Home News in Odia ରାଜସ୍ୱ ସଂଗ୍ରହ ୨୫ହଜାର କୋଟି କମିବ

ରାଜସ୍ୱ ସଂଗ୍ରହ ୨୫ହଜାର କୋଟି କମିବ

ଭୁବନେଶ୍ୱର : କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୨୫୦୦୦ କୋଟି ଟଙ୍କା କମ୍‍ ରାଜସ୍ୱ ପାଇବାର ଆଶଙ୍କା ଉପୁଜିଛି । ଏଭଳି ରାଜସ୍ୱ ନିଅଣ୍ଟକୁ ସାମ୍ନା କରିବା ସହିତ ଉନ୍ନୟନ ପାଇଁ କିଭଳି ବିଭିନ୍ନ ବିଭାଗକୁ ଅର୍ଥ ଯୋଗାଇ ଦିଆଯିବ ସେଥିପାଇଁ ଆର୍ଥିକ ପରାମର୍ଶଦାତାମାନେ କସରତ ଚଳାଇଛନ୍ତି ।

କେନ୍ଦ୍ରୀୟ ଟିକସ ଆଦାୟ ପ୍ରଦର୍ଶନ ଉପରେ ରାଜ୍ୟର ଅର୍ଥନୀତି ଅଧିକ ଭାବେ ନିର୍ଭର କରୁଥିବାବେଳେ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ପାଖାପାଖି ୧୮,୦୦୦ କୋଟି ଟଙ୍କା କମ୍‍ ମିଳିବାର ଆଶଙ୍କା ଉପୁଜିଛି । ଏଥି ମଧ୍ୟରେ କେନ୍ଦ୍ରୀୟ ଟିକସ ଏବଂ ଅନୁଦାନ ରହିଛି ଯାହାକି କୋଭିଡ ମହାମାରୀ ଯୋଗୁଁ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ପ୍ରଭାବିତ ହୋଇଛି । ଜାତୀୟ ସ୍ତରରେ କୋଭିଡ ଯୋଗୁଁ ଟିକସ ଆଦାୟ ପ୍ରଭାବିତ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଠାରୁ ଉଭୟ କେନ୍ଦ୍ରୀୟ ଟିକସ ଓ ଅନୁଦାନ ମିଳିବା ହ୍ରାସ ପାଇଛି ।

ବଜେଟ୍‍ ଆକଳନ ଅନୁଯାୟୀ କେନ୍ଦ୍ରରୁ ଓଡିଶାକୁ ୬୮,୩୦୦ କୋଟି ଟଙ୍କା ମିଳିବା କଥା ଯେଉଁଥିରେ କେନ୍ଦ୍ରୀୟ ଟିକସ ବାବଦକୁ ୩୬,୩୦୦କୋଟି ଏବଂ ଅନୁଦାନ ବାବଦକୁ ୩୨,୦୦୦ କୋଟି ଟଙ୍କା ରହିଛି । ତେବେ ଡିସେମ୍ବର ଶେଷ ସୁଦ୍ଧା ଓଡିଶା ସରକାର ୩୩,୮୭୨କୋଟି ଟଙ୍କା ପାଇଛନ୍ତି ଯେଉଁଥିରେ କେନ୍ଦ୍ରୀୟ ଟିକସ ବାବଦକୁ ୧୭,୨୦୩ କୋଟି ଏବଂ ଅନୁଦାନ ବାବଦକୁ ୧୬,୬୬୯ କୋଟି ଟଙ୍କା ରହିଛି । ତେଣୁ ୨୦୧୯-୨୦ ତୁଳନାରେ କେନ୍ଦ୍ରରୁ ୧୯.୫ ପ୍ରତିଶତ କମ୍‍ ଅର୍ଥ ମିଳିଛି ।

