ଭୁବନେଶ୍ୱର : ଆସନ୍ତା ୫ବର୍ଷ ମଧ୍ୟରେ ଓଡିଶାର ନିଜସ୍ୱ ରାଜସ୍ୱ ନିଅଣ୍ଟ ପରିମାଣ ପ୍ରାୟ ୬୫,୦୦୦ କୋଟି ଟଙ୍କା ହେବ । ୨୦୨୨ ଜୁଲାଇରୁ ଜିଏସ୍ଟି ବାବଦରେ ମିଳୁଥିବା କ୍ଷତିପୂରଣ ବନ୍ଦ ହେବା ଯୋଗୁଁ ଏଭଳି ଆକଳନ କରାଯାଇଛି ।
ଜିଏସ୍ଟି କ୍ଷତିପୂରଣ ସଂକ୍ରାନ୍ତରେ କରାଯାଇଥିବା ସର୍ବଶେଷ ସମୀକ୍ଷାରୁ ଏଭଳି ସ୍ଥିତି ଓଡିଶାର ଅର୍ଥନୀତି ଉପରେ ପ୍ରଭାବ ପକାଇବାକୁ ଥିବାରୁ ରାଜ୍ୟ ପ୍ରଶାସନ ଚିନ୍ତିତ ହୋଇପଡିଛି । ତେଣୁ ଜୁଲାଇ ୨୦୨୨ ବାଦ୍ ବି ରାଜ୍ୟକୁ ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହା ନହେଲେ ଅଗ୍ରାଧିକାର କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ରାଜ୍ୟ ସରକାର ଭରଣା କରିପାରିବେ ନାହିଁ ବୋଲି କୁହାଯାଇଛି ।
ଗତ କିଛିବର୍ଷ ମଧ୍ୟରେ ଓଡିଶାର ନିଜସ୍ୱ ଟିକସ ରଜାସ୍ୱ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି) ତୁଳନାରେ ହ୍ରାସ ପାଇଛି, ବିଶେଷକରି ଜିଏସ୍ଟି ଲାଗୁ ପରଠାରୁ ଏହା କମିଛି । ୨୦୧୫-୧୬ରେ ଓଡିଶାର ନିଜସ୍ୱ ଟିକସ ଜିଏସ୍ଡିପି ତୁଳନାରେ ୬.୮୬ ପ୍ରତିଶତ ଥିବାବେଳେ ୨୦୧୯-୨୦ ରେ ଏହା ୬.୨୦ ପତିଶତକୁ ହ୍ରାସ ପାଇଥିଲା ।
କେନ୍ଦ୍ରରୁ ମିଳୁଥିବା ଜିଏସ୍ଟି ବାବଦ କ୍ଷତିପୂରଣ ୨୦୨୨ ଜୁନ୍ ୩୦ରୁ ବନ୍ଦ ହୋଇଯାଇଛି । କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସ ହ୍ରାସ ପାଇ ନିଷ୍ପତ୍ତି ନେବା ଯୋଗୁଁ ୨୦୨୦-୨୧ ବର୍ଷର ଆର୍ଥିକ ସ୍ଥିତି ସଙ୍କୁଚିତ ହୋଇଛି ଯାହାର ଫଳ ସ୍ୱରୂପ କେନ୍ଦ୍ରରୁ ମିଳୁଥିବା ଅର୍ଥ ହ୍ରାସ ପାଇଛି ଏବଂ ଏଥି ଯୋଗୁଁ ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ କେନ୍ଦ୍ରୀୟ ଅଂଶଧନ ଟିକସ ଜିଏସ୍ଡିପର ୨.୧୮ ପ୍ରତିଶତରେ ରହିଛି । ଏହି ସମୟ ମଧ୍ୟରେ ମୋଟ୍ ଟିକସ ସମ୍ବଳ ୩ ପ୍ରତିଶତକୁ ହ୍ରାସ ପାଇଛି ।
ବର୍ତ୍ତମାନ ରାଜ୍ୟକୁ ଜିଏସ୍ଟି କ୍ଷତିପୂରଣ ବନ୍ଦ ହୋଇଯିବା ଫଳରେ ଏହି ଟିକସ ପ୍ରାର୍ଥକ୍ୟ ଭରଣା କରିବା ରାଜ୍ୟ ପାଇଁ କଷ୍ଟକର ହୋଇପଡିବ । ଏଭଳି ସ୍ଥିତିରେ ଜୁଲାଇ ମାସରୁ ବନ୍ଦ ହୋଇଥିବା ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ପୁଣିଥରେ ଓଡିଶାକୁ ପ୍ରଦାନ ଲାଗି ରାଜ୍ୟ ପକ୍ଷରୁ ଅର୍ଥ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଆଉ ୫ବର୍ଷ ପାଇଁ ଜିଏସ୍ଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପୂର୍ବରୁ ୪୭ତମ ଜିଏସ୍ଟି କାଉନସିଲ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜିଏସ୍ଟି କ୍ଷତିପୂରଣ ପ୍ରସଙ୍ଗ ଉଠାଇଥିଲେ । ସେ ଦର୍ଶାଇଥିଲେ ଯେ ୨୦୨୨ ଜୁନ୍ରୁ ଜିଏସ୍ଟି କ୍ଷତିପୂରଣ ବନ୍ଦ ହୋଇଗଲେ ରାଜ୍ୟରେ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟିହେବ । ଏହା ମଧ୍ୟ ପୁଞ୍ଜି ବ୍ୟୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ରାଜ୍ୟର ରାଜସ୍ୱ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଉ ୫ବର୍ଷ ଲାଗି ଜିଏସ୍ଟି କ୍ଷତିପୂରଣ ପ୍ରଦାନ ଲାଗି ଦୃଢ ଭାବେ କହିଥିଲେ । ବର୍ତ୍ତମାନ କେନ୍ଦ୍ର ସରକାର ଏହା ଉପରେ କି ନିଷ୍ପତ୍ତି ଗ୍ରହଣ କରିବେ ତାହା ଆସନ୍ତା ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପିତ ହେବାକୁ ôତବା ୨୦୨୩-୨୪ ବର୍ଷର ବଜେଟ୍ରେ ଦେଖିବାକୁ ମିଳିବ । (ତଥ୍ୟ)