ଭୁବନେଶ୍ୱର : ରାଜ୍ୟରେ କୋଭିଡ଼୍ ସ୍ଥିତି ସଂପର୍କରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ କହିଲେ ଯେ, ବର୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ଼୍ର ବିଶେଷ କିଛି ପ୍ରଭାବ ନାହିଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଉଛି ।
ବର୍ତମାନ ରାଜ୍ୟରେ ଦୈନିକ ଛଅ ହଜାର କୋଭିଡ଼୍ କେସ୍ର ସାମ୍ପଲ୍ ଟେଷ୍ଟିଂ ହେଉଥିବାବେଳେ ସେଥିରୁ ତିନିରୁ ନଅ ମଧ୍ୟରେ ପଜିଟିଭ୍ କେସ୍ ବାହାରୁଛି । ଏହି ପଜିଟିଭ୍ ରିପୋର୍ଟରୁ ଜେନମ୍ ସିକ୍ୟୁଏନ୍ସିଂ କରାଯାଉଛି । ରାଜ୍ୟରେ କୋଭିଡ଼୍ ଟେଷ୍ଟିଂ ହାର ସର୍ବ ଭାରତୀୟ ସ୍ତର ଠାରୁ ଅଧିକ ଥିବାବେଳେ ଏହା ଆଗକୁ ଆହୁରି ମଧ୍ୟ ବୃଦ୍ଧି କରାଯିବ । ତେବେ ଏହା ଆଇସିଏମଆର୍ ର ମାର୍ଗଦର୍ଶନ ଉପରେ ପର୍ଯ୍ୟବେଷିତ ହେବ ।
ରାଜ୍ୟରେ ଜେନମ୍ ସିକ୍ୟୁଏନ୍ସିଂ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି । ବର୍ତମାନ ଭୁବନେଶ୍ୱରର ଭାରତୀୟ ଜୀବ ବିଜ୍ଞାନ କେନ୍ଦ୍ର (ଆଇଏଲ୍ଏସ୍) ଓ ଆଂଚଳିକ ଭେଷଜ ଗବେଷଣା ଅନୁଷ୍ଠାନ ଠାରେ ଏହି ସୁବିଧା ଥିବାବେଳେ ଖୁବ୍ ଶୀଘ୍ର ଏସ୍ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏହି ସୁବିଧା ମିଳି ପାରିବ । ଅନ୍ୟ ସବୁ ଜିଲ୍ଳା ମଧ୍ୟ ଭୁବନେଶ୍ୱରର ଆଇଏଲଏସ୍ ଓ ଆରଏମ୍ଆରସିକୁ ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବେ ।
ସେହିପରି ପରିସ୍ଥିତିରେ ଅବନତି ଘଟିଲେ ବିମାନ ବନ୍ଦର ଗୁଡ଼ିକରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଓଡ଼ିଶାକୁ କୌଣସି ଆର୍ନ୍ତଜାତିକ ଉଡ଼ାଣର ସୁବିଧା ନଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଦିଲ୍ଳୀଠାରେ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଉଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶୀକା ଲାଗୁ କରାଯାଇଛି ।
କୋଭିଡ଼୍ ପାଇଁ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍ସିବ ମେଡ଼ିକାଲ କଲେଜ ଓ ହସ୍ୱିଟାଲ, ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ, ଭିମ୍ସାର ବୁର୍ଲାଠାରେ ୧୫ଟି ଲେଖାଏଁ ଅକ୍ସିଜେନ୍ ସୁବିଧା ଥିବା ବେଡ଼୍ ଓ ୫ଟି ଆଇସିୟୁ ମୋଟ ୨୦ ଟି ଲେଖାଏଁ ବେଡ଼୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟସବୁ ଜିଲ୍ଲା ଗୁଡ଼ିକରେ ୧୦ଟି ଲେଖାଏଁ ଅକ୍ସିଜେନ ସୁବିଧା ଥିବା ବେଡ଼୍ ଓ ଆଇସିୟୁ ପ୍ରସ୍ତୁତ ରଖାଯିବ ।
କୋଭିଡ଼୍ ପରିଚାଳନା ପାଇଁ ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଗୁଡ଼ିକରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ହକି ବିଶ୍ୱ କପ୍କୁ ଆଖି ଆଗରେ ରଖି କଟକ, ଭୁବନେଶ୍ୱର, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଠାରେ ସମସ୍ତ ପ୍ରକାର ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏହି ସବୁ ସ୍ଥାନରେ ବ୍ୟାପକ ଭାବେ କୋଭିଡ଼୍ ପରୀକ୍ଷଣର ବ୍ୟବସ୍ଥା କରାଯିବା ସହ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତା ସଂପନ୍ନ ଡ଼ାକ୍ତରୀଦଳ ନିରନ୍ତର ଭାବରେ ସ୍ୱାସ୍ଥ୍ୟ ସେବା ଦିଗରେ ଦୃଷ୍ଟି ରଖିବେ । ଏହି ସବୁ ଠାରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଆବଶ୍ୟକ ପରିମାଣର ଗାଡ଼ି ଓ ମାନବ ସମ୍ବଳ ଯୋଗାଇ ଦିଆଯିବ ।
କୋଭିଡ଼୍ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ୱତଃ ପ୍ରବୃତ ଭାବରେ ମାସ୍କ ବ୍ୟବହାର କରିବା ଓ ହାତ ଧୋଇବା, ଲକ୍ଷଣ ଥିଲେ ସଂଗ ରୋଧ ରହିବା ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମାନଙ୍କରେ ‘ଫିଭର କ୍ଲିନିକ୍’ ଖୋଲାଯିବ । ରାଜ୍ୟରେ ବାକି ରହିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ବୁଷ୍ଟର ଡ଼ୋଜ ପାଇଁ ବ୍ୟବସ୍ଥା କରାଯିବ ।
ରାଜ୍ୟରେ ବୁଷ୍ଟର ଡ଼ୋଜ୍ ପାଇଁ ଆବଶ୍ୟକିୟ ଟୀକା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଆବଶ୍ୟକୀୟ ଟୀକା ଯୋଗାଇ ଦେବା ପାଇଁ ଅନୁରୋଧ କରିବେ ।
କୋଭିଡ଼୍ କୁ ଆଖି ଆଗରେ ରଖି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବା ବେଳେ କୋଭିଡ଼୍ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର କିଟ୍ ଓ ଅକ୍ସିଜେନ୍ ଆଗାମୀ ତିନି ମାସ ପାଇଁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜନ ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିୟମିତ ଭାବରେ ସୂଚନା ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।
ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଡ଼ା ପୋମା ଟୁଡ଼ୁ, ଆଇଏଲ୍ଏସ୍ ଓ ଆରଏମ୍ଆର୍ସି ର ପ୍ରତିନିଧି ଏସ୍ସିବି ଓ ଭିମ୍ସାର କଲେଜର ପ୍ରଫେସର, କିମସ୍ ୟୁନିଭରସିଟିର ପ୍ରୋ ଚାନସେଲର ଡ଼ା ସିବିକେ ମହାନ୍ତି, ଏମସ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ପ୍ରତିନିଧି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।