ଗତ ୯ମାସର ଧାରାକୁ ଦୃଷ୍ଟିରେ ରଖି ଚଳିତ ଆର୍ଥକ ବର୍ଷରେ କେନ୍ଦ୍ରରୁ ଆଉ ୧୬,୭୦୦ କୋଟି ଟଙ୍କା ମିଳିବ ଏବଂ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡିଶା ସରକାର ମୋଟ୍‍ ୫୦,୭୫୨କୋଟି ଟଙ୍କା ପାଇବାର ଆକଳନ ହୋଇଛି । ବଜେଟ୍‍ ହିସାବ ଅନୁଯାୟୀ କେନ୍ଦ୍ରରୁ ୧୭,୭୨୮କୋଟି ଟଙ୍କା କମ୍‍ ମିଳିବ । ଦ୍ୱିତୀୟରେ ନିଜସ୍ୱ ରାଜସ୍ୱ ଆଦାୟ ମଧ୍ୟ କୋଭିଡ ପାଇଁ କମିଯିବ ବୋଲି ଆଶଙ୍କା କରାଯାଉଛି ।

ବଜେଟ୍‍ ଆକଳନ ଅନୁଯାୟୀ ନିଜସ୍ୱ ରାଜସ୍ୱ ବାବଦରେ ଡିସେମ୍ବର ଶେଷ ସୁଦ୍ଧା ୫୬,୦୦୦ କୋଟି ଟଙ୍କା ମିଳିବ ବୋଲି ଆକଳନ ହୋଇଥିବାବେଳେ ଆଦାୟ ହୋଇଛି ମାତ୍ର ୩୪,୦୫୧କୋଟି । ଆସନ୍ତା ତିନି ମାସରେ ଆଉ ୧୫,୪୦୫କୋଟି ଟଙ୍କା ମିଳିବ ବୋଲି ହିସାବ କରାଯାଉଛି ଯାହାଫଳରେ ମୋଟ୍‍ ନିଜସ୍ୱ ରାଜସ୍ୱ ଆଦାୟ ପରିମାଣ ୪୯,୫୦୦ କୋଟି ଟଙ୍କାରେ ପହଞ୍ଚିବ । କୋଭିଡ ସମୟରେ ସ୍ୱାସ୍ଥ୍ୟ ଓ ଜୀବିକା ପ୍ରକଳ୍ପ ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେଉଥିବାବେଳେ ରାଜସ୍ୱ ହ୍ରାସର କିଭଳି ମୁକାବିଲା କରାଯିବ ତାହା ଚିନ୍ତାର କାରଣ ହୋଇଛି ।

ତେବେ ଆବଶ୍ୟକତା ମେଣ୍ଟାଇବାପାଇଁ ଓଡିଶା ଖୋଲାବଜାରରୁ ଅଧିକ ଋଣ ଉଠାଇବାର ସୁଯୋଗ ପାଇଛି । ଆଜି ସୁଦ୍ଧା ରାଜ୍ୟର ଋଣ ଭାର ୧,୦୧,୦୦୦ କୋଟି ଟଙ୍କା ହୋଇଥିବାବେଳେ ମାର୍ଚ୍ଚ ୩୧ ବେଳକୁ ଏହା ଆହୁରି ବୃଦ୍ଧି ପାଇବ । କେନ୍ଦ୍ର ସରକାର ଇତି ମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷର ନିଅଣ୍ଟ ଭରଣା ଲାଗି ଜିଏସ୍‍ଡିପିର ଅତିରିକ୍ତ ୨ ପ୍ରତିଶତ ଋଣ ପାଇଁ ଅନୁମତି ଦେଇଛନ୍ତି । ତେବେ ରାଜ୍ୟ ସରକାର ଅଧିକ ଋଣ କରିବେ ଅଥବା ରାଜସ୍ୱ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସ୍ଥିତି ସମ୍ଭାଳିବେ ସେଥିଲାଗି ବିଚାର ଆଲୋଚନା ଚାଲିଛି । (ତଥ୍ୟ)