Home Judiciary ଏବେ ବି ମାଇଁ ଲର୍ଡ ସମ୍ବୋଧନ

ଏବେ ବି ମାଇଁ ଲର୍ଡ ସମ୍ବୋଧନ

ଭୁବନେଶ୍ୱର : ବ୍ରିଟିଶ ରାଜତ୍ୱ ସମୟରେ ସୁପ୍ରିମକୋର୍ଟ, ହାଇକୋର୍ଟ ସମେତ ଅନ୍ୟ ଅଦାଲତର ବିଚାରପତିମାନଙ୍କୁ ‘ଲର୍ଡ’ ସମ୍ବୋଧନ କରିବା ପାଇଁ ଥିବା ପରମ୍ପରାରେ ଓକିଲମାନଙ୍କ ସର୍ବୋଚ୍ଚ ସଂଗଠନ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ନିଷ୍ପତି ନେଇଥିବା ଏବଂ ଏ ସଂକ୍ରାନ୍ତରେ ଭାରତ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ପୁରୁଣା ଅଭ୍ୟାସର ବଶବର୍ତ୍ତୀ ହୋଇ ଏବେବି ବିଚାରପତିମାନଙ୍କୁ ଅଧିକାଂଶ ଓକିଲ ‘ଲର୍ଡ’ ସମ୍ବୋଧନ କରୁଛନ୍ତି ।

ବିଲାତରେ ‘ଲର୍ଡ’ ଉପାଧି ଦିଆଯାଇଥାଏ ଏବଂ ସେଠାରେ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ହାଉସ୍ ଅଫ୍ ଲର୍ଡସ୍ କୁହାଯାଇଥାଏ । ଭାରତରେ କିନ୍ତୁ ‘ଲର୍ଡ’ ପରମ୍ପରା ନଥିଲେ ବି ବ୍ରିଟ୍ରିଶ ସମୟରୁ ଏଠାରେ ବିଚାରପତିମାନଙ୍କୁ କିନ୍ତୁ ଲର୍ଡ ଭାବେ ସମ୍ବୋଧନ କରାଯାଉଛି । ଏହା ଆଇନ ବିରୁଦ୍ଧ ହୋଇଥିଲେ ମଧ୍ୟ ଏକ ବେଆଇନ ପ୍ରଥାରେ ପଡିଛି । ୨୦୨୨ ନୂଆବର୍ଷରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଇଜଲାସ୍‌ରେ ମାମଲା ଶୁଣାଣୀ ବେଳେ ତାଙ୍କୁ କେହି ‘ଲର୍ଡ’ ଭାବେ ସମ୍ବୋଧନ ନକରିବା ପାଇଁ ନିଜେ ମୁଖ୍ୟ ବିଚାରପତି କହିଥିଲେ ଏବଂ ତଦନୁଯାୟୀ, ଓଡିଶା ହାଇକୋର୍ଟ ରେଜିଷ୍ଟ୍ରି ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଥିଲା । ବର୍ଷେ ଧରି ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧରଙ୍କୁ ଅଦାଲତ ଭିତରେ ଓ ବାହାରେ ତେଣୁ କେହି ‘ଲର୍ଡ’ ଭାବେ ସମ୍ବୋଧନ କରୁନାହାଁନ୍ତି ।

