Home Health ସର୍ବେକ୍ଷଣ ଓ ପରୀକ୍ଷା ଉପରେ ଗୁରୁତ୍ୱ

ସର୍ବେକ୍ଷଣ ଓ ପରୀକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର : କୋଭିଡ୍‌-୧୯ ପୁଣିଥରେ କାୟା ବିସ୍ତାର କରୁଥିବାବେଳେ ଭାରତରେ ସେମିତି ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଏବେ ସୁଦ୍ଧା ଏହାର ବିଶେଷ କିଛି ପ୍ରଭାବ ନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ମହାମାରୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାର ପରିସର ବ୍ୟାପକ ଥିବାବେଳେ ଏବେ ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଉପରେ ପର୍ଯ୍ୟବେଶିତ ହେବ ।

ସେହିପରି ବିମାନ ବନ୍ଦର ଓ ସମୁଦ୍ର ବନ୍ଦରଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଲାଗୁ କରାଯିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଏ ସଂପର୍କରେ ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରି ଏହାକୁ ପରିଚାଳନା କରିବେ ।

ରାଜ୍ୟରେ ଜିନୋମ୍‌ ସିକୁ୍ୟଏନ୍‌ସିଂକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିଠାରେ ଏହି ସୁବିଧା ଥିବାବେଳେ ଖୁବ୍‌ ଶୀଘ୍ର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ସୁବିଧା ମିଳିପାରିବ । ଅନ୍ୟସବୁ ଜିଲ୍ଲା ମଧ୍ୟ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିକୁ ଜିନୋମ୍‌ ସିକୁ୍ୟଏନ୍‌ସିଂ ପାଇଁ ସାମ୍ପଲ ପଠାଇବେ ।

କୋଭିଡ୍‌-୧୯ ପାଇଁ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଭିମ୍‌ସାର ବୁର୍ଲାଠାରେ ୨୦ଟି ଲେଖାଏଁ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟସବୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ୧୦ଟି ଲେଖାଏଁ ଅକ୍ସିଜେନ୍‌ ସୁବିଧା ଥିବା ବେଡ୍‌ ପ୍ରସ୍ତୁତ ରଖାଯିବ ।

କୋଭିଡ୍‌-୧୯ ପରିଚାଳନା ପାଇଁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍‌ପିଟାଲ୍‌, ରାଉରକେଲାର ଆର୍‌ଜିଏଚ୍‌ ଓ ଅନ୍ୟ ମେଡିକାଲ କଲେଜ ଏବଂ ହସ୍‌ପିଟାଲ୍‌ଗୁଡ଼ିକ ମକ୍‌ଡି୍ରଲ କରିବେ ।
ଆଗାମୀ ହକି ବିଶ୍ୱକପ୍‌କୁ ଆଖି ଆଗରେ ରଖି କଟକ, ସୁନ୍ଦରଗଡ଼ (ରାଉରକେଲା) ଓ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଆବଶ୍ୟକ ପରିମାଣର ଗାଡ଼ି ଓ ମାନବସମ୍ବଳ ଯୋଗାଇ ଦିଆଯିବ । ରାଉରକେଲା, ଭୁବନେଶ୍ୱର ଓ କଟକଠାରେ ବ୍ୟାପକ ଭାବେ କୋଭିଡ୍‌-୧୯ ପରୀକ୍ଷଣର ବ୍ୟବସ୍ଥା କରାଯିବ ।

କୋଭିଡ୍‌-୧୯ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ୱତଃପ୍ରବୃତ ଭାବେ ମାସ୍କ ବ୍ୟବହାର କରିବା, ହାତ ଧୋଇବା, ଲକ୍ଷଣ ଥିଲେ ସଙ୍ଗରୋଧରେ ରହିବା, ପବ୍ଲିକ୍‌ ପ୍ଲେସ୍‌ରେ ଛେପ ନପକେଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।

ଏହା ସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ‘ଫିଭର କ୍ଲିନିକ୍‌’ ଖୋଲାଯିବା ସହିତ ବାକି ରହି ଯାଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ । କୋଭିଡ-୧୯କୁ ଆଖି ଆଗରେ ରହି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବାବେଳେ କୋଭିଡ୍‌ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣରେ ‘କିଟ୍‌’ ଓ ଅକ୍ସିଜେନ୍‌ ଆଗାମୀ ୩ ମାସ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସଚେତନତା ସୃଷ୍ଟି ପାଇଁ ନିୟମିତ ଭାବେ ସୂଚନା ପ୍ରଦାନ କରାଯିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶାଳନୀ ପଣ୍ଡିତ, ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିର ପ୍ରତିନିଧି ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।