Home News in Odia ଆନିକଟ ନିର୍ମାଣକୁ ଅନୁମୋଦନ ପାଇଁ କୃତଜ୍ଞତା

ଆନିକଟ ନିର୍ମାଣକୁ ଅନୁମୋଦନ ପାଇଁ କୃତଜ୍ଞତା

ଭୁବନେଶ୍ୱର : କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଆନିକଟ ନିର୍ମାଣ ପାଇଁ ରାଜ୍ୟ ସରକାର ୩୪୪.୬୭ କୋଟି ଟଙ୍କା ଅନୁମୋଦନ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନାବାଦ ଅର୍ପଣ କରିଛନ୍ତି ।

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ୍ ଜଳାଶୟ ସୃଷ୍ଟିଲାଗି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୧୯-୨୦ ମସିହାରୁ ୧୧୭୦୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ଯୋଜନା ଆରମ୍ଭ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ମୋହର ବାଜିଛି ।

ଏହି ଯୋଜନାରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଚୌଧୁରୀଗଡା ଗ୍ରାମ ନିକଟରେ ମହାନଦୀରେ ଏବଂ କେନ୍ଦ୍ରାପଡା ଜିଲ୍ଲାର ଟୀଖିରୀ ଗ୍ରାମ ନିକଟରେ ପାଇକା ନଦୀରେ ଆନିକଟ ନିର୍ମାଣ କରାଯିବା ସହିତ ଆଗାମୀ ୫ ବର୍ଷ ରକ୍ଷଣା ବେକ୍ଷଣ ବାବଦରେ ବ୍ୟୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି ।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୪୪.୬୭ କୋଟି ଟଙ୍କା ଓ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ବାବଦକୁ ୩.୪୨ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ଆସନ୍ତା ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ତ ପ୍ରକଳ୍ପ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ , ପାରାଦୀପ୍ ନଗରପାଳିକା ଏବଂ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଓ ମହାକାଳପଡା ବ୍ଲକ୍‌ର ୮୯ଟି ଗ୍ରାମର ଲୋକମାନଙ୍କୁ ପାନୀୟ ଜଳ ଓ ଘରୋଇ ବାବହାର ନିମନ୍ତେ ଆବଶ୍ୟକ ଜଳ ଯୋଗାଇବ ।

ଏତଦ୍ ବ୍ୟତିତ ଏହି ପ୍ରକଳ୍ପଟି ମାଛ ଚାଷ , ପ୍ରାଣୀଧନ ପାଳନ , ଜଳସେଚନ ଓ ଭୁତଳ ଜଳ ପୁନଃଭରଣରେ ସହାୟତା କରିବା ସହିତ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ଏ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନାବାଦ ଅର୍ପଣ କରିଛନ୍ତି ।