ତେବେ ଅନ୍ୟ ଅଦାଲତ ଗୁଡିକରେ କିନ୍ତୁ ଏହି ‘ଲର୍ଡ’ ସମ୍ବୋଧନ ପ୍ରଥା ବଳବତ୍ତର ରହିଛି । ପୁରୁଖା ଆଇନଜୀବୀମାନେ କହୁଛନ୍ତି ଯେ, ଦୀର୍ଘବର୍ଷ ତଳେ ଭାରତ ସରକାରଙ୍କ ଗେଜେଟ୍‌ରେ ବିଚାରପତିମାନଙ୍କୁ ‘ମାଇଁ ଲର୍ଡ’, ‘ଇୟୋର୍ ଲର୍ଡ୍‌ସିପ୍‌’ ଭଳି ଶବ୍ଦରେ ସମ୍ବୋଧନ ନକରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ବଦଳରେ ‘ସାର୍‌’, ‘ଇୟୋର୍ ଅନର୍‌’ ଭଳି ସମ୍ମାନଜନକ ସମ୍ବୋଧନ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଗେଜେଟ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟର ବାର୍ କାଉନ୍‌ସିଲ ଓ ବାର୍ ଆସୋସିଏସନ୍‌ମାନଙ୍କୁ ମଧ୍ୟ ଅବହିତ କରାଯାଇଥିଲା । ଗଣମାଧ୍ୟମରେ ବି ଏ ପ୍ରସଙ୍ଗ ବାରମ୍ବାର ପ୍ରକାଶ ପାଇଥିଲା ।

ଆଇନତଃ ଗେଜେଟ୍ ବିଜ୍ଞପ୍ତି ବଳବତ୍ତର ଥିବା ପର୍ଯ୍ୟନ୍ତ ‘ଲର୍ଡ’ ସମ୍ବୋଧନ କରାଯିବା ଉଚିତ୍ ନୁହେଁ । ତେବେ ଏହାର ଉଲ୍ଲଂଘନ କରି ଓଡ଼ିଶା ସମେତ ଦେଶର ବହୁ ଆଇନ ଅଦାଲତରେ ଏବେବି ‘ଲର୍ଡ’ ସମ୍ବୋଧନ ଜାରି ରହିଛି । ଲୋକଙ୍କୁ ନ୍ୟାୟ ଦେବାପାଇଁ ଲଢୁଥିବା ବହୁ ଆଇନଜୀବୀ ଇଚ୍ଛା ଥାଉ ବା ନଥାଉ ଲର୍ଡ ସମ୍ବୋଧନ କରୁଛନ୍ତି ।

ସେହିଭଳି ରାଷ୍ଟ୍ରପତି, ରାଜ୍ୟପାଳ ଆଦିଙ୍କୁ ଏବେବି ଉପନିବେଶୀୟ ଢାଞ୍ଚାରେ ‘ଏକ୍ସଲେନ୍ସି’ ବୋଲି ସମ୍ବୋଧନ କରାଯାଉଛି । ଅତୀତରେ କେତେଜଣ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳ ସେମାନଙ୍କୁ ‘ଏକ୍ସଲେନ୍ସି’ ସମ୍ବୋଧନ ନକରିବା ପାଇଁ କହିଥିଲେ ମଧ୍ୟ ସମ୍ବୋଧନକାରୀମାନେ କିନ୍ତୁ ପୁରୁଣା ଅଭ୍ୟାସ ଯୋଗୁ ଏହା ଛାଡିପାରୁନାହାଁନ୍ତି । ପୁରୁଖା ଆଇନଜୀବୀମାନେ କହୁଛନ୍ତି ଯେ, ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ପରାଧୀନତା କାଳର ଉପନିବେଶୀୟ ସମ୍ବୋଧନ ସମେତ ଆଉ କେତେକ ବ୍ୟବସ୍ଥାକୁ ଆମ ଦେଶ ଛାଡିପାରିନାହିଁ ।

ଏ ପ୍ରସଙ୍ଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଦୃଷ୍ଟି ଦେବା ସହିତ ଆଇନର ବିଶ୍ଳେଷକ ଓକିଲମାନେ ଏଦିଗରେ ଯତ୍ନବାନ ହେଲେ ଭାରତ ସରକାରଙ୍କ ଗେଜେଟ ବିଜ୍ଞପ୍ତି ଆଧାରରେ ଉପନିବେଶୀୟ ‘ଲର୍ଡ’ ସମ୍ବୋଧନ ଲୋପପାଇପାରିବ ବୋଲି ପୁରୁଖା ଆଇନଜୀବୀମାନଙ୍କ ମତ ।(ତଥ୍ୟ)