Home Administration ନିଜ ସ୍ଥାନରେ ଭୋଟ ଦେଇପାରିବେ ପ୍ରବାସୀ

ନିଜ ସ୍ଥାନରେ ଭୋଟ ଦେଇପାରିବେ ପ୍ରବାସୀ

ଭୁବନେଶ୍ୱର : ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି ।

ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି । ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି ।

ଏହାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ନିମନ୍ତେ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଆର୍‌ଭିଏମ୍‌) ବିକଶିତ କରିଛନ୍ତି । ଯାହାଫଳରେ ଘରୋଇ ପ୍ରବାସୀ ଭୋଟରମାନେ ନିଜ କର୍ମସ୍ଥଳୀରେ ଉପସ୍ଥିତ ରହି ଭୋଟ ଦେଇପାରିବେ ଓ ସେମାନଙ୍କୁ ଆଉ ନିଜ ରାଜ୍ୟକୁ ଫେରି ଭୋଟଦେବାକୁ ପଡ଼ିବ ନାହିଁ ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗତ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪% ଥିଲା ଏବଂ ଦେଶରେ ୩୦ କୋଟିରୁ ଊଦ୍ଧ୍ୱର୍ ଭୋଟର ସେମାନଙ୍କର ମତଦାନ କରିନଥିଲେ । ବିଭିନ୍ନ କାରଣରୁ ଉକ୍ତ ଭୋଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ କରିପାରି ନଥିଲେ ।

ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ହ୍ରାସ ପାଉଥିବା ମତଦାନର ତର୍ଜମା କରି ଜାଣିବାକୁ ପାଇଲେ ଯେ ଘରୋଇ ଭୋଟର ସ୍ଥାନାନ୍ତରଣ ଏକ ମୁଖ୍ୟ ଅଂଶ ଅଟେ । ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ଘରୋଇ ଭୋଟର ସ୍ଥାନନ୍ତରଣ ହୋଇଥାଏ ।

ଏହାର ସମାଧାନ ସହ ଦେଶରେ ମତଦାନ ହାର ବୃଦ୍ଧି ନିମନ୍ତେ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ପାଇଁ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକସ୍‌ ଭୋଟିଂ ମେସିନ୍‌ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏଥି ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କ ସହମତି ଲୋଡ଼ିଛନ୍ତି ।

ନିର୍ବାଚନ ଆୟୋଗ ଦେଶର ୮ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ୫୭ଟି ସ୍ୱୀକୃତିପ୍ରାପ୍ତ ରାଜ୍ୟ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ତା. ୧୬/୦୧/୨୦୨୩ରେ ହେବାକୁ ଥିବା ରିମୋଟ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛନ୍ତି । ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ଲିଖିତ ମତାମତ ତା. ୩୧/୦୧/୨୦୨୩ ସୁଦ୍ଧା ଆହ୍ୱାନ କରିଛନ୍ତି ।