ଭୁବନେଶ୍ୱର : ସଡକ ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକର ବ୍ୟବହାର ଓଡିଶାରେ ସେତେଟା ଉତ୍ସାହ ଜନକ ହେଉନାହିଁ । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ଏ କ୍ଷେତ୍ରରେ ଓଡିଶା ଠାରୁ ବହୁ ଆଗରେ ରହିଛନ୍ତି ।
ସଡକ ନିର୍ମାଣ କ୍ଷେତ୍ରରେ ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ଲାଗି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ତଦନୁଯାୟୀ ବର୍ଜ୍ୟ ପ୍ଲାଷ୍ଟିକ ସମେତ ଅନ୍ୟାନ୍ୟ ବର୍ଜ୍ୟ ଯଥା ତାପଜ କେନ୍ଦ୍ରରୁ ବାହାରୁ ଥିବା ପାଉଁଶ, ଲୁହା ଏବଂ ଇସ୍ପାତରୁ ବାହାରୁଥିବା ବର୍ଜ୍ୟ, ନିର୍ମାଣ ଓ ଉଚ୍ଛେଦ ଆଦିରୁ ବାହାରୁଥିବା ନିର୍ମାଣ ସାମଗ୍ରୀ ସବୁକୁ ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର କରାଯାଇ ପାରିବ । ଏହାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଏଭଳି ବର୍ଜ୍ୟ ବ୍ୟବହାର କରି ସଡକ ନିର୍ମାଣ ଜନିତ ଖର୍ଚ୍ଚ ହ୍ରାସ ସହିତ ପ୍ରାକୃତିକ ପରିବେଶକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିବା ।
ତେବେ ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ହୋଇ ଓଡିଶାରେ ମାତ୍ର ୧୫.୮୦ କିଲୋମିଟର ରାଜପଥ ନିର୍ମାଣ ହୋଇଛି । ଅନ୍ୟ ପକ୍ଷରେ ପଡୋଶୀ ଆନ୍ଧ୍ରପ୍ରଦେଶରେ ୨୦୧ କିଲୋମିଟର ସଡକ ନିର୍ମାଣ ହୋଇଥିବାବେଳେ ଛତିଶଗଡରେ ଏହା ୧୦୬ କିଲୋମିଟର ରହିଛି । ଦେଶର ଅନ୍ୟାନ୍ୟ ରାଜ୍ୟ ମଧ୍ୟରେ କର୍ଣ୍ଣାଟକରେ ସର୍ବାଧିକ ୪୪୦ କିଲୋମିଟର ସଡକ ନିର୍ମାଣ ହାଇଥିବାବେଳେ ଉତ୍ତରପ୍ରଦେଶରେ ୪୨୨, ରାଜସ୍ଥାନରେ ୧୯୪, ମଧ୍ୟପ୍ରଦେଶରେ ୬୧ ଏବଂ ମହାରାଷ୍ଟ୍ରରେ ୬୬ କିଲୋମିଟର ସଡକ ପ୍ଲାଷ୍ଟିକ ବର୍ଜ୍ୟରେ ନିର୍ମାଣ ହୋଇଛି ।
ଇତି ମଧ୍ୟରେ ଇଣ୍ଡିଆ ରୋଡ୍ କଂଗ୍ରେସ (ଆଇଆରସି) ପକ୍ଷରୁ ଜାତୀୟ ରାଜପଥ ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ନେଇ ମାର୍ଗଦର୍ଶିକା ସମ୍ମିଳିତ ଏକ ମାନଦଣ୍ଡ ପ୍ରକାଶ କରାଯାଇଛି । ଏଥି ସହିତ ରାଜପଥ ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ଲାଗି ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର କରାଯାଉଛି ।
ତେବେ ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ ଏବେ ପ୍ଲାଷ୍ଟିକ ବର୍ଜ୍ୟ ଚିନ୍ତା ବଢାଉଥିବାବେଳେ ରାଜପଥ ନିର୍ମାଣରେ ଏହାର ବ୍ୟବହାର କମ୍ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ସଂଗ୍ରହ ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟକୁ ରାଜ୍ୟ ଭିତରେ ଥିବା ସିମେଣ୍ଟ କାରଖାନାଗୁଡିକରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ତାହା ସେତେଟା ଫଳପ୍ରଦ ହେଲାନାହିଁ । ବର୍ତ୍ତମାନ ସଡକ ନିର୍ମାଣରେ ବି ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର ସେତେଟା ଉତ୍ସାହଜନକ ନୁହେଁ ।
ଉଲ୍ଲେଖନୀୟ ଯେ କେବଳ ରାଜ୍ୟର ଦୁଇଟି ସ୍ମାର୍ଟସିଟି ଭୁବନେଶ୍ୱର ଓ ରାଉରକେଲାରୁ ୨୦୧୫-୧୬ ମସିହାରେ ବାର୍ଷିକ ୮୫ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ୨୦୧୯-୨୦ ବର୍ଷରେ ତାହା ୧୭,୫୨୦ମେଟ୍ରିକ ଟନ୍ରେ ପହଞ୍ଚିଛି । ଏହି ପ୍ଲାଷ୍ଟିକ ଏବେ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ପାଇଁ ବୋଝ ହୋଇଥିବାବେଳେ ଏହାର ସିଂହଭାଗ ମାଟିରେ ମିଶି ପରିବେଶ ପ୍ରଦୂଷଣ କରୁଛି । (ତଥ୍ୟ)