୃଷ୍ଟି ଏ ସଂକ୍ରାନ୍ତରେ ଆକର୍ଷଣ କରାଯିବାରେ ସେମାନେ ରୋକଠୋକ୍‍ ଭାବେ କହୁଛନ୍ତି ଯେ ଆଇନ୍‍ଗତ ବିବାଦ ନଥିଲେ ୨୦୨୨ ମସିହାରେ ଅନ୍ୟ ମହାନଗର ନିଗମ ଓ ପୌରସଂସ୍ଥା ସହ ସମ୍ବଲପୁର ଓ ରାଉରକେଲାରେ ବି ନିର୍ବାଚନ ହୋଇଯାଇଥାନ୍ତା । ଆଇନ୍‍ ଅଦାଲତ ଯେବେ ନିର୍ଦ୍ଦେଶ ଦେବେ ସେବେ ତୁରନ୍ତ ଏଠାରେ ନିର୍ବାଚନ କରିବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ଅଛନ୍ତି ।

ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ଦାବି କରୁଛନ୍ତି ଯେ ସମ୍ବଲପୁର, ରାଉରକେଲା ଓ ପୁରୀ ପୌର ନିର୍ବାଚନ କରାଗଲେ ସେମାନଙ୍କ ଦଳ ଏଠାରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ । ଏବେ ପୁରୀ ଓ ସମ୍ବଲପୁରରେ ବିଜେପିର ବିଧାୟକ ଥିବାବେଳେ ରାଉରକେଲାରେ ବିଧାୟକ ରହିଛନ୍ତି ବିଜେଡିର । ତେବେ ପୁରୀ ଲୋକସଭା ଆସନ ବିଜେଡି କବଜାରେ ଥିବାବେଳେ ସମ୍ବଲପୁର ଓ ସୁନ୍ଦରଗଡ ଲୋକସଭା ଆସନ ବିଜେପି ଅକ୍ତିଆରରେ ଥିବାରୁ ଏହି ତିନିଟି ପୌରସଂସ୍ଥା ଦଖଲ ପାଇଁ ଉଭୟ ବିଜେଡି ଓ ବିଜେପି ଆଶା ରଖିବା ସ୍ୱାଭାବିକ ।

୨୦୨୪ରେ ରାଜ୍ୟ ବିଧାନସଭା ସହ ଲୋକସଭାର କାର୍ଯ୍ୟକାଳ ପୁରୁଛି । ଏଥିପାଇଁ ୨୦୨୪ ମାର୍ଚ୍ଚମାସରେ କିମ୍ବା ତାହା ପୂର୍ବରୁ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ । ମୁଣ୍ଡ ଉପରେ ଲୋକସଭା ଓ ବିଧାନସଭା ନିର୍ବାଚନ ଥିବାରୁ ଧାମନଗର ଓ ପଦ୍ମପୁର ବିଧାନସଭା ଉପନିର୍ବାଚନ ଯେଭଳି ରାଜନୈତିକଦଳଗୁଡିକ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ଥିଲା ସେହିଭଳି ଏହି ତିନିଟି ପୌର ନିର୍ବାଚନ ମଧ୍ୟ ସବୁ ଦଳ ପାଇଁ ଆହ୍ୱାନ ହୋଇ ରହିଛି ।

ବିଭିନ୍ନ ରାଜନୈତିକଦଳ ପକ୍ଷରୁ ବି ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଏବଂ ପୁରୀ ପୌର ପରିଷଦର ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ନିରନ୍ତର ଉଦ୍ୟମ ଚାଲିଛି । ତେବେ ଆଗାମୀ ସାଧାରଣ ର୍ନିବାଚନ ପୂର୍ବରୁ ଏହି ତିନିଟି ପୌରସଂସ୍ଥା ପାଇଁ ନିର୍ବାଚନ ହେବ କି ନାହିଁ ତାହା ଆଇନ୍‍ ଅଦାଲତ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ଉପରେ ନିର୍ଭର କରୁଛି । (ତଥ୍ୟ)