ଭୁବନେଶ୍ୱର : ବିଶ୍ୱବ୍ୟାଙ୍କ୍ରୁ ଯେଉଁ ଋଣ ରାଜ୍ୟମାନେ ଆଣୁଛନ୍ତି ସେମାନଙ୍କୁ ଭାରତୀୟ ମୁଦ୍ରାର ହିସାବରେ ଏହା ପରିଶୋଧ କରିବାପାଇଁ ସୁଯୋଗ ଦେବାକୁ ରାଜ୍ୟ ସରକାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଯେତେ ବୈଦେଶିକ ଋଣ ଆସୁଛି ତାହା ଆମେରିକୀୟ ଡଲାର ଉପରେ ପର୍ଯ୍ୟବେସିତ ।
୨୦୦୫ ଏପ୍ରିଲ୍ ପହିଲା ପରେ ବୈଦେଶିକ ଋଣ ପ୍ରଦାନକାରୀ ସଂସ୍ଥାଙ୍କ ସହାୟତାରେ ନୂତନ ପ୍ରକଳ୍ପ ପାଇଁ ଯେଉଁ ଚୁକ୍ତିନାମା ହୋଇଛି ସେହି ଅନୁଯାୟୀ କେନ୍ଦ୍ର ସରକାର ତାହା ରାଜ୍ୟ ସରକାରଙ୍କ ଉପରେ ଲଦି ଦେଉଛନ୍ତି । ଯାହା ଫଳରେ ଡଲାର ଓ ଭାରତୀୟ ମୁଦ୍ରା ମଧ୍ୟରେ ଉପୁଜୁଥିବା ତାରତମ୍ୟ ଯୋଗୁଁ ଋଣ ପରିଶୋଧ ବ୍ୟୟ ସାପେକ୍ଷ ହୋଇପଡୁଛି ।
ବିଶ୍ୱବ୍ୟାଙ୍କ୍ ଓ ଏସୀୟ ଉନ୍ନୟନ ବ୍ୟାଙ୍କ୍ ଠାରୁ ବହୁମୁଖୀ ବିକାଶ ପ୍ରକଳ୍ପ ଲାଗି ଆସୁଥିବା ସହାୟତାଗୁଡିକ ଆମେରିକୀୟ ଡଲାର ଆକାରରେ ଆସୁଥିବାବେଳେ ଲଣ୍ଡନ ଇଣ୍ଟର ବ୍ୟାଙ୍କ୍ ଅଫର ରେଟ୍ (ଏଲ୍ଆଇବିଓଆର) ଅନୁଯାୟୀ ସୁଧ ସ୍ଥିର ହୋଇଥାଏ । ଉଲ୍ଲେଖନୀୟ ଯେ ୨୦୦୫ ମସିହାରେ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୭.୭୬ ଟଙ୍କା ଥିବାବେଳେ ୧୭ ବର୍ଷ ମଧ୍ୟରେ ତାହା ୮୧.୫୨ ଟଙ୍କାରେ ପହଞ୍ଚିଛି । ତେଣୁ ରାଜ୍ୟ ସରକାରଙ୍କ ପାଇଁ ଡଲାର ଆଧାରରେ ସୁଧ ଓ ମୂଳ ପ୍ରଦାନ କଷ୍ଟକର ହୋଇପଡୁଛି ।
ଏହାବାଦ୍ ଏହି ଋଣଗୁଡିକ ୨୦ ରୁ ୨୫ ବର୍ଷ ପାଇଁ ଆସିଥିବାରୁ ଡଲାର ଆଧାରରେ ଏହାର ପରିମାଣ ବୃଦ୍ଧି କିମ୍ବା ହ୍ରାସ ପାଇବାର ଅଛି । ଏଭଳି ସ୍ଥିତିରେ ବିଶ୍ୱବ୍ୟାଙ୍କ୍ ଏବଂ ଏଡିବି ଠାରୁ ଭାରତୀୟ ମୁଦ୍ରାରେ ଋଣ ପାଇ ପାରିଲେ ତାହା ବୈଦେଶିକ ଋଣରେ ଦେଖା ଦେଉଥିବା ତାରତମ୍ୟ ଦୂର ସହିତ ତାହା ପରିଶୋଧରେ ସହଜ ହେବ ।
ଉଲ୍ଲେଖନୀୟ ଯେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ର ପାଇଁ ଏସୀୟ ଉନ୍ନୟନ ବ୍ୟାଙ୍କ୍ ଭାରତୀୟ ମୁଦ୍ରାରେ ପ୍ରଦାନ କରୁଥିବାବେଳେ ବିଶ୍ୱବ୍ୟାଙ୍କ୍ ଉଭୟ ଭାରତୀୟ ମୁଦ୍ରା ଓ ଚାଇନିଜ୍ ୟୁଆନ ରେନମିନ୍ବିରେ ବିକାଶ କାର୍ଯ୍ୟ ପାଇଁ ଋଣ ନେଉଥିବା ସଦସ୍ୟ ଦେଶଙ୍କ ପାଇଁ ବଣ୍ଡ ଜାରି କରୁଛି । ତେଣୁ ଏଭଳି ସ୍ଥିତିରେ ବିଶ୍ୱବ୍ୟାଙ୍କ୍ ଓ ଏସୀୟ ଉନ୍ନୟନ ବ୍ୟାଙ୍କ୍ ଠାରୁ ଆମେରିକୀୟ ଡଲାରରେ ଋଣ ଆଣିବା ପରିବର୍ତ୍ତେ ଭାରତୀୟ ମୁଦ୍ରାରେ ଋଣ ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । (ତଥ୍ୟ)